Odisha News

ନୟାଗଡ଼ ସିନ୍ଦୁରିଆରେ ପାଳିତ ହେଲେ ଇଦ୍ ପର୍ବ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୪/୫ : ଇସଲାମ ଧର୍ମର ଅନୁଗାମୀଙ୍କ ପାଇଁ ରମଜାନ ମାସ ଖୁବ ପବିତ୍ର। ଏମିତି କହିବାକୁ ଗଲେ ପ୍ରତିଟି ଦିନ ଓ ମାସ ପବିତ୍ର ଓ ମହତ୍ୱ ରଖେ । କିନ୍ତୁ ରମଜାନ ମାସର ସ୍ଥାନ ଖୁବ ଉଚ୍ଚରେ ।
ଏହି ମାସ ଆରମ୍ଭରୁ ସମସ୍ତ ଇସଲାମ ଧର୍ମର ବିଶ୍ଵବ୍ୟାପୀ ଅନୁଗାମୀ ତଥା ସମସ୍ତ ସାବାଳକ, ବାଳିକା ନିଜକୁ ସମ୍ପୂର୍ଣ୍ଣ ରୂପେ ଆହ୍ଲାଙ୍କ ନିକଟରେ ନିଜକୁ ସମର୍ପିଦିଅନ୍ତି ।
ଭୋର ୩ଟାରୁ ଉଠି ସନ୍ଧ୍ୟାର ସୂର‌୍ୟ୍ୟାସ୍ତ ଯାଏଁ ମାସବ୍ୟାପୀ ନିର୍ଜଳା ଉପବାସ ରହି କ୍ଷୁଧାର୍ଥର ଭୋକକୁ ଅନୁଭବ କରି ମାସ ବ୍ୟାପୀ ଦାନ, ଧର୍ମ ଓ ଆରାଧନାରେ ନିଜକୁ ନିୟୋଜିତ କରନ୍ତି । ଲୋଭାସକ୍ତ ସଂସାରରେ ମଣିଷ ଅର୍ଥପ୍ରିୟ, ବସ୍ତୁବାଦୀ, ତଥା କ୍ଷମତାଶାଳୀ ହେବାକୁ ପ୍ରତିଯୋଗିତା କରିଥାଏ ।
ଏହି ମାସରେ ଯେତେ ଦୂର ସମ୍ଭବ ଅନ୍ୟାୟ, ଅନୀତି, ଦୁର୍ନୀତି, ହିଂସା, ଦ୍ୱେଷ ଓ ପାପକାର‌୍ୟ୍ୟ ଠାରୁ ସଭିଏଁ ନିଜକୁ ଦୂରେଇ ରଖିଥାନ୍ତି । ଦିନରେ ୫ଥର ବାଧ୍ୟତା ନମାଜ ସହିତ ଅଧିକରୁ ଅଧିକ ନଫିଲ ନମାଜ ଓ ରାତିରେ ତରାବିହ ନମାଜ ପାଠ କରିବା ସହିତ ଅଧିକରୁ ଅଧିକ କୋରାନ ପାଠ କରାଯାଏ ।
ଏମିତି କି ପ୍ରତିଟି ଜୀବନର ପ୍ରତି ବଦଳରେ ମୁଣ୍ଡପିଛା ୬୫ଟଙ୍କା ଫିତରା ଓ ସଞ୍ଚିତ ସୁନାରୂପା ସହିତ ବଳକା ଅର୍ଥକୁ ହିସାବ କରି ପ୍ରତି ଶହେ ଟଙ୍କାରେ ଅଢେଇ ଟଙ୍କା ଜକାତ ଅର୍ଥ ବାହାରକରି ଦୁସ୍ଥ, ନିଷ୍ପେସିତ, କ୍ଷୁଧାର୍ଥ ଓ ଅସହାୟ ଗରିବଙ୍କୁ ଦାନ କରାଯାଏ । ଇସଲାମ ଧର୍ମରେ ଅଛି ଯଦି ତୁମ ପଡିଶା ଘର ଅଭାବୀ ତଥା ଗରିବ ଶ୍ରେଣୀର ହୋଇଥାଏ ତେବେ ସେ ଯେ କୌଣସି ଧର୍ମର ଲୋକ ହେଇଥାଉ ନା କାହିଁକି ପ୍ରଥମେ ତୁମର ଦାନ ତାକୁ ହିଁ ଦିଆଯାଉ ।
ତେଣୁ ଏହି ମାସରେ ଅଧିକରୁ ଅଧିକ ଅର୍ଥ, ଲୁଗା ପଟା ଓ ଖାଦ୍ୟପେୟ ଦାନକରି ଯେତେ ପୁଣ୍ୟ ଅର୍ଜନ କରାଯାଇପାରେ। ଶାସ୍ତ୍ରରେ ଅଛି ଇଦର ପ୍ରକୃତ ଖୁସି ତା ପାଇଁ ଯିଏ ମାସ ତମାମ ନିଜକୁ ଈଶ୍ୱରଙ୍କ ନିକଟରେ ସମର୍ପିଦେଇ, ଉପବାସ, ନମାଜ ଓ ଦାନଧର୍ମରେ ନିଜକୁ ନିୟୋଜିତ କରିଥାଏ ।
ଇଦ ଅର୍ଥ ଖୁସି ବା ବାରମ୍ବାର ଲେଉଟି ଆସି ବିଶ୍ୱକୁ ଅଭିନନ୍ଦିତ କରୁଥିବା ଦିବସକୁ ଇଦ କୁହାଯାଏ । ଇସଲାମ ଏକ ଶାନ୍ତିପ୍ରିୟ ଧର୍ମ । ଯେଉଁ ଧର୍ମ ମଣିଷକୁ ସଂଯମତା, ମାନବିକତା ଓ ଈଶ୍ୱରଭକ୍ତି ଶିଖାଏ ସେ ଧର୍ମ କେବେବି ହିଂସା, ଦ୍ୱେଷ ଓ ଆତଙ୍କବାଦ ଶିଖାଏ ନାହିଁ । କେବଳ ଇସଲାମ ନୁହଁ ସମସ୍ତ ଧର୍ମର ମୂଳମନ୍ତ୍ର ହେଉଛି ମାନବବାଦ ଓ ଶାନ୍ତି । ଯିଏ ଇସଲାମ ନାମରେ ହିଂସା କରେ ଓ ଆତଙ୍କବାଦକୁ ସମର୍ଥନ କରେ ସେ ପ୍ରକୃତରେ ମୁସଲିମ ନୁହେଁ ।
ସେ ହେଉଛି ମାନବ ରୂପୀ ସୈତାନ ଅଟେ । ଏଭଳି ମଣିଷର ଇସଲାମ ସହିତ କୌଣସି ସମ୍ପର୍କ ନାହିଁ । ଇଦ ଭଳି ଏକ ମହାନ ପର୍ବରେ ଭାଇଚାରାରେ ସଭିଏଁ ମିଳିମିଶି ଧର୍ମର ଉର୍ଦ୍ଧ୍ଵରେ ଉଠି ଖୁବ ଆଡମ୍ବରରେ ପାଳନ କରିବା ସହିତ ସଭ୍ୟତାର ଗଙ୍ଗା ଯମୁନା ସଂସ୍କୃତିକୁ ଉଜ୍ଜୀବିତ କରିବା।
ଏହି ଅବସରରେ ନୟାଗଡ଼ ସିନ୍ଦୁରିଆରେ ସମୂହ ଇଦଗାହରେ ଆଜି ଇଦ ନମାଜ ପଢ଼ାଇଥିଲେ ମୌଲାନା ଜଲାଲୁଦ୍ଦିନ ଖାନ। ନୟାଗଡ଼ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭିକାରୀ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ ଓ ସୁବାଷ କଁହର ପ୍ରମୁଖ ଇଦ ଅବସରରେ ଇଦଗାହ ପହଞ୍ଚି ମୁସଲମାନ ଭାଇଙ୍କ ମହାପର୍ବ ଇଦରେ ସାମିଲ ହୋଇ ଶୁଭେଚ୍ଛା ଜଣାଇଥିଲେ।

Related Posts

Seo wordpress plugin by www.seowizard.org.