Odisha News

ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର, ୩/୯ : ଅନେକ ଖୋଳ ତାଡ଼ ପରେ ଶେଷରେ ଗିରଫ ହୋଇଛନ୍ତି ତାଳଚେର ଖଣି ଉପ ନିର୍ଦ୍ଦେଶକ । ମଙ୍ଗଳବାର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପ ନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଗିରଫ କରିଛି ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ । ଗତକାଲି ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ଚଢ଼ାଉ କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି । ଜବତ ସମ୍ପତ୍ତିର ସେ ସନ୍ତୋଷ ଜନକ ଉତ୍ତର ନ ଦେଇ ପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
ସୋମବାର ତାଳଚେର ଖଣି ଉପ ନିର୍ଦ୍ଦେଶକ ଧରଣୀଧର ନାୟକଙ୍କର ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ତାଙ୍କର ୨ଟି ଦୁଇ ମହଲା କୋଠା, ୧ କୋଟି ୩୦ ଲକ୍ଷ ମୂଲ୍ୟର ଫ୍ଲାଟ୍, ଗୋଟାଏ ଡ୍ୟୁପ୍ଲେକ୍ସ ଘର, ୨ଟି ମାର୍କେଟ୍ କମ୍ପ୍ଲେକ୍ସ, ୯ଟି ପ୍ଲଟ୍, ୫୩ ଲକ୍ଷ ଜମା ରାଶି ଓ ୯ ଲକ୍ଷ ୮୩ ହଜାର ନଗତ ଟଙ୍କା ଜବତ କରାଯାଇଛି । ଧରଣୀଧରଙ୍କର ଅନୁଗୁଳ, ଭୁବନେଶ୍ୱର ଓ କେନ୍ଦୁଝରରେ ଥିବା ଘରେ ଚଢ଼ାଉ ହୋଇଥିଲା ।
ଭୁବନେଶ୍ୱର ପଟିଆସ୍ଥିତ ଶିଶୁ ବିହାରର ସୁରେଖା ଅର୍ଚିଡରେ ତିନି ବଖରା ବିଶିଷ୍ଟ ୧ କୋଟି ୩୦ ଲକ୍ଷ ମୂଲ୍ୟର ଫ୍ଲାଟ୍ ଓ ସୁନ୍ଦରପଦାରେ ୧୮୦୦ ବର୍ଗ ଫୁଟ ଜମିରେ ଗୋଟେ ଘର ରହିଥିବା ଜଣା ପଡ଼ିଥିଲା । କେନ୍ଦୁଝର ତେଲକୋଇରେ ବଡ଼ିନାଲି ସିଙ୍କୁଳବାହାଲରେ ଦୁଇ ମହଲା ବିଶିଷ୍ଟ ମାର୍କେଟ୍ କମ୍ପ୍ଲେକ୍ସ ମଧ୍ୟ ରହିଛି, ଯେଉଁଥିରେ ମୋଟ ୧୫ଟି ଦୋକାନ ରହିଛି । ସେହିପରି ସିଙ୍କୁଳବାହାଲ ଜଗମୋହନପୁରରେ ନିର୍ମାଣଧିନ ଅବସ୍ଥାରେ ଆଉ ଏକ ମାର୍କେଟ୍ କମ୍ପ୍ଲେକ୍ସ ମଧ୍ୟ ଠାବ ହୋଇଛି । ତେଲକୋଇ ଛାମୁଣ୍ଡା ଗାଁରେ ଗୋଟିଏ ଘର ରହିଛି ।

Related Posts

Seo wordpress plugin by www.seowizard.org.