Odisha News

ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

ଭୁବନେଶ୍ବର/କଟକ, ୨୨/୩: କଟକ ସାଂସଦ ଭର୍ତ୍ତୃହରି ମହତାବ୍ ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି) ଛାଡ଼ିଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏଥି ସହିତ ଶ୍ରୀ ମହତାବ୍ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଶ୍ରୀ ମହତାବ୍ ଏହି ସୂଚନା ଦେଇଛନ୍ତି। ତେବେ ଶ୍ରୀ ମହତାବ୍ କେଉଁ ଦଳରେ ଯୋଗଦେବେ ସେନେଇ ଘୋଷଣା କରିନାହାନ୍ତି।
ଦଳ ଛାଡ଼ିବା ଅବସରରେ ଶ୍ରୀ ମହତାବ୍ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମୋର ଅଭିଜ୍ଞତା ଅନୁସାରେ ୧୭ତମ ଲୋକସଭାରେ ସାଂସଦ ଭାବେ ବିଜେଡିର ପ୍ରତିନିଧି ଭାବେ ଠିକ୍ ଭାବେ ଦଳପାଇଁ କାମ କରିଛି। ନିକଟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। କିନ୍ତୁ ଏହି ସମୟରେ ବିଜେଡି ପାଖରୁ ଦୂରେଇ ରହୁଛି। ଏହାର କାରଣ ଓ ଉତ୍ତର ହେଲା ବିଜେଡିରେ ବହୁ ପରିବର୍ତ୍ତନ ହୋଇସାରିଛି। ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ବିଜେଡି ଗଠନ ହୋଇଥିଲା। ୮୦ରୁ ୯୦ ଦଶକରେ ଯେଉଁ ଭଲ କାମ ହେଉଥିଲା, ସେଥି ପାଇଁ ଓଡ଼ିଶାବାସୀ ବିଜେଡିକୁ ସମର୍ଥନ ଦେଉଥିଲେ।
କିନ୍ତୁ ବିଗତ କିଛି ବର୍ଷରେ ଦଳର ସଂଚାଳନା ଓ ପରିଚାଳନା ଯେଉଁଭଳି ଭାବେ ଚାଲିଛି, ସେବାବଦରେ ବହୁ ଥର କହିଛି। କିନ୍ତୁ ତାହା ସଫଳ ହେଲା ନାହିଁ। ତେଣୁ ଦଳ ଠାରୁ ଦୂରେଇ ଗଲେ ଅଧିକ ପ୍ରଖର ଭାବେ କାମ କରିପାରିବି।
ସାମ୍ବାଦିକତା ଓ ରାଜନୀତିରେ ଭଲ ଦକ୍ଷତା ରଖିଥିବା ଶ୍ରୀ ମହତାବ୍ କହିଛନ୍ତି, ବିଜେଡିରେ ମୋର ଅନୁଭବକୁ ପ୍ରକାଶ କରିବା ପାଇଁ ବାଧା ଦିଆଯାଉ ଥିଲା। ଯଦି କିଛି କହୁଥିଲି, ତାକୁ ସମାଲୋଚନା କରାଯାଉଥିଲା। ତେଣୁ ଦଳରୁ ଦୂରେଇ ଯିବାର ଭଲ ବୋଲି ଚିନ୍ତା କଲି। ତେଣୁ ବିଜେଡିରୁ ମୁଁ ଇସ୍ତଫା ଦେଇଛି। ଦଳକୁ ସଂଶୋଧନ କରିବା ପାଇଁ ବହୁ ଉଦ୍ୟମ କରିଛି। କିନ୍ତୁ କିଛି ଲାଭ ହେଲା ନାହିଁ। ଆଉ ଗୋଟେ କଥା ହେଲା ଯେ, ଧୈର‌୍ୟ୍ୟର ଏକ ସୀମା ରହିଥାଏ। କିନ୍ତୁ ମୋ ପାଇଁ ଏହି ସୀମା ଅତିକ୍ରାନ୍ତ କରିଯାଇଛି।
ସୂଚନାଯୋଗ୍ୟ ୬୭ ବର୍ଷୀୟ ଭର୍ତ୍ତୃହରି ମହତାବ୍ କଟକରୁ ପ୍ରଥମ ଥର ପାଇଁ ୧୯୯୮ରେ ସାଂସଦ ହୋଇଥିଲେ। ଏହାର ପର ଠାରୁ ଏପର‌୍ୟ୍ୟନ୍ତ ୬ ଥର ସାଂସଦ ହୋଇଛନ୍ତି। ୨୦୧୭ ମସିହାରେ ସେ ଆଉଟ୍ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରି ଆୱାର୍ଡ ଗ୍ରହଣ କରିଥିଲେ। ସେହିପରି ସେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ରେସ ସଂସଦ ରତ୍ନ ପୁରସ୍କାର ଗ୍ରହଣ କରିଥିଲେ।

Related Posts

Seo wordpress plugin by www.seowizard.org.