Odisha News

ବାଲିଘାଟ ବୋମାମାଡ ଘଟଣାରେ ଏସଆଇ ସସପେଣ୍ଡ୍, କାର୍ଯ୍ୟରେ ଅବହେଳା ଲାଗି କାର୍ଯ୍ୟାନୁଷ୍ଠାନ

ଯାଜପୁର,୨୫/୩: ବଗମରା ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣାରେ ବିଂଝାରପୁର ଥାନା ଏସଆଇ କଣ୍ଡୁରି ଚରଣ ଦାସଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। କର୍ତ୍ତବ୍ୟରେ ଅବହେଳା ଯୋଗୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଧୀନ ଫତେପୁର ପଞ୍ଚାୟତର ମନେଇ ବାଲିଘାଟ (ଖରସ୍ରୋତା ନଦୀ)ର ଲିଜଧାରୀ ସୁରେନ୍ଦ୍ର ଦାଶ(୪୭)ଙ୍କର ବୋମାମାଡ଼ରେ ମୃତ୍ୟୁ ହୋଇଛି।
ତାଙ୍କ ଘର କଲ୍ୟାଣପୁର ଗାଁରେ। ସୁରେନ୍ଦ୍ରଙ୍କୁ ଏକାକୀ ବାଲିଘାଟରେ ପାଇ ଟେରା ମଲ୍ଲିକ ୨/୩ଟି ବୋମାମାଡ଼ କରିଥିବାର ଅଭିଯୋଗ ହୋଇଥିଲା।
ଏଥିରେ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସରେ ବିଂଝାରପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସୁରେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୁରେନ୍ଦ୍ରଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।
ପ୍ରକାଶ ଥାଉକି ବିଂଝାରପୁର ତହସିଲ ପକ୍ଷରୁ ଖରସ୍ରୋତା ନଦୀର ମନେଇ ବାଲିଘାଟ ଦୀର୍ଘ ଦିନ ପରେ ନିଲାମ କରାଯାଇଥିଲା। ସୁରେନ୍ଦ୍ର ଓ ଅନ୍ୟ ୩ଜଣ ମିଶି ଏହି ବାଲିଘାଟ ପରିଚାଳନା କରୁଥିଲେ।
ଏହା ନିଲାମ ହେବା ପୂର୍ବରୁ ବହୁ ବର୍ଷ ହେଲା ଟେରା ମଲ୍ଲିକ ଏହି ବେଆଇନ ବାଲିଘାଟକୁ ନିଜ ଦଖଲରେ ରଖିଥିଲେ। ଏପରିକି ବାଲିଘାଟ ସମ୍ମୁଖରେ ଥିବା ବ୍ୟକ୍ତିଗତ ଜମିକୁ ଏଗ୍ରିମେଣ୍ଟ କରି ନିଜ ଦଖଲରେ ରଖିଥିବାରୁ ଏହି ବାଲିଘାଟ ନିଲାମ ହୋଇପାରୁନଥିଲା।
ବିଂଝାରପୁର ତହସିଲଦାର ଅନ୍ୟ ବାଟରେ ଗାଡ଼ି ଚଳାଚଳ କରିବାକୁ ସୁବିଧା କରିବା ପରେ ଚଳିତଥର ଏହି ବାଲିଘାଟ ନିଲାମ ହୋଇଥିଲା। ଏହାକୁ ନେଇ ଟେରା ଓ ସୁରେନ୍ଦ୍ରଙ୍କ ମଧ୍ୟରେ ବିବାଦ ଲାଗିରହିଲା। ଫଳରେ ଗତ ୧୯ତାରିଖରେ ମଧ୍ୟ ସୁରେନ୍ଦ୍ରଙ୍କ ଉପରକୁ ଟେରା ଏକାଧିକ ମୋବା ଫିଙ୍ଗିଥିବାର ନିଜେ ସୁରେନ୍ଦ୍ର ବିଂଝାରପୁର ଥାନାରେ ଏତଲା କରିଥିଲେ।
ମାତ୍ର ପୁଲିସ୍ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଯାହାର ଫଳ ସ୍ବରୂପ ଆଜି ଏଭଳି ସାଂଘାତିକ ଘଟଣା ଘଟିଲା ବୋଲି ମୃତ ସୁରେନ୍ଦ୍ରଙ୍କ ପତ୍ନୀ ନମିତା ଦାଶ ଅଭିଯୋଗ କରିଛନ୍ତି।
ଏଣେ ବିଂଝାରପୁର ବାଲିଘାଟ ବିବାଦ ଓ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଧାରୀ ମଲ୍ଲିକ ଓ ବିଷ୍ଣୁ ମଲ୍ଲିକଙ୍କୁ ଭୁରୁଙ୍ଗା ଗାଁରୁ ପୁଲିସ ଗିରଫ କରିଥିବାର ସୂଚନା ମିଳିଛି।

Related Posts

Seo wordpress plugin by www.seowizard.org.