Odisha News

ନିର୍ବନ୍ଧ ସାରି ଫେରୁଥିଲେ, ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍

ସିନ୍ଧେକେଲା,୧୪/୧: ପୁଅର ନିର୍ବନ୍ଧ ସାରି ଝିଅ ଘରୁ ହସଖୁସିରେ ପିକ୍ଅପ୍ ଭ୍ୟାନରେ ଘରକୁ ଫେରୁଥିଲେ ପରିବାର ଲୋକେ। ହେଲେ ସେମାନଙ୍କ ସେହି ଖୁସି ବେଶି ସମୟ ରହି ନଥିଲା। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ବୁଢିପଦର ଗାଁ ନିକଟରେ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଜଣ ଗୁରୁତର ହୋଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ ଗତକାଲି ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦର ଗାଁର ଏକ ପରିବାର ମୋଦିବାହାଲ ବ୍ଲକର ସିଲେଟପଡ଼ା ଗାଁକୁ ଭୋଜି ଖାଇବାକୁ ଯାଇଥିଲେ। ସନ୍ଧ୍ୟାରେ ସେମାନେ ଏକ ପିକଅପ୍ ଭ୍ୟାନ୍ ଯୋଗେ ଗାଁକୁ ଫେରୁଥିଲେ। ହେଲେ ବୁଢିପଦର ଗାଁ ନିକଟରେ କୌଣସି କାରଣରୁ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା।
ମୃତକ ହେଲେ ଗମ୍ଭୀର ଚଣ୍ଡୀ(୩୫)। ଏହି ଘଟଣାରେ ୩ ଜଣ ଗୁରୁତର ହୋଇ ସିନ୍ଧେକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଛି। ଏନେଇ ସିନ୍ଧେକେଲା ଥାନାରେ ଏକ ମାମଲା ରୁଜୁ ହେବା ସହିତ ଘଟଣାର ତଦନ୍ତ ଚାଲିଛି। ପୁଲିସ ଗାଡ଼ି ଚାଳକକୁ ଖୋଜୁଥିବାର ସୂଚନା ରହିଛି। ଏଣେ ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Related Posts

Seo wordpress plugin by www.seowizard.org.