Odisha News

ବୌଦ୍ଧ : ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ମେଗା ରକ୍ତଦାନ ଶିବିର, ୧୦୧ ୟୁନିଟ ରକ୍ତ ସଂଗୃହୀତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୩/୪:ଆଜି ଉତ୍କଳ ଦିବସ ଅବସରରେ ବୌଦ୍ଧ ଜିଲ୍ଲା କ୍ରିକେଟ୍ ଆସୋସିଏସନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧସହର ସ୍ଥିତ ସେଣ୍ଟ୍ ଜାଭିୟର୍ସ ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ ।
ଜିଲ୍ଲା କ୍ରିକେଟ୍ ଆସୋସିଏସନ ସମ୍ପାଦକ ଯୁଗଳ କିଶୋର ସାମଲ, ଉପସଭାପତି ଲମ୍ବୋଦର ପୁରୋହିତ, କୋଷାଧ୍ୟକ୍ଷ ଭବେଶ କୁମାର ଯୋଶୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ରକ୍ତଦାତା ଓ ବିଭିନ୍ନ ଅନୁଷ୍ଠାନର ଯୁବ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରିଥିଲେ ।
ଶତାଧିକ ଥର ରକ୍ତଦାନ କରିସାରିଥିବା ଜୟ ନାରାୟଣ ମହାନ୍ତି, ସଞ୍ଜୟ କୁମାର ପଣ୍ଡା, ଦେବାଶିଷ ପୁରୋହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଡାକ୍ତର ବିଜୟ କୁମାର ଦାସ, ଡାକ୍ତର ହେମ୍ବ୍ରମ, ଟେକନିସିଆନ ଚତୁର୍ଭୁଜ ବାରିକ, ଦେବଦତ କିସାନ ସହିତ ଓଡିଶା ବ୍ଲଡ଼ ସେଂଟରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୧୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସେଂଟ ଜାଭିୟର୍ସ ପବ୍ଲିକ ସ୍କୁଲର ଜୁନିଅର ରେଡକ୍ରସ ଏବଂ ସ୍କାଉଟ ଗାଇଡର ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାସେବୀ ଭାବେ ଶିବିରରେ ସହଯୋଗ କରିଥିଲେ । ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଏବଂ ଗ୍ରୀଷ୍ମ ପ୍ରବାହକୁ ଗୁରୁତ୍ୱ ପ୍ରଦାନ କରି ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଆୟୋଜକ ମାନଙ୍କୁ ପ୍ରଶଂସା କରାଯାଇଛି ।
ଏହି ମେଗା ରକ୍ତଦାନ ଶିବିରକୁ ସଫଳ କରାଇବାରେ ଜିଲ୍ଲା କ୍ରିକେଟ ଆସୋସିଏସନର ସଦସ୍ୟଗଣ, ସେଂଟ ଜାଭିୟର୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ସସ୍ମିତା ସେନାପତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀମାନେ ଓ ଜିଲ୍ଲା କ୍ରିକେଟ ଆସୋସିଏସନର ଯୁଗ୍ମ ସଂପାଦକ ପ୍ରଦୀପ କୁମାର ଦାଶ , କାର୍ଯ୍ୟକାରୀ କମିଟି ସଦସ୍ୟ ଦିବ୍ୟଶଙ୍କର ରାଉତ ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
ବନ କର୍ମଚାରୀଙ୍କୁ ଗୁଳି ମାଡ ଘଟଣା: ଓଡିଶା ଅଣଗେଜେଟେଡ ବନ ସେବା ସଂଘ ବୌଦ୍ଧଶାଖାର ଜରୁରୀ ବୈଠକ,କାର୍ଯ୍ୟାନୁଷ୍ଠାନ ନହେଲେ ଆସନ୍ତା ୧୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ବୌଦ୍ଧ, ୩/୩: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ଖଲିଆପାଲି ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗ ଗାଡି ଉପରକୁ ଗୁଳିମାଡ କରାଯାଇଥିଲା । ଏହି ଗାଡିରେ ଏସିଏଫଙ୍କ ସମେତ ଆଠ ଜଣ ବସିଥିଲେ । ଏହି ଗୁଳିମାଡରେ ଦୁଇଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ଚାରିଦିନ ହୋଇଥିଲେ ମଧ୍ୟ ପୁଲିସ ଘଟଣାର ପର୍ଦ୍ଦାଫାସ କରିପାରିନାହିଁ ।
ପୁଲିସ ଏହି ଘଟଣାରେ ଅନ୍ଧାରରେ ବାଡି ବୁଲାଉଛି । ଏହି ଘଟଣାକୁ ନେଇ ଓଡିଶା ଅଣଗେଜେଟେଡ ବନ ସେବା ସଂଘ ବୌଦ୍ଧ ଶାଖା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଏକ ଜରୁରୀ ବୈଠକ ଶାଖା ସଭାପତି ପ୍ରଶନ୍ନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ଅଣଗେଜେଟେଡ ବନ ସେବା ସଂଘର ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ର ଯୋଗଦେଇ ଘଟଣାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଘଟଣାର ଦୃଢ ତଦନ୍ତ ଦାବି କରିବା ସହ ତିନି ଗୋଟି ପ୍ରସ୍ତାବ ଦାବି କରିଥିଲେ । ଦାବି ଗୁଡିକ ମଧ୍ୟରେ ଗତ ୨୮.୩.୨୩ ତାରିଖରେ ଏସିଏଫ ଆଶିଷ କହଁର ଓ ଅନ୍ୟବନ କର୍ମଚାରୀମାନେ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖଲିଆପାଲି ଛକରେ ଯେଉଁ ଭଳି ଭାବରେ ଫାଇରିଙ୍ଗ କରାଗଲା ତାହାକୁ ସଂଘ ପକ୍ଷରୁ ଦୃଢ ନିନ୍ଦା କରିବା ସହିତ ସଂପୃକ୍ତ ଦେଷୀମାନଙ୍କୁ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଘଟଣାସ୍ଥଳରୁ ମିଳିଥିବା ୭.୬୨ ଗୁଳିର ଯେଉଁ ଖୋକା ମିଳିଛି ।
ତାହା ପୁଲିସ ପାରାମିଲିଟାରୀ କିମ୍ବା ଆତଙ୍କବାଦୀ ମାନେ ବ୍ୟବହାର କରିପାରନ୍ତି । କିନ୍ତୁ ଯେଉଁ ଗୁଜବ ହେଉଛି ଗଂଜେଇ ମାଫିଆ, ଜଙ୍ଗଲ ମାଫିଆ ମାନେ ଏଭଳି ଗୁଳିକାଣ୍ଡ ଘଟାଇଛନ୍ତି ତାହା ଅସମ୍ଭବ ମନେ ହେଉଛି । ଘଟଣା ଘଟିବାର ୧୫ ମିନିଟ ପୂର୍ବରୁ ଏକ ବଜାଜ ପଲସର ଓ ଟିଭିଏସ ଆପାଚି ବାଇକରେ ସାଧା ପୋଷାକ ବନ୍ଧୁକ ଧାରୀ ୪ ଜଣ ପୁଲିସ ଖଜୁରୀପଡା ସେସ୍କନ ବନ କର୍ମଚାରୀଙ୍କୁ ପଚାରୀ କଥା ହୋଇ ଖଲିଆପାଲି ଛକ ଆଡକୁ ଯାଇଥିଲେ । ଏଣୁ ପରିପାଶ୍ୱିର୍କ ପରିସ୍ଥିତି ଦେଖି ସନ୍ଦେହ ହେଉଛି ଉକ୍ତ ୪ ଜଣ ପୁଲିସ ଏହି ଗୁଳିକାଣ୍ଡ ଘଟାଇ ଥାଇ ପାରନ୍ତି । ତେଣୁ ଏହାର ତଦନ୍ତ ଦାବି କରାଯାଇଥିଲା ।
ଯେଉଁ ଗୁଳିର ଖୋକା ମିଳିଛି ତାର ନମ୍ବର ଓ ତାହା କୌଣସି ପୁଲିସକୁ ଦିଆଯାଇଥିଲା କି । ତାହାର ବାଲଷ୍ଟିକ ପରୀକ୍ଷା କରାଯାଉ । ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେହିପରି ବୌଦ୍ଧ ଡିଭିଜନରେ ଶିକାରୀ ଓ ଜଙ୍ଗଲ ଗୋରଙ୍କ ଦୌରାତ୍ମ ବଢିବାରେ ଲାଗିଥିବାରୁ ତାକୁ ଦମନ କରିବା ପାଇଁ ଡିଭିଜନ ମୋବାଇଲ ସ୍କାର୍ଡଙ୍କୁ ସକ୍ରିୟ କରାଯାଉ । ପେଟ୍ରୋଲିଙ୍ଗ ପାଇଁ ଅଧିକ କର୍ମଚାରୀ ସୁରକ୍ଷାରେ ଯିବା ନିମନ୍ତେ ସାଂଜୁଆ ବ୍ୟବସ୍ଥିତ ୦୨ ଗୋଟି ୪୦୭ ଟ୍ରକ ବ୍ୟବସ୍ଥା କରାଯାଉ । ୪୫ ବର୍ଷରୁ କମ ବୟସର ଯୁବ କର୍ମଚାରୀଙ୍କୁ ଟିମରେ ସାମିଲ କରାଯାଉ ଓ ଅନ୍ତତଃ ୦୨ ଗୋଟି ରିଭଲର ଯୋଗାଇ ଦିଆଯାଉ ଆଦି ଉପରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ପ୍ରସ୍ତାବ ଆଗାମୀ ୧୦ ଦିନ ମଧ୍ୟରେ ଉପରୋକ୍ତ ତିନି ଗୋଟି ଦାବି ସଂପର୍କରେ ସରକାର, ବନ ପ୍ରଶାସନ ଓ ପୁଲିସ ପ୍ରଶାସନ ଯଦି ଉପଯୁକ୍ତ ପ୍ରତିକାର କରିବେ ନାହିଁ । ତେବେ ଆସନ୍ତା ୧୧.୪.୨୩ ତାରିଖ ଠାରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ବୌଦ୍ଧ ଜୋନର କୌଣସି ଫରେଷ୍ଟ ଗାର୍ଡ, ଫରେଷ୍ଟର, ବା ଡେପୁଟି ରେଂଜର ବୌଦ୍ଧଜିଲ୍ଲାରେ କାର୍ଯ୍ୟ କରିବେ ନାହିଁ କିମ୍ବ ଜଙ୍ଗଲ ଅପରାଧ ଧୃଢ କରିବେ ନାହିଁ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବୈଠକରେ ସଂପାଦକ ସୁବ୍ରତ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତଥିଲେ ।
ବୌଦ୍ଧ ରାମଲୀଳାରେ ମହାଆଡମ୍ବରରେ ପାଳନ ହେଲା ରାମସୀତାଙ୍କ ବିବାହ ଉତ୍ସବ
ବୌଦ୍ଧ,୩/୪: ବୌଦ୍ଧର ପ୍ରସିଦ୍ଧ ଗଣପର୍ବ ରାମଲୀଳା ଉତ୍ସବ ତୃତୀୟ ଦିବସରେ ମହାଆଡମ୍ବରରେ ପାଳନ ହୋଇଛି ରାମସୀତାଙ୍କ ବିବାହ ଉତ୍ସବ । ରଘୁନାଥଜିଉ ମନ୍ଦିରଠାରୁ ଘଣ୍ଟବାଦ୍ୟ ସହିତ ଏକ ବିରାଟ ପଟୁଆରେ ଶ୍ରୀରାମଚନ୍ଦ୍ରଙ୍କ ବରଯାତ୍ରୀ ପଟୁଆର ବାହାରି ସହର ପରିକ୍ରମା କରିବା ପରେ ବୁଟୁପାଲିଠାରେ ପହଞ୍ଚିଥିଲା । ବୌଦ୍ଧ ସହରର ବୁଟୁପାଲିକୁ ଜନକ ପୁରୀ ଭାବରେ ସୁସଜ୍ଜିତ କରାଯାଇ ମୁକ୍ତ ରଙ୍ଗମଞ୍ଚ ରେ ହଜାର ହଜାରଙ୍କ ଶ୍ରଦ୍ଧାଳୁଙ୍କ ଗହଣରେ ସୀତା ସ୍ୱୟମ୍ବର କରାଯାଇଥିଲା । ଶ୍ରୀରାମଙ୍କ ଦ୍ୱାରା ଶିବଧନୁ ଭଙ୍ଗ ପରେ ରିତିନିତୀରେ ରାମସୀତାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ବୁଟୁପାଲି ଗ୍ରାମବାସୀମାନେ ଶ୍ରଦ୍ଧାର ସହିତ ଶ୍ରୀରାମଙ୍କ ବରଯାତ୍ରୀରେ ସାମିଲ ହୋଇଥିବା ଭକ୍ତମାନଙ୍କୁ ପ୍ରସାଦ ସେବନ କରାଇବା ସହିତ ଧୁମଧାମରେ ବିବାହ ଉତ୍ସବ ପାଳନ କରି ଭଗବାନ ଶ୍ରୀରାମ ମାତା ସୀତାଙ୍କୁ ବିଦାୟ ଦେଇଥିଲେ । ସେଠାରୁ ଶୋଭାଯାତ୍ରାରେ ଶ୍ରୀରାମସୀତାଙ୍କୁ ରାମଲୀଳା ପଡିଆକୁ ଅଣାଯିବାପରେ ମାରୁତୀ ମଣ୍ଡପଠାରେ ରାମ ବନବାସ ପର୍ଯ୍ୟନ୍ତ ନାଟକ ମଞ୍ଚସ୍ଥ ହୋଇଥିଲା ।
ସକାଳେ ଶ୍ରୀରାମ ଅଯୋଧ୍ୟାର ରାଜା ହେବାକୁଥିବାବେଳେ ଦଶରଥଙ୍କୁ କୈକେୟୀଙ୍କ ପୂର୍ବରୁ ପାଇଥିବା ବର ଅନୁଯାୟୀ ଭରତଙ୍କୁ ଅଯୋଧ୍ୟାର ରାଜା ଓ ଶ୍ରୀରାମଙ୍କୁ ୧୪ବର୍ଷ ବନବାସ ଯିବାକୁ ମାଗିଥିଲେ । ପିତୃସତ୍ୟ ପାଳନ କରିବା ପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପତ୍ନୀ ସୀତା ଓ ସାନଭାଇ ଲକ୍ଷ୍ମଣଙ୍କୁ ନେଇ ୧୪ବର୍ଷ ପାଇଁ ବନ ଗମନ କରିଥିଲେ । ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ନାଟକକୁ ଭବାନୀ ଶଙ୍କର ମହାପାତ୍ର ଚମତ୍କାର ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଭାବରେ ତୁଷାରକାନ୍ତ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଥିଲେ ।
ନାଟକରେ ଶ୍ରୀରାମ ଚରିତ୍ରରେ ମାନସ ମିଶ୍ର,ଲକ୍ଷ୍ମଣ ମନୋରଞ୍ଜନ ମିଶ୍ର,ବିଶ୍ୱାମିତ୍ର ସୁରେଶନ ମିଶ୍ର,ସୀତା ବାବୁଲି ବେହେରା,ଜନକ ଅଶ୍ୱନୀ ବିଶି ଓ ପର୍ଶୁରାମ ଚରିତ୍ରରେ ସତ୍ୟଜିତ ମିଶ୍ର ଅଭିନୟ କରିଥିଲେ । ଅନୁଷ୍ଠାନର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ,କାର୍ଯ୍ୟକାରୀ ସଭାପତି ଜୟନାରାୟଣ ମହାନ୍ତି ଓ ସଂପାଦକ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠାନର ବ୍ରତୀ କଳାକାରମାନେ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶା ଦିବସ ପାଳିତ
ବୌଦ୍ଧ,୩/୪: ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶା ଦିବସ ଉତ୍ସବ ବୌଦ୍ଧ ଖଲିଆବଗିଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ଆଜୀବନ ସଦସ୍ୟ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଯୋଗଦେଇ ବର୍ତମାନ ସମୟରେ ଓଡିଆ ଭାଷାର ସଙ୍କଟ ଓ ତାହାର ନିରାକରଣ ଉପରେ ବକ୍ତବ୍ୟ ରଖିଥିଲେ ।
ମୁଖ୍ୟବକ୍ତା ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଇଂ.ସଂଜୟ କୁମାର ପଣ୍ଡା ଶାରଳା ଯୁଗରୁ ଆରମ୍ଭ କରି ଓଡ଼ିଆ ଭାଷା ବଞ୍ଚାଅ ଆନ୍ଦୋଳନ ପର୍ଯ୍ୟନ୍ତ ସମୃଦ୍ଧ ଓଡ଼ିଶାର ଭାଷା ଆନ୍ଦୋଳନର ଏକ ସୁନ୍ଦର ବ୍ୟାଖ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଅଜିତ କୁମାର ସାହୁ,ଚନ୍ଦ୍ରକାନ୍ତ ନାୟକ ଓଡ଼ିଆ ଭାଷାର ବିକାଶ ପାଇଁ ବକ୍ତବ୍ୟ ପ୍ର୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଗୀତାରାଣୀ ପଣ୍ଡା,ଆରତୀ ମିଶ୍ର,ସନ୍ଧ୍ୟାରାଣୀ ମିଶ୍ର,ଅପର୍ଣ୍ଣା ମହାନ୍ତି ଓ ଶିକ୍ଷକ ସୁବାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଜାତୀୟ ତାଇକୋଣ୍ଡୁ ପ୍ରତିଯୋଗୀତାରେ ବୈାଦ୍ଧ ପ୍ରତିଯୋଗୀଙ୍କ ସଫଳତା
ବୌଦ୍ଧ,୦୨/୦୪: ଜାତୀୟ ତାଇକୋଣ୍ଡୁ ଚମ୍ପିୟାନଶିପ୍ ରାଜସ୍ଥାନସ୍ଥିତ କୋଟା ଠାରେ ଗତ ୨୮ ତାରିଖ ଠାରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଜାତୀୟ ସ୍ତରୀୟ ୩୬ ତମ ସବ୍‌ଜୁନିୟର କ୍ୟୁରୋଗୀ (ଫାଇଟ୍ ) ଓ ଦଶମ ସବ୍‌ଜୁନିୟର ପୁମସେଇ ଏବଂ ପଞ୍ଚମ କ୍ୟାଡେଟ୍ କ୍ୟୁରୋଗୀ ଓ ପୁମସେଇ ପ୍ରତିଯୋଗୀତାରେ ବୈାଦ୍ଧ ତାଇକୋଣ୍ଡୁ ସଂଘ ତରଫରୁ ୬ ଜଣ ପ୍ରତିଯୋଗୀ କୋଚ୍ ଅଞ୍ଜିତ୍ କୁମାର ସାହୁଙ୍କ ତତ୍ୱବଧାନରେ ଅଂଶ ଗ୍ରହଣ କରିଥିଲେ । ବାଳକ କ୍ୟାଡେଟ୍ ଗୃପ୍ ପୁମସେଇ ବିଭାଗରେ ଶୁଭାଶିଷ ମହୀଶାଳ, ଅସ୍ମିତ କୁମାର ସାହୁ ଓ ସ୍ୱାଗତ ମିର୍ଦ୍ଧା ଏବଂ ବାଳିକା କ୍ୟାଡେଟ ଗୃପ୍ ପୁମସେଇ ବିଭାଗରେ ଅନ୍ୱେଷା ସାହୁ , ସାଧନା ରାଣୀ ଜେନା ଓ ଚନ୍ଦ୍ରପୂଜିତା ମିଶ୍ର ଭାଗନେଇ ୬ ଟି କାଂସ୍ୟ ପଦକ ହାସଲ କରିବା ସହିତ ଜିଲ୍ଲା ତଥା ରାଜ୍ୟ ପାଇଁ ଗୈାରବ ଆଣି ଦେଇଛନ୍ତି । ଏହି ଅବସରରେ ବୈାଦ୍ଧ ଜିଲ୍ଲାର ତାଇକୋଣ୍ଡୁ ଖେଳାଳିଙ୍କ ଅଭୁତପୂର୍ବ ସଫଳତା ନିମନ୍ତେ ସଭାପତି ଯଜେ୍ଞଶ୍ୱର ମିଶ୍ରଙ୍କ ସମେତ ଓଡ଼ିଶା ତାଇକୋଣ୍ଡୁ ସଂଘର ସମ୍ପାଦକ ମନମୋହନ ଭଞ୍ଜ କୃତି ଖେଳାଳି ମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ରାଜ୍ୟ ସ୍ଥରୀୟ ଓ ଜାତୀୟ ସ୍ତରୀୟ ତାଇକୋଣ୍ଡୁ ପ୍ରତିଯୋଗୀତାରେ ବୈାଦ୍ଧର ଖେଳାଳି ମାନଙ୍କ ସଫଳତା ସକାଶେ ବୈାଦ୍ଧ କ୍ରୀଡାପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।
ବୌଦ୍ଧ ବନ କର୍ମଚାରୀଙ୍କୁ ଗୁଳିକାଣ୍ଡ ଘଟଣା :ଦୁଇ ସନ୍ଦିଗ୍ଧ ପୁଲିସ କର୍ମଚାରୀଙ୍କ ନାମରେ ଥାନାରେ ଅଭିଯୋଗ କଲେ ବନ କର୍ମଚାରୀ
ବୌଦ୍ଧ,୩/୪: ବନ ବିଭାଗର ପାଟ୍ରୋଲିଂ ବେଳେ ଖଲିଆପାଲି ଛକ ଠାରେ ବନ ବିଭାଗ ଗାଡି ଉପରକୁ ଗୁଳିଚାଳନା ମାମଲାରେ ଦୁଇ ପୁଲିସ କର୍ମଚାରୀଙ୍କ ନାମରେ ଜଣେ ବନ କର୍ମଚାରୀ ବୌଦ୍ଧଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ବନସେବା ସଂଘ ପକ୍ଷରୁ ଦୃଢତାର ସହିତ ଗୁଳିକାଣ୍ଡ ଘଟଣାରେ ପୁଲିସ ସଂପୃକ୍ତ ଥିବା ଅଭିଯୋଗ କରାଯାଉଥିବା ବେଳେ ବନ କର୍ମଚାରୀଙ୍କ ପକ୍ଷରୁ ଦୁଇଜଣ ପୁଲିସ କର୍ମଚାରୀ କୁଶଳ ପ୍ରଧାନ ଓ ହରିଶ୍ଚନ୍ଦ୍ର ସାହୁଙ୍କ ନାମରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ତେବେ ଅଜଣା ଦୁର୍ବୃତଙ୍କ ଦ୍ୱାରା ବନ ବିଭାଗର ପାଟ୍ରୋଲିଂ ଗାଡି ଉପରକୁ ଗୁଳିକାଣ୍ଡ ହୋଇଥିବା ସହକାରୀ ବନ ସଂରକ୍ଷକଙ୍କ ରିପୋର୍ଟ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ବନ କର୍ମଚାରୀଙ୍କ ଦ୍ୱାରା ଦୁଇ ପୁଲିସ କର୍ମଚାରୀଙ୍କ ନାମରେ ଅଭିଯୋଗ ସଂପର୍କରେ ମଧ୍ୟ ତଦନ୍ତ କରାଯିବ ବୋଲି ଥାନା ଅଧିକାରୀ ମାଧବାନନ୍ଦ ନାଏକ ସୂଚନା ପ୍ରଦାନ କରିଛନ୍ତି ।
ବାମଣ୍ଡା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଅଭିଭାବକ ବୈଠକ
ବୌଦ୍ଧ ,୩/୪ : ବାମଣ୍ଡା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଅଭିଭାବକ ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲା ଶିକ୍ଷାଶିକାରୀ ଘନଶ୍ୟାମ ମେହେର ମୂଖ୍ୟ ଅତିଥି ରୂପେ ଯୋଗଦେଇ ଏହି ବୈଠକର ଆଭିମୂଖ୍ୟ ସମ୍ପର୍କରେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ । ବୈଠକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କର ସମାପ୍ତି ସୂଚକ ଆକଳନ ଫଳ ସେମାନଙ୍କର ଅଭିଭାବକ ମାନଙ୍କ ସହ ପୁଙ୍ଖାନପୁଙ୍ଖ ଆଲୋଚନା କରାଯାଇଥିଲା । ଉତ୍ତୀର୍ଣ୍ଣ ହୋଇଥିବା ଶିକ୍ଷାର୍ଥୀ ମାନଙ୍କୁ ମେହେର ନିଜ କରକମଳରେ ପୁସ୍ତକ ବିତରଣ କରିଥିଲେ। ପରିଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ ।

Related Posts

Seo wordpress plugin by www.seowizard.org.