ବର୍ଷିଲେ ଶିବରାଜ, କହିଲେ – ଓଡ଼ିଶାରେ ଚାଲିଛି ଆଉଟସୋର୍ସିଂ ସରକାର, ସବୁ ସୀମା ଟପିଛି ଦୁର୍ନୀତି’

ଭୁବନେଶ୍ବର,୧୩/୨: ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଓଡ଼ିଶାରେ ପହଞ୍ଚିବା ମାତ୍ରେ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି।
ଭୁବନେଶ୍ବର ବିମାନବନ୍ଦରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ୮୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଥରେ କ୍ଷମତାକୁ ଆଣିବାକୁ ଚାହାଁନ୍ତି ।
ଲୋକସଭା ନିର୍ବାଚନରେ ବିଜେପି ବିପୁଳ ଭୋଟ ପାଇବ। ଠିକ୍ ସେହିପରି ଓଡ଼ିଶାରେ ବିଧାନସଭା ନିର୍ବାଚନରେ ବି ବିଜେପି ବହୁମତ ହାସଲ କରି ରାଜ୍ୟରେ ସରକାର ଗଢ଼ିବ। ଓଡ଼ିଶାରେ ବିଜେପି ପୂରା ତାକତ୍ରେ ଲଢ଼ିବ, ସରକାର ଗଢ଼ିବ।
ଶିବରାଜ ସିଂ ଚୌହ୍ବାନ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଉଥିବା ଅର୍ଥ ସଠିକ ବିନିଯୋଗ ହେଉନି। ମୋଦୀ ଟଙ୍କା ଦେଉଛନ୍ତି, ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି।
ଓଡ଼ିଶାରେ ଏବେ ଆଉଟସୋର୍ସିଂ ସରକାର ଚାଲିଛି। ନବୀନ ପଟ୍ଟନାୟକ ନୁହନ୍ତି, ଏଠି ଅଧିକାରୀମାନେ ରାଜ୍ୟକୁ ଚଳାଉଛନ୍ତି। ସେମାନେ ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇ ଦେଇଛନ୍ତି। ଏଠାରେ ମହିଳାମାନେ ଅସୁରକ୍ଷିତ ବୋଲି ବି କହିଛନ୍ତି ଶିବରାଜ ସିଂ ଚୌହ୍ବାନ।