Odisha News

ମାର୍ଚ୍ଚ ୧୩ ରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର,୬/୩: ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି । ଶୁଖିଲା ପାଗ ସାଙ୍ଗକୁ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ବାୟୁମଣ୍ଡଳର ଉପରିଭାଗରେ ଏକ ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା
ସମ୍ଭାବନା ଥିବାରୁ ଆସନ୍ତା ୧୩ ତାରିଖରୁ ରାଜ୍ୟରେ ଦିନର ତାପମାତ୍ରା ବୃଦ୍ଧି ପାଇବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି ।
ରାଜ୍ୟର କେତେକ ସ୍ଥାନରେ ତାତି ୩୭ରୁ ୩୯ ଡିଗ୍ରୀ ସେଲସିୟସ୍କୁ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି ।
ବର୍ତ୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲସିୟସ୍ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ ରୁ ୩୭ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ଏହା ୧୨ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି । ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ ବାୟୁ ପାଇଁ ଏହି ତାପମାତ୍ରା ବୃଦ୍ଧି ପାଇ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ଶନିବାର ରାଜ୍ୟର ୧୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ୩୭.୨ ଡିଗ୍ରୀ ସେଲସିୟସ୍ ଥିବାବେଳେ ବଲାଙ୍ଗୀରରେ ୩୭, ବୌଦ୍ଧରେ ୩୫, ଝାରସୁଗୁଡ଼ାରେ ୩୫.୨, ଭବାନିପାଟଣାରେ ୩୫, ସମ୍ବଲପୁରରେ ୩୫.୬, ସୋନପୁରରେ ୩୬, ବାଲେଶ୍ୱରରେ ୩୫, ଚାନ୍ଦବାଲି ଓ ଭୁବନେଶ୍ୱରରେ ୩୫.୨ ଏବଂ ଭଦ୍ରକରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Related Posts

Seo wordpress plugin by www.seowizard.org.