Odisha News

ବଜ୍ରପାତ ନେଲା ୪ ଜଣଙ୍କ ଜୀବନ, ୪ ଜଣ ଗୁରୁତର

ବୌଦ୍ଧ,୨/୯: ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।
ବୌଦ୍ଧ ଥାନା ରାଉତବାହାଲ ଗାଁରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପାନେଶ୍ୱରୀ ପୋଢ଼। ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଅରାଙ୍ଗ ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅପରାହ୍ନରେ ବିଲରେ ଏହି ଚାରି ଜଣ ଏକ ଭାଡ଼ା ଉପରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ରଞ୍ଜନ ରଣସିଂହ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।
ବାଣପୁର ଥାନା ଦାମିଆ ବରବରାର କଦମଝୋଲା ଗାଁରେ ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅମର ଶବର। ସେ ଗାଁ ଦାଣ୍ଡରେ ବୁଲୁ ଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା।
ବଲାଙ୍ଗିର ଜିଲ୍ଲା ଲୋଇସିଂହାର କୁଟିସିଂହା ଗାଁରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି କଟକ ଜିଲ୍ଲା ନିଆଳି ଜଲ୍ଲାରପୁର ଗାଁରେ ବଜ୍ରପାତରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।
ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ପ୍ରାୟ ଘଣ୍ଟାଏ ଦେଢ଼ ଘଣ୍ଟାର ବର୍ଷାରେ ଦୁଇ ସହରର ଏକ ପ୍ରକାର ଜଳାର୍ଣ୍ଣବ ହୋଇଯାଇଛି। ଭୁବନେଶ୍ୱରରେ ପ୍ରାୟ ଘଣ୍ଟାଏ ଭିତରେ ୪୨ ହଜାରରୁ ଅଧିକ ଥର ବିଜୁଳି ମାରିଛି। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ।

Related Posts

Seo wordpress plugin by www.seowizard.org.