Odisha News

ବନ୍ୟା ସ୍ଥିତିର ସମୀକ୍ଷା କଲେ ଏସ୍‌ଆର୍‌ସି, ତଳିଆ ଅଞ୍ଚଳର ଲୋକଙ୍କୁ ଉଦ୍ଧାର ଉପରେ ଗୁରୁତ୍ୱ

ଭୁବନେଶ୍ୱର,୩/୮:ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ପାଇଁ ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ପ୍ରସ୍ତୁତି ହୋଇଛି। ୭ଟି ଜିଲ୍ଲାରେ ରେସକ୍ୟୁ ଟିମ୍ ମୁତୟନ କରାଯାଇଛି ବୋଲି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ ।
ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେବା ସମ୍ଭାବନା ରହିଛି । ମୁଣ୍ଡଳି ପାସ୍ କରିବାର ୧୨ ଘଣ୍ଟା ପରେ ବନ୍ୟା ଜଳ ୩ଟି ଜିଲ୍ଲାରେ ପାଣି ପହଞ୍ଚିବ । ସେଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାପାଳ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି SRC ସତ୍ୟବ୍ରତ ସାହୁ ।
ସେ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଉଦ୍ଧାର କାର‌୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ ୨୩ ଓଡ୍ରାଫ୍, ୮ ଏନ୍ଡିଆର୍ଏଫ୍ ଓ ୬୨ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି।
ଏହି ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଣି ପଶିବା ଆଶଙ୍କା ଅଧିକ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଏଥିନିମନ୍ତେ ୪ ଟି ବ୍ଲକ୍ର ୩୨ ଟି ପଞ୍ଚାୟତ ପାଇଁ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଛି। ଜିଲ୍ଲାରେ ଦୁଇଟି ଓଡ୍ରାଫ୍ ଟିମ୍ ପହଞ୍ଚିଛି । ମାର୍ଶାଘାଇ, ଗରଦପୁର, ମହାକାଳପଡ଼ା ବ୍ଲକର ସମସ୍ତ ବିଦ୍ୟାଳୟ ଆଜି ଅଧାରୁ ଛୁଟି ହୋଇଥିବା ବେଳେ ଆସନ୍ତା କାଲି ବି ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି। ଅଧିକାଂଶ ସ୍କୁଲକୁ ଆଶ୍ରୟ ସ୍ଥଳୀ ରୂପେ ବ୍ୟବହାର କରାଯିବ । ତେଣୁ ସ୍କୁଲ ଛୁଟି କରାଯାଇଥିବା ବେଳେ ଶିକ୍ଷକମାନକୁ ଆଶ୍ରୟ ସ୍ଥଳୀ କାମରେ ନିୟୋଜିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।
ସୂଚନାଯୋଗ୍ୟ, ଏହି ବନ୍ୟା ଜଳ ମୁଖ୍ୟତଃ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ପ୍ରବେଶ କରିବ। ଏହାବାଦ ନୟାଗଡ଼, କଟକ ଓ ଅନୁଗୁଳର କିଛି ତଳି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ ଆଶଙ୍କା ଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଥିବା SRC ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.