Odisha News

ବାଲିଗୁଡ଼ା : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର , ଭଙ୍ଗା ଦଦରା ଘରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ

ସଞ୍ଜୟ କୁମାର ପାଣିଗ୍ରାହୀ ରିପୋର୍ଟ
ବାଲିଗୁଡ଼ା, ୯/୩: ଭଙ୍ଗା ଦଦରା ଘରେ ଚାଲିଛି ଶିକ୍ଷା ଦାନ । ବିପଦ ସଂକୁଳ ଅବସ୍ଥାରେ ଗଢ଼ାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ ।
ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ଓରା ପଞ୍ଚାୟତର ଆଡାରି ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷାକୁ ଗୁରୁତ୍ୱ ଦେଇ ମାଗଣାରେ ରହିବା,ଖାଇବା ସହ ମାଗଣାରେ ବହି,ଖାତା, ପୋଷାକ ଓ ଯୋତା ଆଦି ଯୋଗାଇ ଦେଉଛନ୍ତି ।
ଏଥି ସହିତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ମଧ୍ୟ କଲେଣି କିନ୍ତୁ, ଆଜିବି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠିକି ଏସବୁ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି । କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଓରା ପଞ୍ଚାୟତର ଆଡାରି ବିଦ୍ୟାଳୟ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ।
୨୦୧୦ ମସିହାରେ ଏହି ବିଦ୍ୟାଳୟଟି ସ୍ଥାପିତ ହେଇଥିଲା। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଉକ୍ତ ବିଦ୍ୟାଳୟକୁ ଯିବା ନିମନ୍ତେ ରାସ୍ତା ଟିଏ ନାହିଁ । ଫଳରେ ଛାତ୍ରଛାତ୍ରୀ ବିଲ ହୁଡ଼ା ଦେଇ ବିଦ୍ୟାଳୟକୁ ଯିବାକୁ ପଡୁଛି । ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବାରୁ ଭଙ୍ଗା ଦଦରା କୁଡ଼ିଆ ଘରେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି ଶିକ୍ଷାଦାନ । ପାଞ୍ଚଟି ଶ୍ରେଣୀ ପାଇଁ ଗୋଟିଏ ମଧ୍ୟ ଭଲ ଗୃହ ନାହିଁ ।
ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏହି ବିଦ୍ୟାଳୟରେ ଅନ୍ୟାନ୍ୟ ବ୍ୟବସ୍ଥା କଣ ଥିବ? ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୨୬ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ପ୍ରଧାନ ଶିକ୍ଷକ ବାଳି ପ୍ରଧାନ ଓ ସହକାରୀ ଶିକ୍ଷକ ଦାଶରଥୀ ମାର୍ଥା ନିୟମିତ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି ।
ଏନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ । ଯଥା ଶୀଘ୍ର ବିଦ୍ୟାଳୟର ଶ୍ରେଣୀ ଗୃହ ସମେତ ଆନୁସଙ୍ଗିକ ବ୍ୟବସ୍ଥା ନସୁଧାରିଲେ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରତ ପାଟମାଝି ଓ ଅଞ୍ଚଳବାସୀ ।
ବାଲିଗୁଡ଼ା : ପୁତୁରାର ଧାରୁଆ ଅସ୍ତ୍ରରେ ଦଦାଙ୍କୁ ମରଣାନ୍ତକ ଆକ୍ରମଣ
ବାଲିଗୁଡ଼ା,୯/୩: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍ରେ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିବାରୁ କୋଟଗଡ଼ ବ୍ଲକ ରାଣିପାଙ୍ଗା ବିଦ୍ୟାଳୟର ଶିକ୍ଷକ ନହୁ ପ୍ରଧାନ ଆହତ ହୋଇଛନ୍ତି। ତାଙ୍କ ନିଜ ଗ୍ରାମ ଦାରିଙ୍ଗବାଡି ବ୍ଲକ ବୁଡାଙ୍ଗପିପିଲି।
ନହୁ ସକାଳୁ ସ୍କୁଲକୁ ବାଇକ ଯୋଗେ ଯିବା ବେଳେ ତାଙ୍କ ସମ୍ପର୍କୀୟ ସାନ ପ୍ରଧାନ ତାଙ୍କ ସହ ରାଣିପାଙ୍ଗାରେ ମୋର କାମ ଅଛି ତୁମ ସହ ଯିବି କହିଥିଲେ। ଏଥିରେ ନହୁ ସମ୍ପର୍କୀୟ ସାନଙ୍କୁ ସାଥିରେ ନେଇ ଯିବା ସମୟରେ ପର୍ତ୍ତମାହା ପଞ୍ଚାୟତ କଟାବାଡି ଗ୍ରାମ ନିକଟ ଏକ ଜଙ୍ଗଲରେ ସମ୍ପର୍କୀୟ ପୁତୁରା ସାନ ହଠାତ ଏକ ଧାରୁଆ ଅସ୍ତ୍ରରେ ପଛପଟୁ ବେକକୁ ଆକ୍ରମଣ କରି ଗୋଟିଏ ବ୍ରିଜ ତଳକୁ ଠେଲି ଦେବା ସହ ବ୍ରିଜ ତଳେ ମଧ୍ୟ ମରଣାନ୍ତକ ଆକ୍ରମଣ କରୁଥିଲେ।ଏହି ସମୟରେ ଜଙ୍ଗଲରେ କାମ କରୁଥୁବା ଲୋକ ଆସି ନହୁଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ।
ପୋଲିସ ପହଞ୍ଚି ନହୁଙ୍କୁ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିବା ଜଣାପଡ଼ିଛି। ସେହିପରି ଅଭିଯୁକ୍ତ ସାନଙ୍କୁ ସ୍ଥାନୀୟ ଲୋକ କାବୁ କରି ପୋଲିସ ଜିମା ଦେଇଥିଲେ। ସମ୍ପର୍କୀୟ ସାନ କାହିଁକି ଏଭଳି ଆକ୍ରମଣ କରିଛନ୍ତି ସେ ସମ୍ପର୍କରେ କାରଣ ଅସ୍ପଷ୍ଟ ଥିବା ବେଳେ ଏହା ପୁର୍ବ ଶତ୍ରୁତା ରହିଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି। ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ପକ୍ଷରୁ କୁହାଯାଇଛି।

Related Posts

Seo wordpress plugin by www.seowizard.org.