Odisha News

ପ୍ରାର୍ଥୀଙ୍କ ହାତରେ ରହିଲା ଗୋଟିଏ ଦିନ, ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୧/୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ। ଗତ ୪ଦିନରେ ୧ ଲକ୍ଷ ୩୩ ହଜାର ୫୮୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଗୁରୁବାର ରେକର୍ଡ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପାଇଁ ଗ୍ରାମପଞ୍ଚାୟତ କାର‌୍ୟ୍ୟାଳୟ, ବ୍ଲକ ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମୁଥିବା ବେଳେ ଶେଷ ଦିନରେ ଅସମ୍ଭାଳ ଭିଡ଼ ହେବାର ଆଶଙ୍କା ରହିଛି। ପ୍ରାର୍ଥୀପତ୍ର ଆଣିବା ଏବଂ ଦେବା ପ୍ରକ୍ରିୟା ଏକସଙ୍ଗେ ଚାଲିଥିବାରୁ ଗ୍ରାମପଞ୍ଚାୟତ କାର‌୍ୟ୍ୟାଳୟ, ବ୍ଲକ ଓ ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ନିକଟରେ ପ୍ରବଳ ଭିଡ଼ ହେଉଛି।
ଏପରିକି ପ୍ରାର୍ଥୀଙ୍କ ସହ ୫ଜଣ ବିନା ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶନାମା ଜାରି କରିଥିଲେ ହେଁ ଅଧିକାଂଶ ପ୍ରାର୍ଥୀ ଏହାକୁ ମାନୁନାହାନ୍ତି। ପ୍ରାର୍ଥୀମାନେ ଶତାଧିକ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି।
ପ୍ରାର୍ଥୀ ଓ ସମର୍ଥକମାନେ କୋଭିଡ ଗାଇଡଲାଇନ୍ ମାନୁନଥିବା ନଜରକୁ ଆସିଥିବାରୁ ଶେଷ ଦିନରେ ଯେପରି ପରିସ୍ଥିତି ଅଣାୟତ୍ତ ନହୁଏ ତାହା ଉପରେ ନଜର ରଖିବା ସହ ଭିଡ଼ ନିୟନ୍ତ୍ରଣ କରିବାକୁ ରାଜ୍ୟ ନିର୍ବାଚନ କମିସନର ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୫ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସହ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

Related Posts

Seo wordpress plugin by www.seowizard.org.