Odisha News

ବାଲିଗୁଡା : ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ସହ ମୋବାଇଲ ଚୋରି

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କୁଡୁତୁଲି ଛକ ଠାରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ଗତ ରାତିରେ ଲକ୍ଷାଧିକ ନଗଦ ଟଙ୍କା ସହିତ ମୋବାଇଲ ଚୋରି ହୋଇ ଥିବା ଜଣାପଡିଛି।
କୁଡୁତୁଲି ଜମାପଦରର ପର୍ଶୁରାମ ମଲ୍ଲିକ ଉକ୍ତ ଛକରେ ପବିତ୍ର ଇଣ୍ଟରନେଟ ନାମରେ ଏକ ଦୋକାନ ଖୋଲି ବ୍ୟବସାୟ କରୁଛନ୍ତି । ସବୁ ଦିନ ପରି ଗତ ରାତ୍ରରେ ମଧ୍ୟ ଚାବି ପକାଇ ଯାଇଥିଲେ ।
କିନ୍ତୁ ସକାଳୁ ଦୋକାନ ଖୋଲି ଆସି ଦେଖିଲା ବେଳକୁ ଗେଡାଗୁଡିକ କଟରରେ କାଟି ଡ୍ରରେ ଥିବା ଟଙ୍କା ଓ ମୋବାଇଲ ଚୋରି ହୋଇ ଯାଇଛି ।
ଏହାସହ ଆଖପାଖ ଦୋକାନରୁ ମଧ୍ୟ ଚୋରମାନେ ଚୋରି କରିବା ପାଇଁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି।
ଏନେଇ କ.ନୂଆଗାଁ ଥାନାରେ ଲିଖତ ଅଭିଯୋଗ ହେବାପରେ ଥାନା କେସ ନଂ ୧୧୩/୨୩ରେ ଏକ ମାମଲା ଋଜୁ କରି ଥାନା ଅଧିକାରୀ କୁମର ମୁଦୁଲିଙ୍କ ସହ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଫୁଲବାଣୀରୁ ସାଇଣ୍ଟଫିକ ଟିମ ଆସି ଫିଙ୍ଗର ପ୍ରିଣ୍ଟ ନେଇ ତଦନ୍ତ କୁ ଆହୁରି ତ୍ୱରାନ୍ୱିତ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
ଜବରଦଖଲ ଉଚ୍ଛେଦ କଲା ଦାରିଙ୍ଗବାଡି ବ୍ଲକ ପ୍ରଶାସନ
ବାଲିଗୁଡା,୨୭/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୂପାନ୍ତରୀକରଣ କାର୍ଯ୍ୟ ଜୋରଦାର କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବା ବେଳେ ଏହା ସମ୍ମୁଖରେ ରହିଥିବା ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି।
ପୂର୍ବରୁ ଏହି ଉଠାଦୋକାନୀ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବାକୁ କୁହାଯାଇଥିଲେ ସୁଦ୍ଧା ତାହା କରି ନ ଥିବାରୁ ଶନିବାର ପୂର୍ବାହ୍ନରେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଶରତ ଶବରଙ୍କ ସମେତ ବିଡିଓ ଗଦାଧର ପାତ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ପରିଚାଳନା କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବା ପାଇଁ ଆଇଆଇସି କୌଶିକ ମାଝି ସଦଳବଳ ପ୍ରମୁଖ ଉପସ୍ଥିତ ଥିଲେ।
ବାଟାଗୁଡ଼ା ସେବାଶ୍ରମ ହଷ୍ଟେଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ :ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ପାଇଁ ଦାବୀ
ବାଲିଗୁଡ଼ା,୨୭/୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମ ହଷ୍ଟେଲ ରେ ରହୁଥିବା ୬ଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ ର ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଶନିବାର ମଧ୍ୟାହ୍ନରେ ପିଲାଟି ହଠାତ ଅଚେତ ହୋଇ ଯାଇଥିଲା, ନିକଟରେ ଥିବା ଅନ୍ୟ ଛାତ୍ର ମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ।
ଚିକିତ୍ସାଳୟ ରେ ପହଞ୍ଚିବା ପୂର୍ବରୁ ଛାତ୍ରର ମୃତ୍ୟୁ ହୋଇଥିବା ବିଷୟ ଡାକ୍ତର ପ୍ରକାଶ କରିଥିଲେ । ମୃତ ଛାତ୍ର ଜଣକର ଘର କୋଟଗଡ ବ୍ଲକ ଓରା କଲୋନୀ ସାହିର ଶ୍ରୀ ନାୟକ ଙ୍କ ତିନି ଝିଅ ରେ ଏକ ମାତ୍ର ପୁଅ ହୋଇ ଥିବାରୁ ସମଗ୍ର ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି ।
ଏପରି ପୂର୍ବରୁ ମଧ୍ୟ ବିଭିନ୍ନ ସେବଶ୍ରମ ଗୁଡିକ ରେ ଛାତ୍ର ଛାତ୍ରୀ ମୃତ୍ୟୁ ଘଟିବା, ଖାଦ୍ୟପେୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ଛାତ୍ର ଛାତ୍ରୀ ଆଶ୍ରମ ଛାଡି ପଳାଇବା ଭଳି ବିଭିନ୍ନ ଅରାଜକତା ଘଟଣା ଲୋକ ଲୋଚନ କୁ ଆସିବା ପରେ ଅଭିଭାବକ ମାନେ ଆଶ୍ରମ ବିଦ୍ୟାଳୟ ରେ ନିଜ ପିଲା ମାନଙ୍କୁ ପାଠ ପଢିବା ପାଇଁ ଛାଡିବା ଉଚିତ ମନେ କରୁନାହାନ୍ତି ।
ଏଣୁ ଅଞ୍ଚଳ ବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ତଦନ୍ତ ଦାବୀ କରିଛନ୍ତି ।
ଖବର ପାଇ ବାଲିଗୁଡା ବ୍ଲକ ମଙ୍ଗଳ ଅଧିକାରୀ ଦିବେଦ ମଲ୍ଲିକ ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ତଦାରଖ କରୁଛନ୍ତି ।
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ ଙ୍କୁ ପଚାରିବାରୁ ସେ କିଛି ନ କହି ଘଟଣା ସ୍ଥଳରୁ ଚାଲି ଯାଇଥିଲେ ।

Related Posts

Seo wordpress plugin by www.seowizard.org.