Odisha News

ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ସସପେନ୍ସ

ଯୋଡା,୨/୧: ନୂଆବର୍ଷ ସେଲିବ୍ରେସନ୍ ପରେ କଣ ଘଟିଲା। ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ କିପରି ହେଲା। ମୃତ୍ୟୁ ପଛରେ କିଏ ଦାୟୀ? ଏପରି ନାନା ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ବାସ୍ତବରେ ଗତକାଲି ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ ଚଳାଇଛି ଯୋଡ଼ା ପୁଲିସ ।
ଆଜି ଶୁଭଶ୍ରୀଙ୍କ ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେପଟେ ପୁଲିସ୍ ଶୁଭଶ୍ରୀ ରହୁଥିବା ଘରକୁ ଯାଇ ସେଠାରୁ ତାଙ୍କର ମୋବାଇଲ ଫୋନ, ମେଡ଼ିସିନ୍ ବୋତଲ ସହିତ କିଛି କାଗଜପତ୍ର ଜବତ୍ କରି ଅନୁସନ୍ଧାନ ଜାରି ରଖିଛି ।
ଶୁଭଶ୍ରୀଙ୍କ ଏଭଳି ମୃତ୍ୟୁ ଘଟିବା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ । ଶୁଭଶ୍ରୀଙ୍କ ଫୋନର କଲ ରେକର୍ଡ ଯାଞ୍ଚ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା ଚଳାଇଛି ପୁଲିସ । କର୍ମଚାରୀମାନଙ୍କ କହିବା କଥା ହେଲା, ୩୧ ତାରିଖ ରାତିରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସେମାନେ ୭ ଜଣ ଏକାଠି ମିଶି ଜିରୋ
ନାଇଟ ସେଲିବ୍ରସନ୍ କରିଥିଲେ । ନୃତ୍ୟ ଗୀତରେ ଝୁମିଥିଲେ ଶୁଭଶ୍ରୀ । ଏଥିପାଇଁ ଶୁଭଶ୍ରୀ ନିଜେ ସବୁ ଆୟୋଜନ କରିଥିଲେ । ନିଜ ହାତରେ ଚାଉମିନ ଓ ଫ୍ରାଏଡ ରାଇସ ବାନାଇଥିଲେ । କେକ୍ କାଟି ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରିଥିଲେ । ରାତି ଦେଢଟା ପର‌୍ୟ୍ୟନ୍ତ ସେଲିବ୍ରେସନ ମନାଇବା ପରେ ଶୁଭଶ୍ରୀ ଉପର ମହଲାରେ ଥିବା ନିଜ ରୁମକୁ ଚାଲିଯାଇଥିଲେ ।
ତେବେ ନୂଆ ବର୍ଷର ନୂଆ ସକାଳ ଦେଖିପାରି ନଥିଲେ ଶୁଭଶ୍ରୀ । ସକାଳ ୭ଟାରେ ଶୁଭଶ୍ରୀଙ୍କ ପାଇଁ ରୋଷେଇ କରୁଥିବା ମହିଳା କବାଟ ବାଡେଇ ଥିଲେବି ଶୁଭଶ୍ରୀ କବାଟ ଫିଟାଇ ନଥିଲେ । ଏହାପରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଦୁବରାଜ ମହାନ୍ତ ଶୁଭଶ୍ରୀଙ୍କୁ ଫୋନ କରିଥିଲେ ବି ସେ ଫୋନ ଉଠାଇ ନଥିଲେ ।
ବାରମ୍ଵାର କବାଟ ବାଡେଇଲା ପରେବି କିଛି ଉତ୍ତର ନମିଳିବାରୁ ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ଶେଷରେ ସନ୍ଧ୍ୟା ସମୟରେ ପୁଲିସ୍ କବାଟ ତାଡ଼ି ଭିତରକୁ ପଶିବା ପରେ ବିଛଣା ଉପରେ ସ୍ଥିର ଅବସ୍ଥାରେ ଶୁଭଶ୍ରୀ ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ତେବେ ସେତେବେଳକୁ ତାଙ୍କର ପ୍ରାୟ ମୃତ୍ୟୁ ଘଟିସାରିଥିଲା।
ସେପଟେ ଆଉ ଏକ ତଥ୍ୟ ଏବେ ପଦାକୁ ଆସିଛି । ଗତ ମାସ ୨୦ ତାରିଖରେ ଶୁଭଶ୍ରୀ ଜନୈକ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ କରିଥିଲେ । ଏତଲାରେ ସେ ଉଲ୍ଲେଖ କରିଥିଲେ ଯେ, ରୁଗୁଡ଼ିଠାରେ ଥିବା ଏକ ଘରୋଇ ଖଣି କମ୍ପାନୀର ଡାକ୍ତର ଦିବ୍ୟରଞ୍ଜନ ମାଝୀ ଗତ ୬ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶୃତି ଦେଇ ଦୁଇଥର ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ସେ ପରେ ବିବାହ ପାଇଁ ମନା କରିଦେଇଥିଲେ । ଯାହା ଫଳରେ ଏନେଇ ସେ ଯୋଡ଼ା ଥାନାରେ ଏତଲା ଦେଇଥିଲେ ।
ଏହାକୁ ନେଇ ଯୋଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ସେହିଦିନ ବଡ଼ବିଲ ଜେଏମଏଫସି କୋର୍ଟରେ ତାଙ୍କର ୧୬୪ ବୟାନ ରେକର୍ଡ ମଧ୍ୟ ହୋଇଥିଲା । ଏହି ଘଟଣାକୁ ନେଇ ଶୁଭଶ୍ରୀଙ୍କ ପରିବାର ଲୋକେ ମୁହଁ ଖୋଲୁ ନଥିବା ବେଳେ, ମୃତ୍ୟୁ ପଛର ରହସ୍ୟ ଘନେଇବାରେ ଲାଗିଛି । ଏହି ଘଟଣାରେ କୌଣସି ସୁଇସାଇଟ ନୋଟ୍ ମିଳିନଥିବା ବେଳେ, ମୃତ ଦେହରେ ମଧ୍ୟ ସେଭଳି କିଛି ଚିହ୍ନ ଦେଖିବାକୁ ମିଳି ନଥିଲା । ତେବେ ଏହା ଏକ ସ୍ୱାଭାବିକ ମୃତ୍ୟୁ ନା ଏହାପଛରେ ଆଉ କିଛି କାରଣ ରହିଛି ତାକୁ ହିଁ ଅପେକ୍ଷା ।

Related Posts

Seo wordpress plugin by www.seowizard.org.