Odisha News

ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବରେ ବାଲିଗୁଡ଼ା ବ୍ଲକର ଦମଦାର ପ୍ରଦର୍ଶନ

ବାଲିଗୁଡ଼ା, ୧୫/୨: କନ୍ଧମାଳ ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବରେ ବାଲିଗୁଡ଼ା ବ୍ଲକର ଦମଦାର ପ୍ରଦର୍ଶନ । ଏ ନେଇ ବାଲିଗୁଡା ବ୍ଲକ୍ ପ୍ରଶାସନ ପକ୍ଷରୁ କୃତି ପ୍ରତିଯୋଗୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା ମହୋତ୍ସବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବାଲିଗୁଡ଼ା ବ୍ଲକରୁ ଦଳଗତ ୫ଟି ଓ ବ୍ୟକ୍ତିଗତ ୬ ଟି ଇଭେଣ୍ଟରେ ୧୧୬ ଜଣ ଆଦିବାସୀ ଯୁବକ ଯୁବତୀ ଭାଗ ନେଇଥିଲେ ।
କବାଡିରେ ପୁରୁଷ ଦଳ ଚମ୍ପିୟାନ ହୋଇଥିବା ବେଳେ ମହିଳା ଦଳ ରନର୍ସଅପ୍ ହୋଇଛନ୍ତି ।
ସେହିଭଳି ବ୍ୟାଡ୍ ମିଣ୍ଟନରେ ସିଙ୍ଗଲ୍ ଓ ଡବଲ୍ସ ରେ ଉଭୟ ପୁରୁଷ ଓ ମହିଳା ଦଳ ଚମ୍ପିୟାନ ହେବା ସହ ବିଭିନ୍ନ ଖେଳରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଯୁବକ ଯୁବତୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ତଥା ଲୋକ ଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦିବାସୀ ଯୁବ କ୍ରୀଡ଼ାବିତ୍ ।
ତ୍ରିବେଦୀ ପାର୍କରେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ
ବାଲିଗୁଡ଼ା,୧୫/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ତ୍ରିବେଦୀ ପାର୍କରେ କାର‌୍ୟ୍ୟରତ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ପାର୍କ ଭିତରେ ଥିବା ଏକ ଘରୁ ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
ମୃତ ସିକ୍ୟୁରିଟି ଗାର୍ଡ ବାଲିଗୁଡ଼ା ଥାନା ଗୁମାପଦର ନିକଟସ୍ଥ ବଲମରପଦର ଗ୍ରାମର ଦିବାକର ବିନ୍ଧାଣୀ ବୋଲି ଜଣାପଡିଛି । ସୂଚନା ପ୍ରକାରେ ନିଜ ନିଜ ଡିୟୁଟି ସାରି ପାର୍କରେ କାମ କରୁଥିବା ଛ ଜଣ କର୍ମଚାରୀ ପାର୍କ ତାଲା ପକାଇ ନିଜ ନିଜ ଘରକୁ ଚାଲିଯାଆନ୍ତି ।
ବୁଧବାର ଦିନ ମଧ୍ୟ ରାତି ୮ଟାରେ ପାର୍କ ବନ୍ଦ କରି ସମସ୍ତେ ଘରକୁ ଯିବାକୁ ବାହାରିଥିଲେ ହେଲେ ଦିବାକର ଯାଇନଥିଲେ । ଦିବାକର ନଯିବା କଥା ମଧ୍ୟ କେହି ଜାଣି ପାରିନଥିଲେ । ଘରକୁ ନଫେରିବାରୁ ଦିବାକରଙ୍କ ସ୍ତ୍ରୀ ଲଳିତା ବିନ୍ଧାଣୀ ସ୍ବାମୀଙ୍କୁ ଫୋନ୍ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇନଥିଲେ । ଗୁରୁବାର ସକାଳୁ କିଛି କର୍ମଚାରୀ ପାର୍କକୁ ଆସିବା ପରେ କୌଣସି କାମରେ ସେହି ଘର ଭିତରକୁ ଯିବାପରେ ଦିବାକର ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।
ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ହେଲେ ଦିବାକରଙ୍କ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ : ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ
ବାଲିଗୁଡ଼ା, ୧୫/୨: ଏକ ନମ୍ବର ବିହୀନ ବୋଲେରୋ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ । ୮୦ କେଜି ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ । କନ୍ଧମାଳ ଅବକାରୀ ଏସପି ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବାଲିଗୁଡ଼ା ଅବକାରୀ ସବ୍ ଇନ୍ସପେକ୍ଟର ସୁମିତ୍ରା ଦଳେଇ ନିଜ ଟିମ୍ ସହ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଥାନା ଡ୍ରାପ୍ ସାହି ନିକଟରେ ଏକ ନମ୍ବର ବିହୀନ ବୋଲେରୋ ଅବକାରୀ ପୋଲିସଙ୍କୁ ଦେଖି ଖସି ପଳାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସକ୍ଷମ ହୋଇନଥିଲା ।
ଗଞ୍ଜେଇ ଭର୍ତ୍ତି ବୋଲେରୋକୁ ଜବତ କରିବା ସହ କେରଳ ରାଜ୍ୟର ମାନାର୍ ଅଞ୍ଚଳର ଗଞ୍ଜେଇ ମାଫିଆ ଅଜୁବ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ୍ ।
ସେପଟେ ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ କେରଳ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଘଟଣାକୁ ନେଇ ଅଧିକ ତଦନ୍ତ ଜାରୀ ରଖିଛି ଅବକାରୀ ପୋଲିସ୍ ।

Related Posts

Seo wordpress plugin by www.seowizard.org.