Odisha News

ଜେଲ୍ ଗଲେ ନକଲି ଡାକ୍ତର, ଏମ୍‌ସ ଡାକ୍ତର କହି ବିଭିନ୍ନ ସ୍ଥାନରେ କରିଥିଲେ କ୍ଲିନିକ୍

ଭୁବନେଶ୍ୱର,୧୭/୭ : କ୍ୱାଲିଫିକେସନ ଯୁକ୍ତ ଦୁଇ ପାସ୍। ହେଲେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ଡାକ୍ତର କହି ରୋଗୀଙ୍କୁ କରୁଥିଲେ ଚିକିତ୍ସା। ବିଭିନ୍ନ ସ୍ଥାନରେ କ୍ଲନିକ କରି ରୋଗୀଙ୍କୁ ଦେଖି ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା। ବିଳାସ ବେସନରେ କାଟୁଥିଲେ ଦିନ। ହେଲେ ହଠାତ୍ ଖୋଲିଗଲା ତାଙ୍କର ମିଛ ପେଡ଼ି। ସେ ଦେଇଥିବା ମେଡିସିନ୍ ଖାଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ଅଭିଯୋଗ ଆଧାରରେ ଏହି ନକଲି ଡାକ୍ତରଙ୍କୁ ବାନ୍ଧିଥିଲା ପୁଲିସ। ଗିରଫ ନକଲି ଡାକ୍ତରଙ୍କ ନାଁ ଶୁଭ୍ରଜିତ ପଣ୍ଡା। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ।
ଅଭିଯୋଗ ଅନୁସାରେ, ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ।ରେ ତାଙ୍କର ଏକ ଘରୋଇ କ୍ଲନିକ ଥିବାବେଳେ କଟକ ରାଣୀହାଟରେ ମଧ୍ୟ ତାଙ୍କର ଏକ ଘରୋଇ କ୍ଲନିକ ରହିଛି। ଶନିବାର ଦିନ ସେ ଡେଙ୍ଗାଉସ୍ତ।କୁ ରୋଗୀ ଦେଖିବାକୁ ଆସୁଥିବା ବେଳେ ଅନ୍ୟ ଦିନମାନଙ୍କରେ ରାଣୀହାଟରେ ଥିବା କ୍ଲିନିକରେ ରୋଗୀଙ୍କୁ ଦେଖୁଥିଲେ। ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ୍ ନେଉଥିଲେ। ପ୍ରତିଦିନ ତାଙ୍କ ପାଖରେ ରୋଗୀଙ୍କର ଭିଡ଼ ଜମୁଥିଲା।
କିଛି ଦିନ ତଳେ ଡେଙ୍ଗାଉସ୍ତ।ରେ ରହୁଥିବା ଜଣେ ବୃଦ୍ଧାଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ବୃଦ୍ଧାଙ୍କୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ସେ ବୃଦ୍ଧାଙ୍କର ଚିକିତ୍ସା କରିଥିଲେ। ହେଲେ ବୃଦ୍ଧାଙ୍କ ଦେହ ଆଦୌ ଭଲ ହୋଇ ନଥିଲା। ବରଂ ଅଧିକ ଗୁରୁତର ହୋଇଥିଲା। ଏନେଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ପରେ ବୃଦ୍ଧାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିଲେ। ସେଠାରେ ବୃଦ୍ଧାଙ୍କର କିଡ୍ନୀ ଖରାପ ଥିବା ଜଣାପଡ଼ିଥିଲା। ହେଲେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଏନେଇ ବୃଦ୍ଧାଙ୍କ ପରିବାରକୁ କିଛି କହି ନଥିଲେ। ବରଂ ବାର ବାର ମେଡିସିନ୍ ଲେଖି ଚାଲିଥିଲେ। ଉପଯୁକ୍ତ ଚିକିତ୍ସା ନ କରିବାରୁ ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏନେଇ ବୃଦ୍ଧାଙ୍କ ପରିବାର ଲୋକେ ବ୍ରହ୍ମପୁର ଏସପିଙ୍କ ନିକଟରେ ଶୁଭ୍ରଜିତ ପଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ। ବ୍ରହ୍ମପୁର ଏସପି ଏକ ଟିମ୍ ଗଠନ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ।
ଖୋଳତାଡ ବେଳେ ଶୁଭ୍ରଜିତଙ୍କୁ ୨୦୨୦ ମସିହା ଫ୍ରେବୃଆରୀ ମାସରେ ତେଲେଙ୍ଗାନା ପୁଲିସ ଗିରଫ କରିଥିବା ଜଣାପଡ଼ିଥିଲା। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହି ଡାକ୍ତର ସମ୍ମିଳନୀରେ ଯୋଗଦେଇଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା। ବ୍ରହ୍ମପୁର ଏସପି ଏହା ଜାଣିବା ପରେ ଅଧିକ ଖୋଳତାଡ଼ ଆରମ୍ଭ କରିଥିଲେ।
ଗତକାଲି ଶନିବାର ଶୁଭ୍ରଜିତ ଡେଙ୍ଗାଉସ୍ତ।ରେ ଥିବା କ୍ଲିନିକ ଯାଇ ଛକିକୁ ରହିଥିଲା ପୁଲିସ। ଶୁଭ୍ରଜିତ କ୍ଲିନିକରେ ପହଞ୍ଚିବା ପରେ ରଙ୍ଗେ ହାତେ ତାଙ୍କୁ ଧରିଥିଲା। ପୁଲିସର ଏକ ଟିମ୍ ତାଙ୍କର କ୍ଲନିକରେ କାଗଜ ପତ୍ର ଯାଞ୍ଚ କରିଥିଲା। ପରେ ଶୁଭ୍ରଜିତଙ୍କୁ ନେଇ ପୁଲିସ ଟିମ୍ କଟକର ରାଣୀହାଟରେ ଥିବା କ୍ଲନିକକୁ ଆସିଥିଲେ। ସେଠାରେ ମଧ୍ୟ ପୁଲିସ କାଗତପତ୍ର ଯାଞ୍ଚ କରିଥିଲା। ଶୁଭ୍ରଜିତ ଯୁକ୍ତ ଦୁଇ ପାସ କରିଥିବା ଜଣାପଡ଼ିଥିଲା।
ଏହାସହ କିଛି ବର୍ଷ ପୂର୍ବରୁ ଶୁଭ୍ରଜିତ ବିଭିନ୍ନ ଡାକ୍ତରଙ୍କ ପାଖରେ ରହି କାମ କରିଥିଲା। ପରେ ନିଜେ ଡାକ୍ତର ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟ ମାନଙ୍କୁ ଧରି ରୋଗୀଙ୍କ ଚିକିତ୍ସା କରୁଥିଲା ବୋଲି ଜଣାପଡ଼ିଥିଲା। ଦୁଇ ଦିନର ଖୋଳତାଡ଼ କରିବା ପରେ ଆଜି ଦିଗପହଣ୍ଡି ପୁଲିସ ନକଲି ଡାକ୍ତର ଶୁଭ୍ରଜିତ ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି। ଏହାସହ କଟକରେ ଥିବା ଭଡ଼ା ଘରେ ପୁଲିସ ଯାଞ୍ଚ କରିଥିବା ଜଣାପଡ଼ିଛି। ଶୁଭ୍ରଜିତ ୨୪ ଦିନ ତଳେ ବିବାହ କରିଥିବା ସୂଚନା ମିଳିଛି।
ନକଲି ଡାକ୍ତର ଶୁଭ୍ରଜିତଙ୍କ କିଛି ପ୍ରତିକ୍ରିୟା ମିଳିନଥିବା ବେଳେ ପୁଲିସର ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।

Related Posts

Seo wordpress plugin by www.seowizard.org.