ଦୋକାନ ଘର ଭିତରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍ ଜବତ କଲା ପୁଲିସ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୬/୬: ଦୋକାନ ଘର ଭିତରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ । ଘରେ କେହି ନଥିବା ବେଳେ ମାନସିକ ଭାରସାମ୍ୟ ହରାଇ ବ୍ୟବସାୟୀ ଜଣକ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ମୃତକ ହେଉଛନ୍ତି ପାବୁରିଆ ଗାଁର ବ୍ୟବସାୟୀ ଶିବାନନ୍ଦ ଦାସ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ସୋମବାର ସକାଳୁ ବ୍ୟବସାୟୀ ଶିବାନନ୍ଦ ଦୋକାନ ନ ଖୋଲିବାରୁ ପାଖ ପଡ଼ୋଶୀ ଲୋକେ କବାଟ ବାଡ଼େଇ ଡାକିଥିଲେ । ଭିତରୁ କିଛି ଉତ୍ତର ନପାଇବାରୁ ସନ୍ଦେହ ହୋଇଥିଲା ଏବଂ ପୁଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ଖବରପାଇ ସାରଙ୍ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ପରିବାର ଲୋକେ ପହଞ୍ଚିବା ପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ସେପଟେ ଜାଗାବାଡ଼ି କିଣାବିକାକୁ ନେଇ ଲକ୍ଷାଧିକ ଟଙ୍କା ଦେଇ ହତାଶ ହୋଇ ଶେଷରେ ଆତ୍ମହତ୍ୟା କରିବାକୁ ଶିବାନନ୍ଦ ବାଧ୍ୟ ହୋଇଛନ୍ତି ବୋଲି ପରିବାର ଲୋକେ କହିଛନ୍ତି ।