ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଲା ରାୟ : ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାଟଣାଗଡ଼, ୨୮/୫ : ବହୁଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ମାମଲାରେ ଆସିଲା ରାୟ । ଅଭିଯୁକ୍ତ ପୁଞ୍ଜିଲାଲା ମେହେରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ସଜା ଶୁଣାଇଲେ କୋର୍ଟ । ୭ ବର୍ଷ ବ୍ୟବଧାନ ପରେ ପାଟଣାଗଡ଼ ଏଡିଜେ କୋର୍ଟ ଏହି ମାମଲାରେ ଆଜି ରାୟ ଶୁଣାଇଛନ୍ତି ।
୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।
ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିବା ଅଭିଯୋଗ ହୋଇଥିଲା । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବୃଆରୀ ୧୮ ତାରିଖରେ ହୋଇଥିଲା ।
ବିବାହ ଭୋଜିରେ ପୁଞ୍ଜିଲାଲ୍ ଉପହାର ଭାବେ ପାର୍ସଲ ବୋମା ପଠାଇଥିଲେ । ୨୩ ତାରିଖ ଦିନ ପାର୍ସଲ୍ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା ।
ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମାଙ୍କର ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନୀ ରିମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ ।
ତେବେ ଘଟଣାର କୌଣସି ଚାକ୍ଷୁସ ପ୍ରମାଣ ନଥିଲେ ବି ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୪ ତାରିଖରେ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବାପରେ ପୁଞ୍ଜିଲାଲ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।