Bollywood

ମଣିପୁର ଘଟଣାର ଭିଡିଓ ଦେଖି ରାଗିଗଲେ ଅକ୍ଷୟ କୁମାର, ଟ୍ଵିଟ୍ କରି ଲେଖିଲେ- ଅତ୍ୟନ୍ତ ଲଜ୍ଜାଜନକ ଓ ଘୃଣ୍ୟ

ନୂଆଦିଲ୍ଲୀ,୨୦/୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ଚଳାଇବା ଭିଡିଓ ତାଙ୍କୁ ବିଚଳିତ କରିପକାଇଛି ବୋଲି ଆଜି ଟୁଇଟ୍ କରି ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି।
ସେ କହିଛନ୍ତି, ଅପରାଧୀମାନଙ୍କ ପ୍ରତି ଏମିତି ଦଣ୍ଡ ବିଧାନ କରାଯିବା ଉଚିତ ଯେ, ଏଭଳି ଅପକର୍ମ କରିବାକୁ ଯେମିତି କେହି କଳ୍ପନା କରି ନ ପାରନ୍ତି।
ଆଜି ସକାଳେ ଟୁଇଟ୍ କରିଥିବା ପୋଷ୍ଟ୍ରେ ଅକ୍ଷୟ ଲେଖିଛନ୍ତି, ମଣିପୁରରେ ମହିଳାମାନଙ୍କ ପ୍ରତି କରାଯାଇଥିବା ହିଂସା ଭିଡିଓ ଦେଖି ମୁଁ ବିପର‌୍ୟ୍ୟସ୍ତ ଓ ହତାଶ। ଆଶାକରେ ଅପରାଧୀମାନଙ୍କୁ ଏମିତି କଠୋର ଦଣ୍ଡ ମିଳୁ ଯେ, ପୁଣି ଥରେ ଏଭଳି ଭୟାବହ ଅପକର୍ମ କରିବାକୁ ଯେମିତି କେହି ଚିନ୍ତା କରି ନ ପାରନ୍ତି।
ଉଲ୍ଲେଖଯୋଗ୍ୟ, ମଣିପୁରରେ ଦଳେ ବ୍ୟକ୍ତି ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରୁଛନ୍ତି।
ମେ ୪ ତାରିଖ ଦିନ ମଣିପୁରର ରାଜଧାନୀ ଇମ୍ଫାଲ୍ଠାରୁ ପ୍ରାୟ ୩୫ କିଲୋମିଟର୍ ଦୂର କାଙ୍ଗ୍ପୋକ୍ପି ଜିଲ୍ଲାରେ ଉପରୋକ୍ତ ଘଟଣା ଘଟିଥିବା କଥା ‘ଇଣ୍ଡିଜେନସ୍ ଟ୍ରାଇବାଲ୍ ଲିଡର୍ସ ଫୋରମ୍’ (ଆଇଟିଏଲ୍ଏଫ୍) ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି।
ପୁଲିସ କହିବା ଅନୁସାରେ, ଘଟଣାଟି ଅନ୍ୟ ଜିଲ୍ଲାରେ ଘଟିଛି, କିନ୍ତୁ କାଙ୍ଗ୍ପୋକ୍ପି ଜିଲ୍ଲାରେ ‘ଏଫ୍ଆଇଆର୍’ ପଞ୍ଜୀକୃତ କରାଯାଇଛି।
ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହ ମଧ୍ୟ ଏହି ଘଟଣାକୁ ମାନବାତା ବିରୋଧରେ ଅପରାଧ ବୋଲି କହିଛନ୍ତି। ଏହି ଘଟଣା ଉପରେ ଯଥେଷ୍ଟ ଗୁରୁତ୍ବାରୋପ କରି ତଦନ୍ତ କରିବା ଲାଗି ସେ ପୁଲିସକୁ କହିଛନ୍ତି।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ କହିଛନ୍ତି ଯେ, ଏଭଳି ଘଟଣା ନିନ୍ଦନୀୟ ତଥା ଅମାନବୀୟ।

Related Posts

Seo wordpress plugin by www.seowizard.org.