Odisha News

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୫/୧୨: କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି।
ଶୁକ୍ରବାର ବାଲିଗୁଡା ସହରର ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ବାଲିଗୁଡା ସ୍ଥାନିତ ହୋଇ ଥଣ୍ଡା ସହର ପାଇଁ ଚର୍ଚ୍ଚାରେ ରହିଛି । ବାତ୍ୟା,ବର୍ଷା, ମେଘ ପରେ ଗତ ଦୁଇ ଦିନ ହେଲା ଆକାଶ ନିର୍ମଳ ରହିବା ସହ ଥଣ୍ଡାର ପ୍ରକୋପ ଧୀରେ ଧୀରେ ଅନୁଭୂତ ହେବା ପରେ ଗତ ରାତିରୁ ଥଣ୍ଡା ନିଜ ପ୍ରକୋପ ଦେଖେଇଛି।
ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି। ବାଲିଗୁଡା ସହରର ତାପମାତ୍ରା ଆଜି ୯.୪ ଡିଗ୍ରୀ ଥିବା ବେଳେ ଆଭ୍ୟନ୍ତରୀଣ ପାହାଡ଼ ପର୍ବତ ଘେରା ଗ୍ରାମାଞ୍ଚଳ ରେ ତାପମାତ୍ରା ଆହୁରି ଏକ ଡିଗ୍ରୀ କମ ରହୁଥିବା ସୂଚନା ମିଳିଛି।ଏହାସହ ଗ୍ରାମାଞ୍ଚଳର ରେ ଶୀତ ର ପ୍ରକୋପ ଆହୁରି ଅଧିକ ରହିଛି।ଥଣ୍ଡା ଯୋଗୁଁ ହାତଗୋଡ଼ କାଲ ମାରିବା ସହ ନିଆଁର ସାହାରାରେ ଗ୍ରାମାଞ୍ଚଳ ରେ ଲୋକ ରହୁଥିବା ଦେଖିବାକୁ ମିଳିଛି। ଶୀତବସ୍ତ୍ର କାମରେ ଆସୁ ନ ଥିବା ବେଳେ ଏବେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଇଁ ନିଆଁ ଭରସା ପାଲଟିଛି। ପ୍ରବଳ ଥଣ୍ଡା ଯୋଗୁଁ ସଞ୍ଜ ନଇଁଲେ ସହର ଜନଶୁନ୍ୟ ହେବା ସହ ରାସ୍ତାଘାଟ ଖାଁ ଖାଁ ଲାଗୁଚି। ରାତି ବଢିଲେ କୁହୁଡି ଆରମ୍ଭ ହେବା ସହ ଶୀତ ବଢୁଛି ସକାଳ ସୂର୍ଯ୍ୟ ଉଦୟ ହେବା ପର‌୍ୟ୍ୟନ୍ତ କୁହୁଡି ମୟ ଆକାଶ ରହିଥିବା ଦୃଶ୍ୟ ଦେଖୁବାକୁ ମିଳିଛି।ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଏବଂ ହଠାତ ୧୦ଡିଗ୍ରୀ ତଳକୁ ତାପମାତ୍ରା ଖସିବା ଯୋଗୁଁ ହଠାତ ପ୍ରବଳ ଥଣ୍ଡା ପଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଇପଡିଛନ୍ତି। ଅଞ୍ଚଳରେ ଗରିବ ରେଖାତଳେ ଥିବା ବୃଦ୍ଧାବୃଦ୍ଧଙ୍କୁ ଅଧିକ ଶୀତ କଷ୍ଟ ଦେଉଥିବା ବେଳେ କାମଧନ୍ଦା ପାଇଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ଅପରାହ୍ନ ୪ଟା ପରଠାରୁ ଶୀତ ବୃଦ୍ଧି ପାଇବା ସହ ସକାଳ ୧୦ଟା ପର‌୍ୟ୍ୟନ୍ତ ଶୀତ ଥରାଉଛି। ବାହାରେ କାକର ପଡୁଥିବାରୁ ଜାଡ଼ ଅଧିକ ଅନୁଭୂତ ହେଉଛି। ସ୍ଥାନୀୟ ଲୋକଙ୍କୁ ଶୀତ କଷ୍ଟ ହେଉଥିବା ବେଳେ ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ହାତଯୋଡି ବସିଥିବା ଗରମ ପୋଷାକ ବ୍ୟବସାୟୀ ଥଣ୍ଡା ପଡିବା ପରେ ନିଜ ବ୍ୟବସାୟକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଅପୂର୍ବ ସୌନ୍ଦର୍ଯ୍ୟକୁ ପସନ୍ଦ କରିବା ସହ ଏହାର ପରିବେଶ ଜଙ୍ଗଲ ଆଦି ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି। ଆଗାମୀ ଦିନରେ ପାରଦ ଆହୁରି ତଳକୁ ଖସିବା ସହ ଜାଡ ବଢିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି ।
ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ: ରାଜପଥ ସମ୍ପ୍ରସାରଣ ପାଇଁ ବିଭିନ୍ନ ମହଲରୁ ଦାବୀ
ବାଲିଗୁଡା,୧୫/୧୨: କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ ବାରମ୍ବାର ଭାରୀଯାନ ଅଟକି ଯାଉଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ପ୍ରକାଶ ଯେ, ଏକ ଯନ୍ତ୍ରପାତି ବୋଝେଇ ଟ୍ରକ୍ ୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା।
ତେବେ ଗାଜଲବାଡ଼ି ଘାଟି ବୁଲାଣି ରାସ୍ତାରେ ଟ୍ରକ୍ଟି ବୁଲେଇ ନ ପାରି ସିଧା ଚାଲିଯାଇଥିଲା ଚାଳକର ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରକ୍ଟି ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା। ଏବେ ଟ୍ରକ୍ଟି ଉକ୍ତ ବୁଲାଣି ରାସ୍ତାରେ ନା ଆଗକୁ ନା ପଛକୁ ହୋଇପାରୁଛି ଫଳରେ ଅଟକି ରହିଛି। ଉକ୍ତ ଘାଟି ରାସ୍ତାରେ ଏକାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି।
ଖବର ପାଇ ସୋରଡ଼ା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘାଟିରେ ଫସି ରହିଥିବା ଟ୍ରକ୍ଟିକୁ ହଟେଇବାକୁ ଚେଷ୍ଟା କରୁଛନ୍ତି। ପ୍ରକାଶ ଯେ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ଉଭୟ କନ୍ଧମାଳ ଓ ଗଞ୍ଜାମର ଘାଟି ରାସ୍ତା ଆରମ୍ଭ ପୂର୍ବରୁ ଭାରୀଯାନ ଉକ୍ତ ରାସ୍ତା ଦେଇ ଯାତାୟାତ ପାଇଁ ବାରଣ କରାଯାଇ ସାଇନ୍ବୋର୍ଡରେ ଉଲ୍ଲେଖ କରାଯାଇଥିଲେ ସୁଦ୍ଧା ଭାରୀଯାନଗୁଡ଼ିକ ଅମାନିଆ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଏଥିପ୍ରତି ବିଭାଗ ଦ୍ୱାରା କଟକଣା ବୃଦ୍ଧି କରାଯାଉ କିମ୍ବା ଶୀଘ୍ର ରାଜପଥ ସମ୍ପ୍ରସାରଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏନେଇ ବାରମ୍ବାର ଜାତୀୟ ରାଜପଥ ବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗ ନୀରବ ରହୁଛି। ଆଗାମୀ ଦିନରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଓ ସୋରଡ଼ା ବିଧାୟକଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଇଛି।
କେନ୍ଦ୍ର ସରକାର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିକୁ ସମ୍ପ୍ରସାରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରାଯିବ। କନ୍ଧମାଳ ଜିଲାର ଲାଇଫ୍ଲାଇନ୍ କୁହାଯାଉଥିବା ଏହି ଘାଟି ଉପରେ ରାୟପୁରଠାରୁ ଗୋପାଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିବା ବେଳେ ବିପଦପୂର୍ଣ୍ଣ ଗାଜଲବାଡ଼ି ଘାଟିକୁ ସମ୍ପ୍ରସାରଣରେ ବିଳମ୍ବ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଖବର ଲେଖ।ହେବା ସୁଦ୍ଧା ଘାଟିରେ ଗାଡ଼ିଗୁଡିକ ଅଟକି ରହିଛି।

Related Posts

Seo wordpress plugin by www.seowizard.org.