Odisha News

ଡ୍ରାଇଭର ସଂଘକୁ ମୁଖ୍ୟ ଶାସନ ସଚିବଙ୍କ ଅପିଲ୍- ଜନ ସାଧାରଣଙ୍କୁ ଅସୁବିଧାରେ ନପକାଇ ଆନ୍ଦୋଳନରୁ କ୍ଷାନ୍ତ ରୁହନ୍ତୁ

ଭୁବନେଶ୍ବର,୧୭/୩: ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ଶୁକ୍ରବାର ୩ୟ ଦିନରେ ପହଞ୍ଚିଛି। ଡ୍ରାଇଭର ମହାସଂଘ ୧୦ ଦଫା ଦାବିରେ ଆନ୍ଦୋଳନକୁ ଜାରି ରଖିଥିବା ବେଳେ ପ୍ରଶାସନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛି। ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅପିଲ କରିଛନ୍ତି। ଅନ୍ୟପଟରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଡ୍ରାଇଭରମାନଙ୍କୁ ତାଗିଦ୍ ଓ କାର‌୍ୟ୍ୟାନୁଷ୍ଠାନ କଥା କହି ଡରାଇଛନ୍ତି।
ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମୟରେ ସରକାର ଆଲୋଚନା କରିଛନ୍ତି। ଡ୍ରାଇଭରଙ୍କ ଦାବିକୁ ସହୃଦୟତା ସହ ଗ୍ରହଣ କରାଯାଇଛି। ଗତକାଲି ମହାସଂଘ ସହ ସକାରାତ୍ମକ ଆଲୋଚନା ହୋଇଛି। ଦୃଢ଼ ଓ ନିର୍ଭର ପ୍ରତିଶ୍ରୁତି ଦେଇଥିଲି।
କିନ୍ତୁ କିଛି ସ୍ଥାନରେ ଧର୍ମଘଟ ଜାରି ରହିଛି। ପିଲାଙ୍କ ପରୀକ୍ଷା ଜାରି ରହିଛି। ଧର୍ମଘଟ ପାଇଁ ପିଲାଙ୍କ ଭିତରେ ମାନସିକ ଚାପ ରହିଛି, ଯାହା ପିଲାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ୁଛି। ଆନ୍ଦୋଳନ ପାଇଁ ରୋଗୀ ଓ ଆତ୍ୟବଶ୍ୟକୀୟ ସାମଗ୍ରୀ ପରିବହନରେ ପ୍ରଭାବିତ ହେଉଛି। ତିନୋଟି ରାଜ୍ୟରେ ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିଛନ୍ତି।
ଆମେ ଅନୁଧ୍ୟାନ କରି ତାଙ୍କ ଦାବି ପୂରଣ କରିବୁ। ଡ୍ରାଇଭର ମହାସଂଘ ଆନ୍ଦୋଳନରୁ କ୍ଷାନ୍ତ ରହନ୍ତୁ। ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ ନାରେ ଆଇନ୍କୁ ହାତକୁ ନିଅନ୍ତୁ ନାହିଁ। ଲୋକଙ୍କ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ। ମହାସଂଘ ବିକ୍ଷୋଭ ପ୍ରଦର୍ଶନ ସମୟରେ କିଛି ଅଣ ଡ୍ରାଇଭର ସାମିଲ ହୋଇ ହିଂସା ଓ ଅଘଟଣ ଘଟାଉଛନ୍ତି।
ଅନ୍ୟପଟରେ ପୁଲିସ ଡିଜି ସୁନୀଲ ବଂସଲ ଡ୍ରାଇଭରମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତିଶ୍ରୁତି ଦେଲା ପରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ଆଇନ୍ ଅନୁଯାୟୀ ଧର୍ମଘଟ ହେଉନାହିଁ। ଗତକାଲି କିଛି ସ୍ଥାନରେ ପୁଲିସ ଉପରେ ଆକ୍ରମଣ କରି ଆଇନ୍କୁ ହାତକୁ ନିଆଯାଇଛି ।
ଡ୍ରାଇଭରଙ୍କ ସହ କିଛି କ୍ରିମିନାଲ ରହି ଆଇନ୍କୁ ଭାଙ୍ଗି ଡ୍ରାଇଭର ଆନ୍ଦୋଳନକୁ ବ୍ୟାଘାତ କରୁଛନ୍ତି। ଆଇନ୍ କେହି ହାତକୁ ନେଇ ପାରିବେନି। ଆଇନ୍କୁ ହାତକୁ ନେଲେ ଆମେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆନ୍ଦୋଳନ ନ କରି ଆଲୋଚନାକୁ ଆସନ୍ତୁ। ଯଦି ସେମାନେ ଏଥିରେ ରାଜି ନ ହୁଅନ୍ତି, ଆଇନ୍ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ।

Related Posts

Seo wordpress plugin by www.seowizard.org.