Odisha News

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଥାନାରେ ମାମଲା ରୁଜୁ

ବୁର୍ଲା/ବ୍ରହ୍ମପୁର,୫/୭: ବୁର୍ଲା ଭିମ୍‌ସାର୍ର ଡାକ୍ତରୀ ଛାତ୍ରମାନେ ଆଜି ଅମାନବିକତାର ସବୁ ସୀମା ଲଂଘିଛନ୍ତି। ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣ କରି ଭବ୍ୟ ସ୍ବାଗତ କରିବା ପରିବର୍ତ୍ତେ ଆକ୍ରମଣ କରିଛନ୍ତି।
ସ୍ବାଗତ ଆଳରେ ଅଗ୍ନି ନିର୍ବାପକ ଗ୍ୟାସର ପ୍ରୟୋଗ ଯୋଗୁ ଅନେକ ଛାତ୍ର ଅଣନିଶ୍ବାସୀ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ଗୁରୁତର ସହିତ ନିଆଯିବା ସହିତ ଆସନ୍ତାକାଲି ଥାନାରେ ଏତଲା ଦିଆଯିବ ବୋଲି ଭିମ୍ସାର୍ର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡ଼ୁ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ବୁର୍ଲା ଭିମ୍ସାର, କଟକର ଏସ୍ସିବି ଏବଂ ବ୍ରହ୍ମପୁରର ଏମ୍କେସିଜିର ଏମ୍ବିବିଏସ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିୟମିତ ଭାବେ ଅନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ‘ୟୁଫୋରିଆ’ ଅନୁଷ୍ଠିତ ହୋଇଥାଏ।
ପ୍ରତ୍ୟେକ ୩ ବର୍ଷରେ ଥରେ ଏକ ମେଡିକାଲ କଲେଜକୁ ଆୟୋଜନ ଦାୟିତ୍ବ ମିଳିଥାଏ। ଚଳିତ ବର୍ଷ ବୁର୍ଲା ଭିମ୍ସାର୍ ‘ୟୁଫୋରିଆ’ ଆୟୋଜନ ଦାୟିତ୍ବ ମିଳିଥିଲା। ଗତ କିଛି ମାସ ହେଲା ଏଥିପାଇଁ ଭିମ୍ସାରରେ ପ୍ରସ୍ତୁତି ଚାଲିଥିଲା ବେଳେ ଆରମ୍ଭରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାକାର କେତେକ ବରିଷ୍ଠଙ୍କ ବିରୋଧରେ କେତେକ କନିଷ୍ଠ ଛାତ୍ର ଅଭିଯୋଗ ଆଣିଥିଲେ ହେଁ ଏହାର ଆପୋସ ସମାଧାନ ହୋଇଥିଲା। ଆଜି କିନ୍ତୁ ସବୁ ସୀମା ଲଂଘିଥିଲା।
ଜୁଲାଇ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତା ପାଇଁ ଗତକାଲି ବ୍ରହ୍ମପୁରର ୬୫ ଜଣ ଏମ୍ବିବିଏସ୍ ଛାତ୍ର ବୁର୍ଲା ଅଭିମୁଖେ ବାହାରି ଥିଲେ। ୟୁଫୋରିଆରେ ୫ରୁ ୭ ତାରିଖ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ୭ରୁ ୧୦ ତାରିଖ ପର‌୍ୟ୍ୟନ୍ତ ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ସବୁ ପ୍ରସ୍ତୁତି ସରିଥିଲା।
ପୂର୍ବାହ୍ନ ସାଢ଼େ ୯ଟାରେ ଏମ୍କେସିଜି ଛାତ୍ରମାନେ ଭିମ୍ସାର ପୁରୁଣା ପ୍ରେକ୍ଷାଳୟ ନିକଟରେ ପହଞ୍ଚିଥିଲେ। ସେମାନଙ୍କୁ ସ୍ବାଗତ କରିବା ପାଇଁ ଭିମ୍ସାର ଛାତ୍ରଛାତ୍ରୀମାନେ ଅପେକ୍ଷା କରିଥିଲେ। ସେମାନେ ପହଂଚିବା ମାତ୍ରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିଲା। ବସ୍ରୁ ସେମାନେ ଓହ୍ଲାଇନଥିବା ବେଳେ ଅଗ୍ନି ନିର୍ବାପକ ଯନ୍ତ୍ର ଜରିଆରେ ସେମାନଙ୍କ ଉପରକୁ ଗ୍ୟାସ୍ ପ୍ରୟୋଗ କରିଥିଲେ। ଏଥିରେ କେତେକ ଛାତ୍ର ଅଣନିଶ୍ବାସୀ ହୋଇଯାଇଥିଲେ। ଏହାକୁ ନେଇ ଗଣ୍ଡଗୋଳ ଘଟିଥିଲା।
ଭିମ୍ସାର୍ର ଶତାଧିକ ଛାତ୍ରଛାତ୍ରୀ ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ବସ୍ ଭିତରକୁ ଢେଲାପଥର ମାଡ଼ ସହିତ ଚୌକି ମଧ୍ୟ ଫିଙ୍ଗାଯାଇଥିଲା। କେତେକ ଛାତ୍ରଛାତ୍ରୀ ହାତରେ ବାଡ଼ି ମଧ୍ୟ ଧରିଥିବା ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ଛାତ୍ରଙ୍କ ସଂଖ୍ୟା କମ୍ ଥିଲେ ବି ସେମାନେ ପାଲଟା ଜବାବ ଦେବାକୁ ଚେଷ୍ଟା କରିଥିଲେ।
ଘଟଣା ସଂକ୍ରାନ୍ତରେ ବ୍ରହ୍ମପୁରରୁ ଆସିଥିବା ଛାତ୍ରମାନେ କେତେକ ଏଠାକାର ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ଫୋନ୍ ଯୋଗେ ଅବଗତ କରିଥିଲେ। ଏହା ପରେ ବରିଷ୍ଠ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଏଥିରେ ପ୍ରାୟ ୯ ଆହତ ହୋଇଥିବା ବ୍ରହ୍ମପୁରର ଛାତ୍ରମାନଙ୍କ ପକ୍ଷରୁ କୁହାଯାଇଛି। ଗୁରୁତର ଆହତ ହୋଇଥିବା ଜଣେ ଛାତ୍ରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ଘଟଣା ସଂକ୍ରାନ୍ତରେ ଭିମ୍ସାର ଛାତ୍ର ସଂଘର କର୍ମକର୍ତ୍ତା ମୁହଁ ଖୋଲୁନଥିବା ବେଳେ ଭିମ୍ସାର୍ କର୍ତ୍ତୃପକ୍ଷ ମଧ୍ୟ ପ୍ରାରମ୍ଭିକ ସ୍ତରରେ ଘଟଣାକୁ ଚପାଇବା ପାଇଁ ଉଦ୍ୟମ କରିଥିଲେ। ତେବେ, ଖବର ମିଳିବା ପରେ ଏମ୍କେସିଜି କର୍ତ୍ତୃପକ୍ଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ପରେ ଭିମ୍ସାର୍ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତ୍ବର ସହିତ ନେଇଛନ୍ତି।
ଭିମ୍ସାର୍ର ଜଣେ ଛାତ୍ରଙ୍କ କହିବା ଅନୁସାରେ, ସେମାନଙ୍କୁ ସ୍ବାଗତ କରିବା ନିମନ୍ତେ ଆମେ ବାହାରେ ଛିଡ଼ା ହୋଇଥିଲୁ। ବସ୍ ଭିତରେ ଥିବା ଛାତ୍ରମାନେ ଭିମ୍ସାର୍ ଛାତ୍ରୀମାନଙ୍କୁ କମେଣ୍ଟ ମାରିବାରୁ ବିବାଦର ସୂତ୍ରପାତ ଘଟିଥିଲା। ବସ୍ ଭିତରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ରରୁ ସେମାନେ ପ୍ରଥମେ ଗ୍ୟାସ୍ ଛାଡ଼ିଥିଲେ ବୋଲି ଅଭିଯୋଗ ଆଣିଛନ୍ତି।
ଅପରପକ୍ଷରେ ଘଟଣାରେ ୩ଟି ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର ହୋଇଥିବାରୁ ଭିମ୍ସାର୍ ଛାତ୍ରମାନେ ପୂର୍ବ ଯୋଜନା ଅନୁଯାୟୀ ନିଆରା ଢଂଗରେ ସ୍ବାଗତ କରିବା ପାଇଁ ଏଭଳି କରାଯାଇଥିବା କହାଯାଉଛି।
ଏସଂକ୍ରାନ୍ତରେ ଭିମ୍ସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁ କହିଛନ୍ତି ଯେ ଆସନ୍ତାକାଲି ଥାନାରେ ଏତଲା ଦିଆଯିବ। ଭିମ୍ସାର୍ରେ ଅସ୍ଥିରତା ସୃଷ୍ଟି ପାଇଁ ସବୁବେଳେ ଚେଷ୍ଟା କରାଯାଇଥାଏ। ଏହି ଘଟଣାରେ କିଛି ବାହାରିଆ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି। ଡାକ୍ତରୀ ଛାତ୍ରମାନଙ୍କ ସହିତ ଥିବା ବାହାରିଆ ପିଲା ଏଭଳି ପରିସ୍ଥିତି ସୃଷ୍ଟି କରିଥାଇପାରନ୍ତି। ତେବେ, ଏପର୍ଯ୍ୟନ୍ତ କଣ ପାଇଁ ଏଭଳି ସ୍ଥିତି ସୃଷ୍ଟି ହେଲାର ବିସ୍ତୃତ ତଦନ୍ତ ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।
ବ୍ରହ୍ମପୁରର ସମସ୍ତ ପିଲା ଆଜି ରାତିରେ ଏକ ବସ୍ ଯୋଗେ ଫେରିଯିବେ। ସର୍ବମୋଟ ୫ ଜଣ ଛାତ୍ର ଆହତ ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ଭଲ ଅଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ଗୁରୁତର ଆହତ ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାରୁ ସେ ମଧ୍ୟ ଫେରିଯିବେ ବୋଲି ଡାକତର ଟୁଡୁ କହିଛନ୍ତି। ଏମ୍କେସିଜି ମେଡ଼ିକାଲ କଲେଜର ଡିନ୍ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି, ଗତକାଲି ଏଠାରୁ ଛାତ୍ରଛାତ୍ରୀ ବୁର୍ଲା ଯାଇଥିବା ବେଳେ ସେଠାରେ ଗଣ୍ଡଗୋଳ ହୋଇଥିଲା। ବର୍ତ୍ତମାନ ଉଭୟ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।

Related Posts

Seo wordpress plugin by www.seowizard.org.