Top Stories

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ସ୍ବତନ୍ତ୍ର ରିଲିଫ୍ କମିସନର

ଭୁବନେଶ୍ୱର,୧୪/୮: ଦୁଇ ଦିନ ତଳେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ମହାନଦୀରେ ଏକ ଛୋଟ ଧରଣର ବନ୍ୟା ଆସିବ ବୋଲି କହିଥିବା ବେଳେ ରବିବାର ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି ମଧ୍ୟମ ଧରଣର ବନ୍ୟା ଆସିବ। ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।
ଏସ୍ଆର୍ସି କହିଛନ୍ତି, ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ଯେଉଁ ବର୍ଷା ଲାଗି ରହିଛି, ତା’ ପ୍ରଭାବରେ ରାଜ୍ୟର କିଛି ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷତଃ ମହାନଦୀ ଅବବାହିକାରେ ଏହି ସମ୍ଭାବ୍ୟ ବନ୍ୟା ସ୍ଥିତି ଅଧିକ ରହିଛି। ଆଜି ପର୍ଯ୍ୟନ୍ତ ଯାହା ବର୍ଷା ହୋଇଛି ଓ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ନେଇ ଯେଉଁ ଆକଳନ କରାଯାଇଛି, ତାକୁ ବିଚାରକୁ ନେଲେ ମହାନଦୀରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଖଇରମାଳରେ ଏବେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି।
ତେଲ ନଦୀରୁ ବେଶି ପାଣି ଆସୁ ନାହିଁ। ସେଥିରୁ ମାତ୍ର ଲକ୍ଷେ ୩୫ ହଜାର କ୍ୟୁସେକ ପାଣି ଆସୁଛି। ତେଣୁ ଅଧିକ ପାଣି ଆସୁଛି ହୀରାକୁଦ ଡ୍ୟାମ୍ରୁ। ହୀରାକୁଦରୁ ସୋନପୁର ଭିତରେ ଥିବା ଜୀରା, ରାଞ୍ଜୋର ଓ ଅଙ୍ଗ ଆଦି ନଦୀରୁ ମଧ୍ୟ ପାଣି ଆସୁଛି।
ସେ କହିଛନ୍ତି, ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ସରାଢିହି ଠାରେ ପାଖାପାଖି ୬ ଲକ୍ଷ ୫୭ ହଜାର କ୍ୟୁସେକ ଜଳ ପାସ୍ କରୁଛି।
ଆସନ୍ତାକାଲି ପାଇଁ ଯେଉଁ ଆକଳନ କରାଯାଇଛି, ମହାନଦୀ ଓ ତେଲ ଅବବାହିକାରେ ବର୍ଷା ଅଛି। ଉପକୂଳରୁ ବର୍ଷା ଧୀରେ ଧୀରେ କମି ସେପଟୁ ଅଧିକ ହେବ। ହୀରାକୁଦରେ ଏବେ ୩୪ଟି ଗେଟ୍ ଖୋଲା ଅଛି। ବର୍ତ୍ତମାନ ଆଉ ଅଧିକ ଗେଟ୍ ଖୋଲା ଯିବ ନାହିଁ।
ଏସ୍ଆର୍ସି କହିଛନ୍ତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାର କିଛି ଅଂଶ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜଳ ସଂପଦ ବିଭାଗ ତାଙ୍କର ସିନିୟର ଚିଫ୍ ଇଞ୍ଜିନିୟର ଓ ସିନିୟର ଇଞ୍ଜିନିୟରମାନଙ୍କୁ ଏସବୁ ଜିଲ୍ଲା ଗୁଡ଼ିକୁ ପଠାଇଛନ୍ତି।
ସେମାନେ ସେଠାରେ ନଦୀବନ୍ଧ ଗୁଡ଼ିକର ତଦାରଖ କରିବା ସହିତ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ। ଏହା ସହିତ ୭ଟି ଓଡ୍ରାଫ୍ ଟିମ୍, ୩ଟି ଏନ୍ଡିଆର୍ଏଫ୍ ଟିମ୍ ଓ ୧୨ଟି ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯିବ। ବର୍ତ୍ତମାନ ପାଇଁ ଏହି ନିଷ୍ପତ୍ତି ହୋଇଛି। ଆବଶ୍ୟକ ହେଲେ ଅଧିକ ଟିମ୍କୁ ମୁତୟନ କରାଯିବ।
ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ସ୍ଥିତି ନାହିଁ। ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକରେ ମଧ୍ୟ ବନ୍ୟାସ୍ଥିତି ନାହିଁ। ବ୍ରାହ୍ଣଣୀ ନଦୀରେ ମଧ୍ୟ ବନ୍ୟା ସ୍ଥିତି ନାହିଁ। ଜଳକା ନଦୀ ଟିକେ ବିପଦ ସଙ୍କେତ ଉପରେ ଚାଲିଛି।
ସୂଚନାଯୋଗ୍ୟ, ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିଭଳି କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ।

Related Posts

Seo wordpress plugin by www.seowizard.org.