Odisha News Sports News

ଦୀପ ଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ଭୁବନେଶ୍ବର,୮/୧୦: ଓଡ଼ିଆ ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏସୀୟ ହକି ବ୍ରୋଞ୍ଜ ବିଜୟୀ ଦୀପଗ୍ରେସ ପାଇଁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ଘୋଷଣା କରିଛନ୍ତି। ଭାରତୀୟ ହକି ଟିମ୍ର ଓଡ଼ିଆ ଝିଅ ଦୀପଗ୍ରେସ ଏହି ପାଇବେ ପୁରସ୍କାର।
ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସ୍ ଏକ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏସୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିଥିବାରୁ ଦୀପଗ୍ରେସଙ୍କୁ ଯୁବପୀଢ଼ିଙ୍କ ପାଇଁ ଆଦର୍ଶ ହୁଅନ୍ତୁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଲୁଲକିଡିହି ଗାଁର ଦୀପଗ୍ରେସ ୨୦୧୧ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେହିଦିନ ଠାରୁ ସେ ଜାତୀୟ ଦଳରେ ପ୍ରମୁଖ ଅଂଶଗ୍ରହଣ କରିଆସୁଛନ୍ତି। ଗତ ମେ’ ମାସରେ ସେ ୨୫୦ ଅନ୍ତର୍ଜାତୀୟ କ୍ୟାପ୍ସ ପୂରା କରିଥିଲେ।
ସ୍ବର୍ଣ୍ଣ ପଦକ ଆଶା ଭାଙ୍ଗିବା ପରେ ଭାରତୀୟ ମହିଳା ହକି ଦଳ କାଂସ୍ୟ ମୁକବିଲାରେ ବିଜୟୀ ହୋଇଛି। ଫଳରେ ମହିଳା ହକି ଦଳ ଏସିଆଡ୍ରେ ଚତୁର୍ଥ ଥର କାଂସ୍ୟ ଜିତିଛି। ଶନିବାର ମ୍ୟାଚ୍ରେ ଭାରତ ୨-୧ ଗୋଲ୍ରେ ଜାକର୍ତ୍ତା ସ୍ବର୍ଣ୍ଣ ବିଜେତା ଜାପାନକୁ ପରାସ୍ତ କରିଥିଲା।
ପଞ୍ଚମ ମିନିଟ୍ରେ ଦୀପିକାଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ଦ୍ବିତୀୟ କ୍ବାର୍ଟରରେ ଏହି ଗୋଲ୍ଟି ଜାପାନ ଅଧିନାୟିକା ୟୁରି ନଗାଇ (୩୦ ମିନିଟ୍) ଶୁଝି ସ୍ଥିତି ବରାବର କରିଥିଲେ।
ଫଳରେ ପ୍ରଥମାର୍ଦ୍ଧ ୧-୧ରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟରେ ସରିବା ପରେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଓଡ଼ିଆ ଝିଅ ଦୀପଗ୍ରେସ ଏକ୍କାଙ୍କ ପାସ୍କୁ ସୁଶିଳା ଚାନୁ ପୁଖ୍ରାମ୍ବମ (୫୦ ମିନିଟ୍) ଗୋଲ୍ ଦେଇ ଭାରତକୁ ବିଜୟ ଦିଗରେ ନେଇଥିଲେ। ଶେଷ ପର‌୍ୟ୍ୟନ୍ତ ଆଉ ଗୋଲ୍ ନ ହେବାରୁ ଭାରତ ସେ ୨-୧ ବ୍ୟବଧାନରେ ବିଜୟୀ ହୋଇ କାଂସ୍ୟ ପଦକ କରାୟତ୍ତ କରିଥିଲା।
ଉନ୍ନବିଂଶ ଏସୀୟ କ୍ରୀଡ଼ାରେ ଭାରତ ୧୦୦ ପଦକ ପୂରଣ କରି ଇତିହାସ ରଚିଛି। ମହିଳା କବାଡ଼ି ଦଳ ସ୍ବର୍ଣ୍ଣ ଜିତି ଦେଶର ୧୦୦ ପଦକ ପୂରଣ କରିବାର ଗୌରବ ଅର୍ଜନ କରିଥିଲା। ଶନିବାର ସୁଦ୍ଧା ଭାରତର ପଦକ ସଂଖ୍ୟା ୧୦୭ (୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ)ରେ ପହଞ୍ଚିଛି।
ରବିବାର ଉଦ୍ୟାପନୀ ଦିବସରେ ଭାରତର ପ୍ରତିଯୋଗିତା ନଥିବାରୁ ଏହି ପଦକ ଏବଂ ଚତୁର୍ଥ ସ୍ଥାନ ସହ ଚଳିତ ସଂସ୍କରଣ ଅଭିଯାନ ଶେଷ କରିଛି। ୭୨ ବର୍ଷର ଏସିଆଡ୍ ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ୨୦୧୮ ଜାକର୍ତ୍ତା ସଂସ୍କରଣରେ (୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ, ୩୧ କାଂସ୍ୟ) ୭୦ ପଦକ ଶ୍ରେଷ୍ଠ ଥିଲା।
ତେବେ ମାନ୍ୟତାରେ ଏହା ତୃତୀୟ ଶ୍ରେଷ୍ଠ। ପୂର୍ବରୁ ଉଦ୍ଘାଟନୀ ସଂସ୍କରଣ (୧୯୫୧ ନୂଆଦିଲ୍ଲୀ)ରେ ଭାରତ ୧୫ ସ୍ବର୍ଣ୍ଣ ସହ ୫୧ ପଦକରେ ଦ୍ବିତୀୟ ଏବଂ ଜାକର୍ତ୍ତା (୧୯୬୨)ରେ ୧୦ ସ୍ବର୍ଣ୍ଣ ସହ ୩୩ ପଦକ ତୃତୀୟ ସ୍ଥାନରେ ରହିଥିଲା। ଶନିବାର ଭାରତକୁ ୬ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ସହ ୧୨ ପଦକ ମିଳିଥିଲା।

Related Posts

Seo wordpress plugin by www.seowizard.org.