Odisha News

ଉଭୟ ନକଲି ଡାକ୍ତର ରମେଶ ସ୍ୱାଇଁ ଓ ତାର ଅସଲି ଡାକ୍ତର ପତ୍ନୀକୁ ରିମାଣ୍ଡରେ ଆଣିବ ମହିଳା ଥାନା ପୁଲିସ

ଭୁବନେଶ୍ୱର, ୬/୪: ବହୁଦିନ ଧରି ପୁଲିସକୁ ଚକ୍ମା ଦେଇ ଲୁଚକାଳି ଖେଳୁଥିବା ନକଲି ଡାକ୍ତର ରଙ୍ଗିଲା ରମେଶର ଦ୍ବିତୀୟ ପତ୍ନୀ ଶେଷରେ କମିସନରେଟ୍ ପୁଲିସ ହାତରେ ଧରାପଡ଼ିଥିଲା। ମହିଳା ଥାନା ପୁଲିସ ତାକୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା । ଏହି ମହିଳାଙ୍କ ନାମ କମଳା ସ୍ବାଇଁ(୪୪)ହୋଇଥିବାବେଳେ ବୃତ୍ତିଗତ ଭାବେ ଜଣେ ଡାକ୍ତର ହୋଇଥିଲେ ବି ରମେଶ ସହ ମିଶି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗାଇଥିଲେ।
ବୁଧବାର ତାଙ୍କୁ କୋର୍ଟ ଚାଲାଣ ପରେ ତାଙ୍କୁ ରିମାଣ୍ଡରେ ଆଣିବ ମହିଳା ଥାନା ପୁଲିସ । ଉଭୟ ନକଲି ଡାକ୍ତର ରମେଶ ସ୍ୱାଇଁ ଓ ତାର ଅସଲି ଡାକ୍ତର ପତ୍ନୀ କମଳା ତିର୍କୀକୁ ରିମାଣ୍ଡ ରେ ଆଣିବ ମହିଳା ଥାନା ପୁଲିସ ।
ପୂର୍ବରୁ ରମେଶ ସ୍ୱାଇଁକୁ ୪ ଥର ରିମାଣ୍ଡ ରେ ଆଣି ପଚରାଉଚରା କରାଯାଇଥିବାବେଳେ ଆଜି କମଳା ସ୍ୱାଇଁକୁ କୋର୍ଟ ଚାଲାଣ କରିବା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସ ଆବେଦନ କରିବ ବୋଲି ଜଣାପଡିଛି ।
ସୂଚନା ମୁତାବକ, ୨୦୦୨ ମସିହାରେ କମଳା କାର୍ଡିଓଲୋଜି ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିଲେ। ସେହି ସମୟରେ ସେଠାରେ ରମେଶ ସହ ତାଙ୍କର ଭେଟ ହୋଇଥିଲା। ରମେଶ ତାଙ୍କୁ ପାଲରେ ପକାଇଥିଲା।
କମଳା ପାରାଦ୍ବୀପସ୍ଥିତ ଇଫ୍କୋରେ ଡାକ୍ତର ଥିବା ଜାଣିବା ପରେ ତାଙ୍କୁ ବିବାହ ପାଇଁ ଯୋଜନା କରିଥିଲା। ଆଉ ସଫଳ ବି ହୋଇଥିଲା। ଭେଟ ହେବାର ୩ମାସ ମଧ୍ୟରେ ତାଙ୍କୁ ବାହା ହୋଇଥିଲା।
ଏହାପରେ ଉଭୟ ସେଠାରେ ମିଶି ରହିଥିଲେ। ହେଲେ ରମେଶର କଳା କାରନାମା କମଳାଙ୍କ ପାଖରେ ବେଶି ଦିନ ଲୁଚିନଥିଲା। କମଳା ରମେଶର ସବୁ ଗୁମର ଜାଣିଥିଲେ। ଆଉ ଏହାପରେ ଉଭୟ ମିଶି ଲୋକଙ୍କୁ ଠକିବାପାଇଁ ଯୋଜନା କରିଥିଲେ। କମଳା ରମେଶଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ କହି ପରିଚିତ କରାଉଥିଲେ।
ରମେଶଙ୍କର ଉପରିସ୍ଥ ଅଧିକାରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ଥିବା କହି କହି କାହାକୁ ଚାକିରି ତ କାହାକୁ ବ୍ୟବସାୟ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ରମେଶ ଗିରଫ ହେବା ପରେ କମଳାଙ୍କ ଭୂମିକା ପଦାକୁ ଆସିଥିଲା। ତାଙ୍କୁ ଜେରା ପାଇଁ ପୁଲିସ ବାରମ୍ବାର ଡକାଇଥିଲେ ମଧ୍ୟ ସେ ଆସିନଥିଲେ।
ପୁଲିସ ଗିରଫଦାରୀ ଭୟରେ ଝାଡଖଣ୍ଡସ୍ଥିତ ଘରକୁ ଚାଲିଆସିଥିଲେ। ଠିକଣା ଠାବ ପରେ ସୋମବାର ରାତିରେ ମହିଳା ଥାନା, ସ୍ପେସାଲ୍ ସ୍କ୍ବାର୍ଡର ପୁଲିସର ଏକ ଟିମ୍ ଝାଡଖଣ୍ଡସ୍ଥିତ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

Related Posts

Seo wordpress plugin by www.seowizard.org.