Odisha News

ବଲିଉଡ ଚଳଚ୍ଚିତ୍ର ଗଦର-୨’ରେ କନ୍ଧମାଳ ଦାରିଙ୍ଗବାଡିର ବରୁଣ ବିଶୋଇ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୦/୮: ବଲିଉଡ ଚଳଚ୍ଚିତ୍ର ‘ଗଦର-୨’ରେ ଫିଲ୍ମି ରେକର୍ଡିଷ୍ଟ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ଓଡ଼ିଆ ପୁଅ ତଥା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବରୁଣ ମାଲ ବିଶୋଇ। ସେ ଓଡ଼ିଆ ଫିଲ୍ମ ‘ଦମନ’ ସମେତ ବହୁ ଭାଷାରେ ମଧ୍ୟ ଫିଲ୍ମି ରେକର୍ଡିଷ୍ଟ ଭାବେ କାର୍ଯ୍ୟକରି ଖ୍ୟାତି ଅର୍ଜନ କରିଛନ୍ତି।
ସ୍ବର୍ଗତ ଶ୍ରୀବତ୍ସ ମାଲବିଶୋଇଙ୍କ ତୃତୀୟ ପୁତ୍ର ବରୁଣ ୧୯୯୬ ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ପିତାଙ୍କଠାରୁ ଦରଜି କାମ ଶିଖି ପରିବାର ପୋଷୁଥିଲେ। ୨୦୦୦ ମସିହାରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଧାରୁ ପାଠ ଛାଡ଼ି ଦେଇଥିଲେ।
ନିଜ ପାଖରେ ରଖିଥିବା ୪୦୦ ଟଙ୍କା ଏବଂ ବନ୍ଧୁଙ୍କଠାରୁ ୫୦୦ ଟଙ୍କା କରଜ କରି ନିଜ ସ୍ବପ୍ନକୁ ପୂରଣ କରିବାକୁ ୨୦୦୨ ଜାନୁୟାରୀ ପହିଲାରେ ମୁମ୍ବାଇ ଯାତ୍ରା କରିଥିଲେ।
ପ୍ରଥମେ ସେ ନଟରାଜ ଷ୍ଟୁଡିଓରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ ସେଠାରେ କିଛି କାମଧନ୍ଦା ମିଳି ନ ଥିଲା। ସେଠାକାର ଜଣେ ରାତ୍ରି ଜଗୁଆଳି ତାଙ୍କୁ ସେଠାରେ କ୍ୟାଣ୍ଟିନ ବୟ କାର୍ଯ୍ୟରେ ନିଯୁକ୍ତି କରାଇଥିଲେ। ସେହି କାର୍ଯ୍ୟ କରିବା ମଧ୍ୟରେ ସେ ଫିଲ୍ମି ରେକର୍ଡ କାର୍ଯ୍ୟ ଶିଖି ପରେ ଆରାଧନା ଷ୍ଟୁଡିଓରେ କାର୍ଯ୍ୟ କରିଥିଲେ।
ଦୀର୍ଘଦିନ ପରେ ସେ ନିଜେ ଷ୍ଟୁଡିଓ କରି ସଫଳତାର ଶିଡ଼ି ଚଢ଼ିବାରେ ଲାଗିଛନ୍ତି। ତାଙ୍କ ସହିତ ଫଲି ରେକର୍ଡର ସହକଳାକାର ଭାବେ ଶିବଶମ୍ଭୁ ଦିଗାଳ ରହିଛନ୍ତି।
ଶିବଶମ୍ଭୁଙ୍କୁ ୨୦୨୧ରେ ବରୁଣ ମୁମ୍ବାଇ ନେଇଯାଇଥିଲେ। ସେଠାରେ ଏହି କାର‌୍ୟ୍ୟ ଶିଖିବା ପରେ ଦୁହେଁ ଏବେ ସଫଳତା ହାସଲ କରିଛନ୍ତି।
ଫଲି ରେକର୍ଡ ହେଉଛି ଏଭଳି ଏକ କଳା, ଯାହାକି ନାୟକଠାରୁ ଆରମ୍ଭ କରି ଅଭିନୟ କରୁଥିବା ସମସ୍ତ କଳାକାରଙ୍କ ଚାଲିଚଳଣ, ଚଳଚ୍ଚିତ୍ରରେ ବ୍ୟବହାର କରାଯାଉଥିବା ଯନ୍ତ୍ର ବା ବସ୍ତୁର ଶବ୍ଦକୁ ଅବିକଳ କରିବା ଆଦି ଶବ୍ଦକୁ ଫଲି କଳାକାର ପରଦା ପଛରେ ରହି ଜୀବନ୍ତ କରିଥାନ୍ତି।
କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
କନ୍ଧମାଳ,୨୦/୮: ଗତ ୫ ତାରିଖ ଦିନ ଫିରିଙ୍ଗିଆ ଠାରେ ନିରୀହ ଜନତାଙ୍କ ଉପରେ ଓଡ଼ିଶା ପୁଲିସର ଲାଠିମାଡ଼କୁ ବିରୋଧ କରି କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୨୮ ତାରିଖରେ ଫୁଲବାଣୀ ଠାରେ ବିରାଟ ପ୍ରତିବାଦ ସଭା ଓ ଶୋଭାଯାତ୍ରା ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କୁଇ ସମାଜ ସମନ୍ୱୟ ସମିତି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
୧୧ ଦଫାକୁ ନେଇ ଏହି ଶୋଭାଯାତ୍ରା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିବା ବେଳେ ଯେଉଁ ୧୧ ଦଫା ଦାବି ରଖାଯାଇଛି ସେ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳକୁ ଆହୁରି ତିବ୍ରତର କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।
ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସମନ୍ୱୟ ସମିତିର ସଭାପତି ତଥା ମିଳିତ ମଞ୍ଚର ଉପଦେଷ୍ଟା ଲମ୍ବୋଦର କହଁର, ବରିଷ୍ଠ ଆଦିବାସୀ ନେତା ଭାସ୍କର ପ୍ରଧାନ, ପୁଷାରା କହଁର, ମନୋଜ ମଲିକ, ଉପଦେଷ୍ଟା ବିଷ୍ଣୁ ପ୍ରସାଦ ମିଶ୍ର, ମଞ୍ଚର ସାଧାରଣ ସଂପାଦକ ସତ୍ୟ ନାରାୟଣ ବେହେରା , ସଭାପତି ସମୀର ଘଟାଲ , କାର‌୍ୟ୍ୟକାରୀ ସଦସ୍ୟ ନିରଞ୍ଜନ ସାହୁ , ବିପ୍ରବର ସ୍ୱାଇଁ ,ତ୍ରିନାଥ ମାଝୀ , ମହେନ୍ଦ୍ର ଦିଗାଲ ବିନୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

Seo wordpress plugin by www.seowizard.org.