Odisha News

ପାକିସ୍ତାନ: ମୁର୍ରି ପର୍ଯ୍ୟଟନ ସ୍ଥଳୀରେ ବରଫ ଭିତରେ ଫସି ୧୦ ଶିଶୁ ସମେତ ୨୨ ମୃତ

ନୂଆଦିଲ୍ଲୀ, ୯/୧: ବରଫ ତଳେ ଗଲା ୨୨ ଜୀବନ। ବରଫ ଭିତରେ ଜୀବନ୍ତ ପୋତି ହୋଇଗଲେ ଲୋକ। ଅଣ ନିଶ୍ୱାସୀ ହୋଇ ଚାଲିଗଲା ଜୀବନ। ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ପାକିସ୍ତାନର ରାୱଲପିଣ୍ଡି ସ୍ଥିତ ମୁରି ସହରରୁ।
ପ୍ରବଳ ତୁଷାରପାତ ଯୋଗୁଁ ଏଠାରେ ୨୨ ପର୍ଯ୍ୟଟକଙ୍କୁ ଜୀବନ୍ତ କବର ଦିଆଯାଇଥିଲା। ଏତେ ତୁଷାରପାତ ହୋଇଥିଲା ଯେ କାରଗୁଡିକ ବରଫରେ ପୋତି ହୋଇ ଆଗକୁ ଆଉ ଯାଇପାରି ନଥିଲା। ତୁରନ୍ତ ଉଦ୍ଧାର ଅଭାବରୁ ଥଣ୍ଡା ଏବଂ ଶ୍ୱାସରୁଦ୍ଧ ହୋଇ କାର ଭିତରେ ଥିବା ଲୋକେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାର ଅନେକ ଯନ୍ତ୍ରଣାଦାୟକ ଭିଡିଓ ସାମ୍ନାକୁ ଆସିଛି।
ମୁରିରେ ହଜାର ହଜାର ଗାଡି ରାସ୍ତାରେ ଅଟକି ରହିଥିଲା ଆଉ ତା’ଉପରେ ବରଫର ମୋଟା ଆସ୍ତରଣ ଜମି ଥିଲା। କାରଗୁଡିକ ଘଣ୍ଟା ଘଣ୍ଟା ଧରି ବରଫରେ ପୋତି ରହିଥିଲା ଏବଂ ଲୋକମାନେ ଭିତରେ ବନ୍ଦ ହୋଇ ରହିଥିଲେ। ପ୍ରବଳ ଥଣ୍ଡା ଯୋଗୁଁ କାରରେ ବସିଥିବା ଲୋକମାନେ ସେଠାରେ ହିଁ ଜମି ଯାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ପ୍ରାୟ ୧୧୦୦ ଲୋକଙ୍କୁ ବରଫ ଭିତରୁ ଉଦ୍ଧାର କରାଯାଇଛି।
ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଦେଖିବାକୁ ମିଳିଛି ଯେ, ରାସ୍ତା ଉପରେ କାର୍ଗୁଡିକ ଲମ୍ବା ଲାଇନ୍ରେ ଠିଆ ହୋଇ ବରଫ ଭିତରେ ପୋତି ରହିଛି। ଅନେକ ସ୍ଥାନରେ କାର୍ ଉପରେ ଗଛ ମଧ୍ୟ ଉପୁଡି ପଡିଛି, ଫଳରେ ଗାଡିଗୁଡିକ ଆଗକୁ ବଢ଼ିବା ମୁସ୍କିଲ ହୋଇପଡିଥିଲା। ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।
ଏବେବି ମୁରିରେ ବରଫ ବର୍ଷା ଜାରି ରହିଛି। ଲୋକେ ରାସ୍ତାରେ ଗାଡି ରଖି ଚାଲି ଚାଲି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି। ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍ ରଶିଦ କହିଛନ୍ତି, ଦେଶରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ପର୍ଯ୍ୟଟକ ମୁରି ସହରକୁ ଯାଇଥିଲେ। କିନ୍ତୁ ଏତେ ବଡ ବିପର୍ଯ୍ୟୟ ବିଷୟରେ କାହାରି ଧାରଣା ନଥିଲା। ଏହି କାରଣରୁ ମୁରି ଆଡକୁ ଯାଉଥିବା ଟ୍ରାଫିକକୁ ବନ୍ଦ କରିବାକୁ ପଡିଥିଲା। ପ୍ରାୟ ଏକ ହଜାର ଗାଡି ସେଠାରେ ଅଟକି ରହିଛି, ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଉଦ୍ଧାର କାର୍ଯ୍ୟରେ ପାକିସ୍ତାନର ୫ ହଜାର ସେନା ନିୟୋଜିତ ଅଛନ୍ତି। ଆଗାମୀ ୨୪ ଘଣ୍ଟା ପାଇଁ ଏହି ରାସ୍ତାକୁ ବନ୍ଦ କରାଯାଇଛି। ଚାଲି ଚାଲି ଯାଉଥିବା ଲୋକଙ୍କ ମନା କରାଯାଇଛି ବୋଲି ପାକିସ୍ତାନ ଗୃହମନ୍ତ୍ରୀ କହିଛନ୍ତି।

Related Posts

Seo wordpress plugin by www.seowizard.org.