Odisha News

ଜାନୁୟାରୀ ୩୧ରୁ ଆରମ୍ଭ ହେବ ସଂସଦ ଅଧିବେଶନ, ଫେବୃଆରୀ ୧ ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩/୧: ଜାନୁଆରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶ। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୬ ଯାଏ ଚାଲିବ। ବଜେଟ ଅଧିବେଶର ଦ୍ୱିତୀୟ ଦିନ ଅର୍ଥାତ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।
ବଜେଟ ଅଧିବେଶର ସମୟ ୬୬ ଦିନ ଥିବା ବେଳେ ଏହା ମଧ୍ୟରେ ନିୟମିତ ବ୍ରେକ ସହ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି। ଏ ସମ୍ପର୍କରେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।
ବଜେଟ ଅଧିବେଶନର ପ୍ରଥମ ଦିନରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ସମ୍ବୋଧନ କରିବେ। ଅଗଷ୍ଟ ମାସରେ ଦେଶର ସର୍ବୋଚ୍ଚ ପଦରେ ବସିବା ପରେ ରାଷ୍ଟ୍ରପତି ପ୍ରଥମଥର ମିଳିତ ସଦନକୁ ସମ୍ବୋଧନ କରିବେ।
ଜାନୁଆରୀ ୧ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶ ପ୍ରଥମେ ୧୩ ଫେବୃଆରୀ ଯାଏ ଚାଲିବ। ଏହାପରେ ଫେବୃଆରୀ ୧୪ରୁ ମାର୍ଚ୍ଚ ୧୨ ଯାଏ ବିଭାଗ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ବିଭିନ୍ନ କାମ ପାଇଁ ନିୟମିତ ବ୍ରେକ ରହିବ। ଏହାପରେ ମାର୍ଚ୍ଚ ୧୩ରୁ ଏପ୍ରିଲ ୬ ଯାଏ ବଜେଟ ଅଧିବେଶର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହେବ।
ଅଧିବେଶର ପ୍ରଥମ ଭାଗରେ ଦୁଇ ସଦନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଏଥିସହ ପୂର୍ଣ୍ଣାଙ୍ଗ ବଜେଟ ଉପରେ ଆଲୋଚନା କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ହେବାକୁ ଥିବା ଧନ୍ୟବାଦ ପ୍ରସ୍ତାବର ଜବାବ ଦେବେ। ସେହିପରି ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ରୀୟ ବଜେଟ ଉପରେ ନିଜର ପକ୍ଷ ରଖିବେ।

Related Posts

Seo wordpress plugin by www.seowizard.org.