Odisha News

ଦିଗପହଣ୍ଡି ଦୁର୍ଘଟଣା : ମୃତକଙ୍କ ସଂପର୍କୀୟଙ୍କ ପାଇଁ ୩ ଲକ୍ଷର ଅନୁକମ୍ପା ରାଶି ଘୋଷଣା

ଗଞ୍ଜାମ,୨୬/୬ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜୀବନ ଚାଲି ଯାଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି।
ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମୃତକଙ୍କ ପରିବାରପାଇଁ ସହାୟତା ରାଶି ଘୋଷଣା କରାଯାଇଛି।
ଖେମୁଣ୍ଡି କଲେଜ ନିକଟରେ ବସ୍ ଦୁର୍ଘଟଣାରେ ୧୨ ଜଣ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରେ ୬ଜଣ ପୁରୁଷ,୪ ଜଣ ମହିଳା ଓ ୨ଜଣ ଶିଶୁ ରହିଛନ୍ତି। ସମସ୍ତ ମୃତକଙ୍କ ସଂପର୍କୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଏଥିସହ ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଦିଗପହଣ୍ଡିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ନିମନ୍ତେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଦିଗପହଣ୍ଡି ବସ୍ ଦୁର୍ଘଟଣା ଖବର ସମଗ୍ର ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ବୈଜୟନ୍ତ ପଣ୍ଡା ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ଙଝଜଞଉ ବସ୍ ଓ ଘରୋଇ ବସ୍ରେ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ମଧ୍ୟରେ ୬ଜଣ ପୁରୁଷ,୪ ଜଣ ମହିଳା ଓ ୨ଜଣ ଶିଶୁ ଥିବା ଜଣାପଡ଼ିଛି।
ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍ରେ ପ୍ରାୟ ୨୫ ଜଣ ହଖୁସିରେ ଖଣ୍ଡଦେଉଳି ଫେରୁଥିଲେ । ଆଉ ମାତ୍ର ୭ କିମି ପରେ ସେମାନେ ନିଜ ଘରେ ପହଞ୍ଚି ଯାଇଥାନ୍ତେ । ମାତ୍ର ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା। ଏହି ଯାତ୍ରା ସେମାନଙ୍କ ଶେଷ ଯାତ୍ରା ହେବ ବୋଲି କେହି ଭାବି ନ ଥିଲେ । ଏକ ଙଝଜଞଉ ବସ୍ ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିବା ବେଳେ ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ଖବର ପାଇ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ବ୍ରହ୍ମପୁର ଏସପି ଓ ତହସିଲଦାର ପହଞ୍ଚି ଉଦ୍ଧାର କାର‌୍ୟ୍ୟକୁ ତଦାରଖ କରିଥିଲେ ।
ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଥିବା ଜଣାଯାଇଛି। ମେଡିକାଲ ପରିସରର ଦୃଶ୍ୟ ଅତ୍ୟନ୍ତ କରୁଣ ଥିଲା। ଲୋକଙ୍କ ବୁକୁଫଟା କ୍ରନ୍ଦନ ଶୁଣି ଯେକେହି ବି କୋହ ସମ୍ଭାଳିବା ଅସମ୍ଭବ । କିଏ ନିଜ ଛୁଆର ମୃତଦେହକୁ କୋଳରେ ଧରି ମୁଣ୍ଡ ପିଟୁଥିଲା ତ କେଉଁଠି ମା’, ବାପା ମୃତଦେହ ଦେଖି ଛୁଆ କିଛି ବୁଝି ପାରୁ ନ ଥିଲା।
ଏନେଇ ବ୍ରହ୍ମପୁର ଏସ୍ପି ଏମ୍ ଶ୍ରବଣ କୁମାର କହିଛନ୍ତି, ଦୁର୍ଘଟଣା ବିଳମ୍ବିତ ରାତିରେ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ତୁରନ୍ତ କ୍ଷତିପୂରଣ ଦାବି କରି ଦୁଇଟି ସ୍ଥାନରେ ରାସ୍ତାରୋକ କରିଥିଲେ। ମାତ୍ର ବୁଝାଶୁଝା କରାଯିବା ସହ କ୍ଷତିପୂରଣର ପ୍ରତିଶ୍ରୁତି ଦିଆଯିବାରୁ ସେମାନେ ରାସ୍ତାରୋକରୁ ହଟିଥିଲେ। ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଦୁର୍ଘଟଣା କାହିଁକି ଘଟିଲା ତାହାର ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ସମସ୍ତ ଘଟଣା ପଦାକୁ ଆସିବ । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

Related Posts

Seo wordpress plugin by www.seowizard.org.