Odisha News

ବଢ଼ିଲା ପାନ୍-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୮/୩ : ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ କରିବା ପାଇଁ ଧାର‌୍ୟ୍ୟ ଅବଧିକୁ ଆଜି ପୁଣିଥରେ ବୃଦ୍ଧି କରାଯାଇଛି।
ଆୟକର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରି ଅବଧି ବୃଦ୍ଧି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି। ଯେଉଁମାନେ ଏଯାଏ ଆଧାର ସହ ପାନର ଲିଙ୍କ କରି ନାହାନ୍ତି, ସେମାନଙ୍କୁ ଜୁନ୍ ୩୦ ସୁଦ୍ଧା ଏହା କରିବାକୁ କୁହାଯାଇଛି।
ଯଦି କେହି ପାନ୍ କାର୍ଡକୁ ଆଧାର ସହ ଲିଙ୍କ ନ କରିବେ, ତା’ହେଲେ ସେମାନଙ୍କ ପାନ୍ କାର୍ଡ ଡିଆକ୍ଟିଭେଟ ବା ଅକାମୀ ହୋଇଯିବ। ୨୦୧୭ ଜୁଲାଇ ୧ ଯାଏ ଯେଉଁ ଭାରତୀୟମାନେ ପାନ୍ କାର୍ଡ ପାଇଥିଲେ, ସେମାନଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ କରିଛି ଆୟକର ବିଭାଗ।
ଆୟକର ବିଭାଗ କହିଛି, ଟିକସଦାତା ଆଉ କିଛି ସମୟ ଦେବା ପାଇଁ ପାନ୍-ଆଧାର ଲିଙ୍କ ଅବଧିକୁ ୨୦୨୩ ଜୁନ୍ ୩୦ ଯାଏ ବୃଦ୍ଧି କରାଯାଉଛି।
ଲୋକମାନେ ଚାହିଁଲେ ବିନା କୌଣସି ସଙ୍କୋଚରେ ସେମାନଙ୍କ ଆଧାର ଉପଯୁକ୍ତ ଅଧିକାରୀଙ୍କୁ ଦେଇ ପାନ୍-ଆଧାର ଲିଙ୍କ କରିପାରିବେ। ୨୦୨୩ ଜୁଲାଇ ୧ରୁ ଲିଙ୍କ ହୋଇ ନଥିବା ପାନ୍ କାର୍ଡଗୁଡ଼ିକ ଅକାମୀ ହୋଇଯିବ। ୩୦ ଦିନ ପରେ ଏହା ସଚଳ ହୋଇପାରେ। କିନ୍ତୁ ସେତେବେଳେ ପୁଣି ୧ ହଜାର ଟଙ୍କା ଫାଇନ ସହ ଆଧାର ଲିଙ୍କ କରିବାକୁ ପଡ଼ିବ।
୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ପାନ୍ ସହ ଆଧାର କାର୍ଡ ଲିଙ୍କ୍ ସମ୍ପୂର୍ଣ୍ଣ ମାଗଣା ଥିଲା। କିନ୍ତୁ ୨୦୨୨ ଏପ୍ରିଲ ୧ ପରଠାରୁ ୨୦୨୨ ଜୁନ୍ ୩୦ ମଧ୍ୟରେ ପାନ୍ ସହ ଆଧାର ଲିଙ୍କ ପାଇଁ ୫୦୦ ଟଙ୍କାର ପେନାଲ୍ଟି ଯୋଡ଼ା ଯାଇଥିଲା। ଏବେ ଲିଙ୍କ କଲେ ୧୦୦୦ ଟଙ୍କା ଦେବାକୁ ପଡ଼ୁଛି। ଏହି ପେନାଲ୍ଟି ରାଶି ଜୁନ ୩୦ ତାରିଖ ଯାଏ ବଳବତ୍ତର ରହିବ।

Related Posts

Seo wordpress plugin by www.seowizard.org.