Odisha News

ଜିରାଜିନ୍ନ ଅବସ୍ଥାରେ ପଡି ରହିଛି ତାମ୍ବିଦରହ ଇକୋ ରିଟ୍ରିଟ ପ୍ରକଳ୍ପ କାର୍ଯ୍ୟ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୬: ବୌଦ୍ଧ ଜିଲ୍ଲା ବଘିଆପଡା ପଂଚାୟତର ତାମ୍ବିଦରହ ଇକୋ ରିଟ୍ରିଟ ପ୍ରକଳ୍ପଟି ଏବେ ଜିରାଜିନ୍ନ ଅବସ୍ଥାରେ ପଡି ରହିଛି । କାର୍ଯ୍ୟ ଶେଷ ନ ହେଉଣୁ ଏଠାରେ ଲାଗିଥିବା ଅନେକ ଜିନିଷ ଭାଙ୍ଗି ନଷ୍ଟ ହୋଇଗଲାଣି । ଏହାର କାର୍ଯ୍ୟ କେବେ ସଂପୂର୍ଣ୍ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଏହି ପ୍ରକଳ୍ପ ୨୦୨୧-୨୨ ବର୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିଲା ।
ଏହାର ସମସ୍ତ କାର୍ଯ୍ୟ ବୌଦ୍ଧ ବ୍ଲକ ଅଧିନରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଦୁଇବର୍ଷ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାମ ଶେଷ ହୋଇପାରିନାହିଁ । ଏହି ପ୍ରକଳ୍ପରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଅନେକ କାର୍ଯ୍ୟ ଏବେବି ବାକି ରହିଛି । ଏହି ତାମ୍ବିଦରହ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ ଚାରଟି କଟେଜ ବା ତମ୍ବୁ ଘର ରହିଛି । ବର୍ତ୍ତମାନ ତାହା ବ୍ୟବହାର କରାଯାଉନଥିବାରୁ ଓ ରକ୍ଷଣବେକ୍ଷଣର ଅଭାବରୁ ତାହା ଧିରେଧିରେ ନଷ୍ଟ ହେବାକୁ ବସିଲାଣି ।
ତମ୍ବୁଘର ଭିତରେ ପଡିବା ପାଇଁ ବିଭିନ୍ନ ସାମଗ୍ରୀ କିଣା ଯାଇଥିଲେ ମଧ୍ୟ ତାହା ସେଠାରେ ପକାଯାଇନାହିଁ । କେବଳ ସୌର ଲାଇଟ, ପାନୀୟ ଜଳର ବ୍ୟବସ୍ଥା ରହିଛି । ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ରିଟ୍ରିଟ ସମ୍ମୁଖରେ ଲଗାଯାଇଥିବା ଘାସ ଓ ଅନେକ ଫୁଲ ଗଛ ଗୁଡିକ ମରି ନଷ୍ଟ ହୋଇ ଗଲାଣି । ସେହିପରି ଲଗାଯାଇଥିବା ବିଦ୍ୟୁତ ସାମଗ୍ରୀ ନଷ୍ଟ ହୋଇଗଲାଣି । ବୌଦ୍ଧଜିଲ୍ଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଥିବା ବେଳେ ଅନେକ ପର୍ଯ୍ୟଟନସ୍ଥଳି ରହିଛି ।
ହେଲେ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଏହି ପର୍ଯ୍ୟଟନସ୍ଥଳି ଗୁଡିକ ଅବହେଳିତ ହୋଇ ପଡିରହିଛି । ଯାହାଫଳରେ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ଜିଲ୍ଲାରେ ଥିବା ଅନେକ ପର୍ଯ୍ୟଟନସ୍ଥଳି ମଧ୍ୟରେ ତାମ୍ବିଦରହ ଇକୋ ରିଟ୍ରିଟ ଅନ୍ୟତମ । ହେଲେ ଏହାଏବେ ଅଧପନ୍ତରିଆ ହୋଇ ପଡିରହିଛି ।
ଏହି ଇକୋ ରିଟ୍ରିଟ ସାଲୁଙ୍କି ନଦୀର କୂଳରେ ରହିଥିବା ବେଳେ ଗୋଟିଏ ପଟେ ସାଲୁଙ୍କି ନଦୀ ଅନ୍ୟ ପଟେ ପ୍ରାକୃତିକ ସବୁଜିମା ମାଧ୍ୟରେ ଏକ ମନୋରମ ପରିବେଷ ମଧ୍ୟରେ ଏହି ପ୍ରକଳ୍ପଟି ରହିଛି । ସୂର୍ଯ୍ୟାସ୍ତ ସମୟରେ ଏଠାକାର ପରିବେଷ ମନଲୋଭା ହୋଇଥାଏ । ଏହି ପ୍ରକଳ୍ପ କାର୍ଯ୍ୟ ଶେଷହେଲେ ଅନେକ ପର୍ଯ୍ୟଟକ ଏଠାକୁ ଆସି ସେମାନଙ୍କ ସମୟ ବିତାଇବା ସହିତ ଏଠାରେ ଥିବା ପ୍ରକୃତିକ ପରିବେଶର ମଜା ଉଠାଇ ପାରନ୍ତେ । ସ୍ଥାନିୟ ବାସିନ୍ଦାଙ୍କ କହିବା ଅନୁଯାଇ ଶୀରୃତୁରେ ପ୍ରତିଦିନ ପ୍ରାୟ ଜିଲ୍ଲା ଓ ଜିଲ୍ଲା ବାହାରୁ ଲୋକ ଏଠାକୁ ଆସିଥାନ୍ତି । ହେଲେ ଏଠାରେ ସେଭଳି ସୁବିଧା ନ ଥିବାରୁ ନିରାଶ ହୋଇ ଫେରିଯାଇଥାନ୍ତି ।
ଶୀତଦିନେ ଭୋଜି ପାଇଁ ଏଠାକୁ ଲୋକଙ୍କ ଭିଡ ଲାଗିଥାଏ । ତାମ୍ବିଦରହ ଇକୋ ରିଟ୍ରିଟ ଟି ବୌଦ୍ଧ-ବଘିଆପଡା ରାସ୍ତାର ବଘିଆପଡା ଠାରୁ ୨ କିଲୋମିଟର ଦୂରରେ ରହିଥିବା ବେଳେ ବୌଦ୍ଧ ସହରରୁ ପ୍ରାୟ ୨୧ କିଲୋମଟର ଦୂରତା ହେଉଛି । ପର୍ଯ୍ୟଟକମାନଙ୍କ ପାଇଁ ନିର୍ମାଣ ହେଉଥିବା ଏହି ତାମ୍ବିଦରହ ଇକୋ ରିଟ୍ରିଟ କାର୍ଯ୍ୟକୁ ଶିଘ୍ର ଶେଷକଲେ ଆସନ୍ତା ଶୀତ ଋତୁରେ ପର୍ଯ୍ୟଟକମାନେ ଏହାର ସୁବିଧା ପାଇ ପାରନ୍ତେ ।
ପୁଲିସ ପକ୍ଷରୁ ଚଢଉ ୮୭ କିଲୋ ଗଞ୍ଜେଇ ଜବତ
ବୌଦ୍ଧ,୧୦/୬: ବୌଦ୍ଧ ଥାନା ଅନ୍ତର୍ଗତ ବୌଦ୍ଧ ବଘିଆପଡା ରାସ୍ତାର ବଘିଆପଡା ଫାଣ୍ଡି ଅନ୍ତର୍ଗତ ପନଖିମାଲ ଗ୍ରାମ ନିକଟସ୍ଥ ଏକ ନାଳ ନିକଟରୁ ଚାଲାଣ ପାଇଁ ରଖାଯାଇଥିବା ୮୭ କିଲୋ ଗଞ୍ଜେଇ ପୁଲିସ ଜବତ କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପନଖିମାଲ ନିକଟସ୍ଥ ନାଳ ନିକଟରେ ଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ପକ୍ଷରୁ ଏକ ଟିମ୍ ଚଢଉ କରିଥିଲା ।
ଏହି ଚଢ଼ଉରେ ଦୁଇଗୋଟି ବସ୍ତାରେ ଥିବା ୮୭ କିଲୋ ଗଞ୍ଜେଇ ଜବତ କରାଯାଇଥିବାବେଳେ କାହାରିକୁ ଗିରଫ କରାଯାଇନାହିଁ । ଏନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Posts

Seo wordpress plugin by www.seowizard.org.