Odisha News

ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ପରଲୋକ

ବାରିପଦା, ୨୩/୧୧: ବୁଧବାର ଦିନ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ଗୋଲକ ବିହାରୀ ନାଏକଙ୍କ ପରଲୋକ ହୋଇଛି ।
ହୃଦଘାତରେ ବିଧାୟକ ଗୋଲକ ନାଏକ ଙ୍କ ବିୟୋଗ ଘଟିଥିବା ସୁଚନା ମିଳିଛି । ଦୀର୍ଘ ଦିନ ଧରି ବୟସାଧୀକ ଅସୁସ୍ଥତାରେ ପୀଡ଼ିତ ଥିବା ପୂର୍ବତନ ମନ୍ତ୍ରୀ ବିଧାୟକ ଗୋଲକ ବିହାରୀ ନାଏକଙ୍କର ଆଜି ପୂର୍ବାହ୍ନ ୧୦ଟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
ପୂର୍ବତନ ମନ୍ତ୍ରୀ ବିଧାୟକ ଗୋଲକ ବିହାରୀ ନାଏକ ତିନି ଥର ଓଡିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ରୁ ୨୦୦୯ ମସିହା ପର‌୍ୟ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ରହିଥିଲେ। ଖୁଣ୍ଟାରୁ ଦୁଇଥର ଓ ଉଦଳା ନିର୍ବାଚନ ମଣ୍ଡଳୀରୁ ଥରେ ବିଧାୟକ ରହିଥିଲେ।
ବୟସାଧୀକ ଅସୁସ୍ଥତା ହେତୁ ତାଙ୍କୁ ବାରିପଦାସ୍ଥିତ ସାଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କ ପାଖରେ ବଡ଼ ଝିଅ, ଜ୍ୱାଇଁ ଓ ପୁଅ ଉପସ୍ଥିତ ଥିଲେ।
ଏହି ଦୁଃଖଦ ଖବର ପାଇ ବରିଷ୍ଠ ନେତା ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ବିଭିନ୍ନ ଦଳର ବରିଷ୍ଠ ନେତା ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ସ୍ୱର୍ଗତ ଗୋଲକ ବିହାରୀ ନାଏକ୧୯୫୭ ମସିହା ଅଗଷ୍ଟ ୨୭ରେ ଖୁଣ୍ଟାଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପତ୍ନୀ ସୁବାସିନି ନାଏକ, ଗୋଟିଏ ପୁଅ ଓ ଦୁଇ ଝିଅ ରହିଛନ୍ତି।
ପ୍ରଥମ ଥର ପାଇଁ ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟି ତରଫରୁ ସେ ଖୁଣ୍ଟାରୁ ବିଧାୟକ ରହିଥିଲେ। ଏହା ପରେ ୨୦୦୫ମସିହାରେ ମଧ୍ୟ ବିଧାୟକ ରହିଥିଲେ। ତେବେ ୨୦୧୪ ମସିହାରେ ବିଜୁ ଜନତା ଦଳ ତରଫରୁ ଉଦଳା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ଏନେଇ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି କହିଛନ୍ତି, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ବିୟୋଗରେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛି । ତାଙ୍କ ମୃତ୍ୟୁ ଯୋଗୁ ଜିଲ୍ଲା ଜଣେ ସୁଯୋଗ୍ୟ ସନ୍ତାନ ହରାଇଛି। ତାଙ୍କ ବିୟୋଗରେ ସମସ୍ତ ଜିଲ୍ଲାବାସୀ ମର୍ମାହତ ହୋଇପଡ଼ିଛନ୍ତି।

Related Posts

Seo wordpress plugin by www.seowizard.org.