Odisha News

ଭାଜପାରେ ସାମିଲ ହେବା ପରେ ଆସିଲା ସୁଜିତଙ୍କ ପ୍ରତିକ୍ରିୟା: ଇସ୍ତଫା ଦେବାର ବଡ଼ କାରଣ ଖୋଲିକି କହିଦେଲେ

ଭୁୁବନେଶ୍ୱର, ୬/୯: ବିଜେପିରେ ମିଶିବା ପରେ ବିସ୍ଫୋରଣ ଘଟାଇଲେ ସୁଜିତ କୁମାର । ଜଣେ ଦୁଇ ଜଣଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା । ପ୍ରାୟ ଦେଢ ବର୍ଷ ହେଲା ଦଳରେ ମୋତେ ଅଣା ଦେଖା କରାଯାଉଥିଲା । କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉ ନ ଥିଲା ।
ଜଣେ ଦୁଇ ଜଣ ବଡ ନେତାଙ୍କ ଗୋଲାମୀ ପାଇଁ କୁହାଯାଉଥିଲା । ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା କହୁଥିଲେ । ସେମାନଙ୍କ ଗୋଲାମୀ, ଚାମଚାଗିରି କରିବାକୁ କହୁଥିଲେ । ମୁଁ ବିଦେଶରୁ ପଢିକି ଆସିଛି । ଏହା ମୋ ସ୍ୱାଭିମାନକୁ ବାଧିଥିଲା । କାହା ଗୋଲାମୀ କରିବା ମୋ ଦ୍ୱାରା ସମ୍ଭବ ନୁହେଁ ବୋଲି ସୁଜିତ କହିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି, ବିଜେଡିରେ ତାଙ୍କୁ ନିର୍ବାଚନ ପୂର୍ବରୁ ଧମକ ଦିଆଯାଇଥିଲା । ରାଜ୍ୟସଭାରୁ କାଢି ଦିଆଯିବ ବୋଲି ଧମକ ଦେଇଥିଲେ । ପଲିଟିକାଲ କ୍ୟାରିୟର ଶେଷ କରି ଦିଆଯିବ ବୋଲି କହିଥିଲେ । କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ ।
ମୋତେ ସିଧାସଳଖ କହି ନ ଥିଲେ ହେଁ ଦଳୀୟ ନେତାଙ୍କୁ କହିଥିଲେ । ମୋ ସାମ୍ନାରେ ଏକଥା କହିବାର ତାଙ୍କର ସାହସ ନ ଥିଲା । ନିର୍ବାଚନ ପୂର୍ବରୁ ଏମିତି ଧମକ ଦେଇଥିଲେ ଉକ୍ତ ନେତା । ନିର୍ବାଚନ ପରେ ମୁଁ ଏକଥା ଦଳର ସୁପ୍ରିମୋଙ୍କୁ ଜଣାଇଥିଲି । ସେ ଏକଥା ଦେଖିବେ ବୋଲି ମୋତେ କହିଥିଲେ ।
ସେ କହିଛନ୍ତି, ଦୁର୍ନୀତି ନେଇ ନେତା ନ ଶୁଣିବାରୁ ସେ ଦଳ ଛାଡିଛନ୍ତି । ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ଚାଲିଥିଲା । ଜମି, ଛତୁଆ, ଟେଣ୍ଡର ଫିକ୍ସିଂ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ଅନେକ ନେତା, ଅଫିସର ଦୁର୍ନୀତିରେ ସାମିଲ ଥିଲେ । ଏ ସଂପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟା କରିଛି । ବହୁବାର ଜଣାଇବାକୁ ଚେଷ୍ଟା କରି ମୁଁ ବିଫଳ ହୋଇଥିଲି । ଶେଷରେ ବାଧ୍ୟ ହୋଇ ଆଜି ମୁଁ ବିଜେଡି ଛାଡିଲି । ମୋ ପାଇଁ ସର୍ବଦା ମାଟି ଆଗ ଏବଂ ପାର୍ଟି ତା ପରେ ବୋଲି କହିଛନ୍ତି ସୁଜିତ କୁମାର ।
ସୂଚନାଯୋଗ୍ୟ, କିଛି ସମୟରୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର । ଏହା ପରେ ସେ ବିଜେଡି ଦଳ ମଧ୍ୟ ଛାଡି ବିଜେପିରେ ମିଶିଛନ୍ତି । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବରିଷ୍ଠ ନେତା ଅରୁଣ ସିଂଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି । ତାଙ୍କର ଏହି ପଦକ୍ଷେପ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର‌୍ୟ୍ୟ ପାଇଁ ସୁଜିତ କୁମାରଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ।

Related Posts

Seo wordpress plugin by www.seowizard.org.