Odisha News

ଭୁବନେଶ୍ୱର ମହାନଗର ନିଗମ ମେୟର ପଦବୀ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୪/୩: ବିଜେଡି ଓ ବିଜେପି ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ସକ୍ଷମ ହୋଇ ନଥିବା ବେଳେ କଂଗ୍ରେସ ଶୁକ୍ରବାର ମେୟର ପଦବୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ଭୁବନେଶ୍ୱରର ମେୟର ପ୍ରାର୍ଥୀ ହେବେ। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ତାଙ୍କ ନାଁ ଘୋଷଣା କରିଛନ୍ତି। ଏଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।
ଶ୍ରୀ ରାଉତରାୟ କହିଛନ୍ତି, ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ । ସେ କଲେଜ ଜୀବନରେ ରାଜନୀତି ସହ ଜଡ଼ିତ ଥିଲେ। ସେ କମଳା ନେହରୁ କଲେଜର ଛାତ୍ର ସଂସଦର ସଭାପତି ହୋଇଥିଲେ।
ମଧୁସ୍ମିତା ହେଉଛନ୍ତି ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ। କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ। ସେ ଦୃଷ୍ଟିକୋଣରୁ କଂଗ୍ରେସର ତାଙ୍କ ଉପରେ ଭରସା କରିଛି। ସେଥିପାଇଁ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରାଯାଇଛି।
ବିଜେଡି ଓ ବିଜେପି ଏପର୍ଯ୍ୟନ୍ତ ନିଜର ମେୟର ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ତେବେ ଶାସକ ବିଜେଡିରେ ଯେଉଁ ସମ୍ଭାବ୍ୟ ନାଁ ଚର୍ଚ୍ଚାକୁ ଆସୁଛି ସେଥିରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର ଓ ଇତି ସାମନ୍ତଙ୍କ ନାଁ ଆଗରେ ରହିଥିବା ବେଳେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ଝିଅ ତାନ୍ୟା ପଟ୍ଟନାୟକଙ୍କ ନାଁ ମଧ୍ୟ ଏହି ରେସରେ ସାମିଲ ହୋଇଥିବା ଜଣାପଡ଼ିଛି।
ବିଜେଡିର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ନିଜର ଭଉଣୀ ଇତିଙ୍କୁ ମେୟର ପ୍ରାର୍ଥୀ କରିବା ପାଇଁ କର୍ପୋରେଟର ଆଶାୟୀଙ୍କୁ ଡାକି ମନ୍ତ୍ରଣା କରୁଥିବାବେଳେ ସୌମ୍ୟ ମଧ୍ୟ ନିଜ ଝିଅ ତାନ୍ୟାଙ୍କ ନିମନ୍ତେ ଅଣ୍ଟା ଭିଡ଼ି ଥିବା ଚର୍ଚ୍ଚା ହେଉଛି।
ବିଜେଡିର ମେୟର ପ୍ରାର୍ଥୀ କିଏ ହେବ, ତାକୁ ଦୃଷ୍ଟିରେ ରଖି ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଏବଂ ୨୬ରେ ଭୋଟ୍ ଗଣତି ହେବ। ତେବେ ୭ ତାରିଖ ପର‌୍ୟ୍ୟନ୍ତ ନାମାଙ୍କନପତ୍ର ଦାଖଲ ସମୟ ସୀମା ରହିଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି।

Related Posts

Seo wordpress plugin by www.seowizard.org.