Odisha News

ଧାମନଗରରେ ହେବ ସ୍ୱାଭିମାନର ଲଢେଇ, ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଲେ ରାଜେନ୍ଦ୍ର ଦାସ

ଭଦ୍ରକ ,୧୪/୧୦: ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଚରମ ସୀମାରେ ପହଞ୍ଚିଛି ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ। ଦଳ ପକ୍ଷରୁ ଟିକେଟ ନ ମିଳିବାରୁ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ଆଜି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବେ। ଏନେଇ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି ରାଜେନ୍ଦ୍ର।
ସେ କହିଛନ୍ତି, ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି। ୨୦୧୯ ନିର୍ବାଚନରେ ମୁଁ ଅଳ୍ପ ବ୍ୟବଧାନରେ ହାରିଥିଲି। କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ସେତେବେଳେ ନିର୍ବାଚନ ହାରିଥିଲି। ଲୋକମାନଙ୍କ ଆସ୍ଥା ମୋ ଉପରେ ରହିଛି। ଏଥିପାଇଁ ମୁଁ ନିର୍ବାଚନ ଲଢ଼ିବି। ଧାମନଗରବାସୀ ମୋ ସହ ଅଛନ୍ତି, ମୁଁ ନିଶ୍ଚୟ ବିଜୟୀ ହେବି।
ଧାମନଗନର ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ବିଜେପି ପକ୍ଷରୁ ସୂର‌୍ୟ୍ୟ ବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଯାଇଛି।
ବିଜେଡି ପକ୍ଷରୁ ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ସମୟରେ ରାଜୁଙ୍କ ଉପସ୍ଥିତିରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା। ରାଜୁ ସେତେବେଳେ ଏହାକୁ ସମର୍ଥନ କରିଥିଲେ। ହେଲେ ଭୁବନେଶ୍ୱରରୁ ଫେରି ଭଦ୍ରକରେ ପହଞ୍ଚିବା ପରେ ସ୍ଥିତି ବଦଳି ଯାଇଥିଲା। ଏହାସହ ସେ ଗତକାଲି ଏକ ଲୁହ ଭିଜା ଚିଠି ଲେଖି ଧାମନଗରବାସୀଙ୍କୁ ସେମାନଙ୍କ ମତ ମାଗିଥିଲେ।
ଏପରିକି ତାଙ୍କ ପ୍ରତି ୨୦୧୯ରେ କିଭଳି ଅନ୍ୟାୟ କରାଯାଇଥିଲା, ତାହା ମଧ୍ୟ ସେ ଏଥିରେ ଉଲ୍ଲେଖ କରିଥିଲେ। ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିବାରୁ ବିଜେଡିର ଏକ ଟିମ୍ ପହଞ୍ଚି ରାଜେନ୍ଦ୍ର ଓ ତାଙ୍କ ସମର୍ଥକଙ୍କୁ ବୁଝାସୁଝା କରିଥିଲା। ହେଲେ କିଛି ଲାଭ ହୋଇ ନଥିଲା। ଆଜି ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ।

Related Posts

Seo wordpress plugin by www.seowizard.org.