Odisha News

ଜୟନ୍ତୀ ପଟ୍ଟନାୟକଙ୍କ ଶେଷ ଦର୍ଶନ କଲେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀଙ୍କ ସହ ଅନେକ କଂଗ୍ରେସ ନେତା

ଭୁବନେଶ୍ୱର, ୨୯/୯: ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଜୟନ୍ତୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଜୟନ୍ତୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ସାରସ୍ୱତ ଜଗତ ତଥା ଜନଜୀବନକୁ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ଟୁଇଟ୍ କରିଛନ୍ତି ରାଜ୍ୟପାଳ ।
ଗତକାଲି ତାଙ୍କର ପରଲୋକ ଘଟିଥିବାବେଳେ ଭୁବନେଶ୍ୱର ସ୍ଥିତ ବାସଭବନରେ ଆଜି ତାଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରୁଛନ୍ତି ଜ୍ଝ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ଅନ୍ୟ କଂଗ୍ରେସ ନେତାମାନେ ଶେଷଦର୍ଶନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଟୁଇଟ୍ କରିଛନ୍ତି ଯେ, ଜୟନ୍ତୀଙ୍କର ବିୟୋଗ ସମାଜସେବା ଓ ରାଜନୀତିରେ ଜଣେ ବିଶିଷ୍ଟ ନାରୀନେତ୍ରୀଙ୍କ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ୪ ଥର ସାଂସଦ ଥିଲେ । ଏଥିସହ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଥିଲେ ଜୟନ୍ତୀ ।

Related Posts

Seo wordpress plugin by www.seowizard.org.