Odisha News

ବିଜେପୁରରେ ପ୍ରଚାର ସମୟରେ ଆହୁରି ହିଂସ୍ର ହୋଇପଡିଛି ଶାସକ ବିଜେଡି : ବିଜେପି

ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ
ଭୁବନେଶ୍ୱର,୧୯ ।୨(ସରୋଜ ବେହେରା):ବିଜେପୁର ଉପ ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି, ଅସହିଷ୍ଣୁ ହୋଇ ପଡିଥିବା ଶାସକ ବିଜେଡି ଦିନକୁ ଦିନ ସେତିକି ଅଧିକ ମାତ୍ରାରେ ହ୍ରିଂସ ହେବାରେ ଲାଗିଛି ।
ଆସନ୍ତା ୨୪ ତାରିଖରେ ବିଜେପୁର ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହାକୁ ଆଖି ଆଗରେ ରଖି ପ୍ରତ୍ୟେକ ଦଳ ନିଜ ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ହିଂସା ପନ୍ଥା ଆପଣାଇଥିବା ଶାସକ ବିଜେଡି ପ୍ରଚାର ସମୟରେ ଆହୁରି ହ୍ରିଂସ ହୋଇ ପଡିଛି ।
ସରକାରୀ କଳ, ବାହୁ ବଳ ଏବଂ ଅର୍ଥର ପ୍ରଲୋଭନ ଦେଖାଇ ଶାସକ ବିଜେଡି ଏହି ଉପ ନିର୍ବାଚନକୁ ଜିତିବା ପାଇଁ ପ୍ରାଣ ପ୍ରଣେ ଚେଷ୍ଟା କରୁଛି ବୋଲି ଭାରତୀୟ ଜନତା ପାର୍ଟି ଆଜି ପୁଣି ଥରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଛି ।
ନିର୍ବାଚନ ପ୍ରଚାର ସମୟରେ ଶାସକ ବିଜେଡି ହିଂସା ଆଚରଣ କରିବା ସହ ବାରମ୍ବାର ବିଜେପି କାର୍ଯ୍ୟକର୍ତା ଏବଂ ସମର୍ଥକମାନଙ୍କୁ ଆକ୍ରମଣ କରିଚାଲିଛନ୍ତି । ଶାସକ ଦଳର ବେନିୟମ କାର୍ଯ୍ୟର ତଦାରଖ କେବଳ କଡା ସୁରକ୍ଷା ଏବଂ ସିସିଟିଭି ଦ୍ୱାରା ସମ୍ଭବ ହୋଇପାରିବ ।
କେବଳ ସେତିକି ନୁହେଁ ଶେଷ ମୂହୁର୍ତରେ ଭୋଟରମାନଙ୍କୁ ଡରେଇବା, ଧମକାଇବା, ଆକ୍ରମଣ କରିବା ସହ ନିଜ ସପକ୍ଷକୁ ଭୋଟରମାନଙ୍କୁ ନେବା ପାଇଁ ଲାଂଚ ଦେବା ଆଦି କାର୍ଯ୍ୟ ଧରାପଡିବ । ଆବଶ୍ୟକ ପଡିଲେ ସିସିଟିିଭି ଦ୍ୱାରା ରେକର୍ଡ ହୋଇଥିବା ସମସ୍ତ ରେକର୍ଡିଂ କ୍ଲିପକୁ ପରେ ସମୀକ୍ଷା ମଧ୍ୟ କରାଯାଇପାରିବ ବୋଲି ବିଜେପି ପ୍ରତିନିଧି ଦଳ ଆୟୋଗଙ୍କ ପାଖରେ ଦାବୀ କରିଛି ।
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପୁର ବ୍ଲକ ପଡାଗାଁରେ ବିଜେପି କାର୍ଯ୍ୟକର୍ତା ମନୋରଂଜନ ମେହେରଙ୍କ ବାସଭବନ ଉପରେ ଗୁଳିମାଡ, ନିର୍ବାଚନ ପ୍ରଚାର ସମୟରେ ଗାଇସିଲେଟ ବ୍ଲକର ଜନକେଡା ଗ୍ରାମର ବିଜେପି କାର୍ଯ୍ୟକର୍ତା ସୁବାଷ ସାହୁ ଏବଂ ତାଙ୍କର ୧୫ ବର୍ଷିଆ ନାବାଳିକା ଝିଅ ସହ ଦୁର୍ବବ୍ୟହାର ପ୍ରଦର୍ଶନ କରାଯିବା ଆଦି ଘଟଣା ଶାସକ ବିଜେଡିର ହିଂସାତ୍ମକ ମନୋଭାବକୁ ସ୍ପଷ୍ଟ ଦର୍ଶାଉଛି ।
ଏହି ପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଏବଂ ଗୋଟିଏ ଏନଏସିରେ ଥିବା ସମ୍ବେଦନଶୀଳ ବୁଥ୍ ଗୁଡିକର ଏକ ତାଲିକା ବିଜେପି ତରଫରୁ ପ୍ରସ୍ତୁତ କରାଯାଇ ଆୟୋଗଙ୍କୁ ପ୍ରଦାନ କରାଯାଇଛି । ଏହା ସହ ଏକ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲାଗି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ନିର୍ବାଚନ ଆୟୋଗଙ୍କ ପାଖରେ ଦାବୀ କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ସଂପାଦକ ଶିଶିର ଗମାଙ୍ଗୋ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଶାନ୍ତ ସ୍ୱାଇଁ, ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.