Odisha News

ଭାଗ୍ୟ ଖୋଲିବ ଇଭିଏମ୍, ଜଗିବେ ୧୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର, ୨୬/୩: ଆଜି ଆସିବ ପୌର ନିର୍ବାଚନର ଫଳାଫଳ । ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ।
ଭୁବନେଶ୍ୱର ମହାନଗର ନିଗମ ଏଥର ଦେଖିବ ପ୍ରଥମ ମହିଳା ମେୟର । କିଏ ପିନ୍ଧିବ ଭୁବନେଶ୍ୱର ମେୟର ମୁକୁଟ, ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ଲାଗିଛି ୧୪୪ ଧାରା ।
ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଧ୍ୟରାତ୍ରିରୁ ଏହି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ୧୪୪ ଧାରା ଆସନ୍ତାକାଲି ସକାଳ ୬ଟା ପର‌୍ୟ୍ୟନ୍ତ ବଳବତ୍ତର ରହିବ । ଫଳରେ ସମସ୍ତ ବ୍ୟକ୍ତିଗତ ଓ ବେସରକାରୀ ଚାରିଚକିଆ ଯାନର ଚଳାଚଳ ଭଦ୍ରକ ପୌରାଞ୍ଚଳ ମଧ୍ୟରେ ନିଷିଦ୍ଧ କରାଯାଇଛି ।
ଭୋଟ ଗଣତି ନେଇ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମତଦାନ ସମୟରେ କିଛି କେନ୍ଦ୍ରରେ ବିଶୃଙ୍ଖଳା ଦେଖାଦେଇଥିଲା। ବିଭିନ୍ନ ଦଳର ସମର୍ଥକ, ନେତା ମୁହାଁମୁହିଁ ହୋଇଥିଲେ। ଏମିତିକି ଗଣତି ପୂର୍ବରୁ ମଧ୍ୟ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି।
ଗଣତି ସମୟରେ ଆଇନ୍ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୫୦ରୁ ଅଧିକ ପୁଲିସ ଅଧିକାରୀ ଦାୟିତ୍ବରେ ଥିଲା ବେଳେ ୧୫ଟି ମୋବାଇଲ୍ ଟିମ୍, ୧୦ ପ୍ଲାଟୁନ୍ରୁ ଊର୍ଧ୍ବ ପୁଲିସ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସଙ୍କୁ ମୁତୟନ କରାଯାଇଛି। ଡିସିପି ଉମାଶଙ୍କର ଦାଶ ସମସ୍ତ ଟିମ୍ର ମୁଖ୍ୟ ଏବଂ ଅଧିକାରୀଙ୍କୁ ନେଇ ଆଜି ଏକ ବୈଠକରେ ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ।

Related Posts

Seo wordpress plugin by www.seowizard.org.