Odisha News

ଭୋଟ୍ ଦେଉଛି ଓଡ଼ିଶା: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର, ୧୩/୫ : : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲାଗି ମତଦାନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡ଼ିଶା । ୭୩୦୩ ବୁଥରେ ଭୋଟ ଦେଉଛନ୍ତି ମତଦାତା।
ସକାଳ ସାଢ଼େ ୫ ଟାରେ ମକ ପୋଲ ସମୟରେ ଇଭିଏମ ତ୍ରୁଟି ଜଣାପଡିଛି। ୫୨ ବ୍ୟାଲାଟ ୟୁନିଟ ବଦଳା ଯାଇଛି। କଳାହାଣ୍ଡିରେ ୧୦ ଇଭିଏମ୍ ଖରାପ ଥିବା ଜଣାପଡିଥିଲା। ମତଦାନ ପୂର୍ବରୁ ବଦଳା ଯାଇଥିଲା। ସବୁଠି ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ।
୪ ଲୋକସଭା କ୍ଷେତ୍ରର ସମସ୍ତ ଭୋଟରଙ୍କୁ ମୁଁ ଆଶ୍ୱସ୍ତ କରୁଛି । ଯେଉଁଠାରେ ଇଭିଏମ ତ୍ରୁଟି ହେବ ୩୦ ମିନିଟ ଭିତରେ ଆମେ ସମାଧାନ କରିଦେବୁ । ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ପାଗ ଅନୁକୂଳ ଥିବାରୁ ବହୁ ଲୋକ ବୁଥ ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି ।
ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ସବୁବେଳେ ଭଲ ଭୋଟିଂ ହୋଇଥାଏ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିରେ ୨୦୧୯ ରେ ମତଦାନ ପ୍ରତିଶତ ଭଲ ରହିଥିଲା। ଏଥର ବି ମତଦାନ ପ୍ରତିଶତ ଭଲ ରହିବ ବୋଲି ଆଶା।
ଏଣେ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ନେଇ ଅଭିଯୋଗ ଆସିନାହିଁ । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ମୋବାଇଲ ପେଟ୍ରୋଲିଂ ଚାଲିଛି। ୫ ଲେୟରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
୨୦୧୯ ସ୍ୱାଭିମାନ ଅଞ୍ଚଳର ୨୩ ବୁଥର ଭୋଟର ବିଏସଏଫ କ୍ୟାମ୍ପରେ ଭୋଟ ଦେଇଥିଲେ। ଏଥର ନିଜ ଗାଁରେ ସେମାନେ ଭୋଟ ଦେଉଛନ୍ତି। ସ୍ଵାଭିମାନ ଅଞ୍ଚଳରେ ୨୦୧୯ରେ ୧୦ ବୁଥରେ ମତଦାନ ପ୍ରତିଶତ ୦ ଥିଲା। ଏଥର ଲୋକ ଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି। ମାଓ ଅଧ୍ୟୁଷିତ ଅଞ୍ଚଳରେ କିଛି ସମସ୍ୟା ନଥିବା କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି।

Related Posts

Seo wordpress plugin by www.seowizard.org.