Odisha News

ଭାରତ ଛାଡ଼ିବାକୁ କହିଲା ପୁଲିସ, ପାକିସ୍ତାନୀ ମହିଳା କହିଲେ- ପରିବାର ଛାଡ଼ି ଯିବିନି

ବଲାଙ୍ଗୀର, ୨୬/୪: ପହଲଗାମ ଆକ୍ରମଣ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ପାକିସ୍ତାନୀ ନାଗରିକଙ୍କୁ ତଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଓଡ଼ିଶା ସରକାର ସମସ୍ତ ପାକିସ୍ତାନୀଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ଦେବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଦୀର୍ଘ ୩୫ ବର୍ଷ ହେଲା ବଲାଙ୍ଗୀରରେ ବିବାହିତ ହୋଇ ରହିଥିବା ସାରଦା କୁକ୍ରେଜା ଚିନ୍ତିତ ହୋଇ ପଡ଼ିଛନ୍ତି । ବଲାଙ୍ଗୀରେ ପୁରା ପରିବାର ରହୁଥିବାବେଳେ ସେ କେବେବି ପାକିସ୍ତାନ ଯାଇ ନ ଥିବା କହିଛନ୍ତି । କିନ୍ତୁ ତାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ଜାରି ହେବା ପରେ ଟେନସନରେ ପୁରା ପରିବାର ।
ସାରଦା କୁକ୍ରେଜାଙ୍କ ବାପା ୫୦ ବର୍ଷ ପୂର୍ବରୁ ପାକିସ୍ତାନର ସିନ୍ଧ୍ ପ୍ରଦେଶରୁ ଆସି ଓଡ଼ିଶାର କୋରାପୁଟରେ ରହିଥିଲେ । ପ୍ରାୟ ୭୦ ଦଶକରେ ସେମାନେ ଓଡ଼ିଶା ଆସିଥିଲେ ।
ସାରଦା ହେଉଛନ୍ତି ୩ ଭାଇ ଏବଂ ୩ ଭଉଣୀ । ବଲାଙ୍ଗୀରର ହିନ୍ଦୁ ଧର୍ମର ମହେଶ କୁକ୍ରେଜାଙ୍କୁ ସାରଦା ବାଈ ବିବାହ କରିଥିଲେ । ଦୀର୍ଘ ୩୫ ବର୍ଷ ହେଲା ମହେଶ କୁକ୍ରେଜାକୁ ବିବାହ କରି ସାରଦା ବଲାଙ୍ଗୀରେ ରହୁଛନ୍ତି । ତାଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ଅଛନ୍ତି । ସେମାନେ ମଧ୍ୟ ବିବାହିତ ଓ ନାତି ନାତୁଣୀ ମଧ୍ୟ ଅଛନ୍ତି ।
ଏପରିକି ସେ ଭାରତ ଆସିବା ପରେ କେବେବି ପାକିସ୍ତାନ ଯାଇ ନ ଥିବା ମଧ୍ୟ କହିଛନ୍ତି । କିନ୍ତୁ ଏ ପର‌୍ୟ୍ୟ ନ୍ତ ତାଙ୍କୁ ଭାରତୀୟ ନାଗରିକତ୍ୱ ମିଳିପାରି ନାହିଁ । ତଥାପି ସେ ତାଙ୍କର ଭାରତୀୟ ଆଧାର କାର୍ଡ ଏବଂ ଭୋଟ୍ ପରିଚୟ ପତ୍ର ରହିଛି । ଏପରିକି ସେ ଭୋଟ୍ ମଧ୍ୟ ଦେଉଛନ୍ତି ।
ସେହିପରି ସାରଦା ଗଣମାଧ୍ୟମକୁ ଆହୁରି କହିଛନ୍ତି, ତାଙ୍କର ପାକିସ୍ତାନ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ କିମ୍ବା କେହି ସମ୍ପର୍କୀୟ ନାହାଁନ୍ତି । ସେ ଭାରତ ସରକାରଙ୍କ ସବୁ ନିୟମକୁ ପାଳନ କରୁଛନ୍ତି । ତେଣୁ ତାଙ୍କୁ ଭାରତରେ ରହିବାକୁ ଅନୁମତି ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି ।
କିନ୍ତୁ ବଲାଙ୍ଗୀର ପୋଲିସ ମୁଖ୍ୟାଳୟ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ତାଙ୍କର ଦୀର୍ଘ ମିଆଦି ଭିସା ରଦ୍ଦ କରାଯାଇଥିବାବେଳେ ତାଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନୋଟିସର ନିର୍ଦ୍ଦେଶ ପାଳନ ନ କରନ୍ତି ତେବେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିର୍ଦ୍ଦେଶ ଦେଇଛନ୍ତି କି ସମସ୍ତ ପାକିସ୍ତାନ ନାଗରିକଙ୍କୁ ତଡିବାକୁ । ଏହା ପରେ ଓଡ଼ିଶାରେ ୧୨ ଜଣ ପାକିସ୍ତାନ ନାଗରିକ ଥିବା ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ଜଣେ ଓଡ଼ିଆଙ୍କୁ ବିବାହ କରି ରହିଛନ୍ତି । ତାଙ୍କର ଭିସା ଅବଧି ୨୦୨୪ରେ ସମାପ୍ତ ହୋଇଥିବା ଜଣାପଡ଼ିଛି ।

Related Posts