ମହାମିଳନ
ରାଈରଞ୍ଜନ
ବିନ୍ଦୁଟିଏ ବିନ୍ଦି କପାଳରେ ତୋ’ର ସିନ୍ଦୂର ପରିକା ଲାଗେ ,
ବଧୂ ବେଶ ତୋ’ ମୋ’ କଳ୍ପିତ କଳ୍ପନା ମଧ୍ୟେ ସଜ ହୁଏ ଆଗେ ।
ପ୍ରାଣପ୍ରିୟା ଘର ଦରଜାରେ ମୋ’ର ତୋ’ ପାଦ ଥାପିଦେ ଥିରି ,
ଲକ୍ଷ୍ମୀ ସ୍ୱରୁପା ତୋ’ ସମ୍ମୁଖରେ ବସି ପାହିଯାଉ ବିଭାବରୀ ।
ଅୟୁତ ଜନ୍ମର ପୁଣ୍ୟ ତପସ୍ୟାର ଫଳ ନ ଯିବ ଅଲୋଡ଼ା ,
ପଣତ ତୋ’ ସୀମାହୀନ ମହାକାଶ ଥିଲେ କି’ ଆଶ୍ରୟ ଲୋଡ଼ା ..?
ନିଶୀଥରେ ନିଶା ବଢ଼ିଲେ ଖୋଜିବି ତୋ’ କୋଳେ ଟିକେ ସାହାରା ,
ସାତ ଜନମର ସାଥୀ ତୁ’ ଥିଲେ କାହିଁ ହେବି ବେସାହାରା ..?
ତୋ’ ହାତ ଚୁଡ଼ିର ରୁଣୁଝୁଣୁ ଶବ୍ଦ ମୋ’ ଲାଗି ମନ୍ଦିର ଘଣ୍ଟି ,
ତୋ’ ଦେହ କସ୍ତୁରୀ ମହକରେ ବାସେ ମୋ’ ଅଗଣା ସଞ୍ଜବତି ।
ପ୍ରିୟା ତୋ’ ଦର୍ଶନେ ପ୍ରିୟା ପାନ ସମ ଦେହେ ଜର୍ଜରିତ ନିଶା ,
ପ୍ରତୀକ୍ଷାର ଅନ୍ତ ହେଉ ଅବିଳମ୍ବେ ଆସ ପାସ ମୋ’ ସହସା ।
ମଥା ମୋ’ ଆଉଁସି ପ୍ରଶମନ କର ଅଗଣିତ ଉଦ୍ବେଳନ ,
ବାସ୍ତବ ହେଉ ବା କଳ୍ପନାରେ ସତ୍ୟ ହେଉ ଏ ମହାମିଳନ ।
Title of Poem: Mahamilan: Poet: Rairanjan