Odisha News

ଜାତୀୟ ରାଜପଥ ମରାମତି ଦାବି, ୧୨ ଘଣ୍ଟିଆ ପାଲଲହଡା ବନ୍ଦ

ଅନୁଗୋଳ,୨୪/୧୨: ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ପାଲଲହଡା ଶିବ ମନ୍ଦିରଛକରେ ଅଣ୍ଡରପାସ ନିର୍ମାଣ ଓ ୧୪୯ ନମ୍ବର ଜାତୀୟ ରାଜପଥ ପାଲଲହଡା-ପିତିରି ରାସ୍ତାର ମରାମତି ଦାବିରେ ଏହି ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି।
ପାଲଲହଡାରୁ ପତିରିକୁ ସଂଯୋଗ କରୁଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ କଲେଜ ଛକ, ଶିଗଡି ଛକ ଓ ବାଇପାସ ଛକରେ ରାସ୍ତା ଅବରୋଧ କରାଯାଇଛି।
ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଓ ୧୪୯ ନମ୍ବରରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ପାଲଲହଡା ବିଧାୟକ ମୁକେଶ କୁମାର ପାଳଙ୍କ ଆନ୍ଦୋଳନ ଡାକରାରେ ସ୍ୱତଃ ପ୍ରବୃତ୍ତ ଭାବେ ସ୍ଥାନୀୟ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ ଓ ସଂଘ ସାମିଲ ହୋଇଛନ୍ତି।
ପାଲଲହଡ଼ା ବିଧାୟକ ମୁକେଶ ପାଳ କହିଛନ୍ତି ଯେ, ପାଲଲହଡ଼ା ବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରୁଛି ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ( NHAI )। ପାଲଲହଡା ଶିବ ମନ୍ଦିର ଛକରେ ଅଣ୍ଡର ପାସ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇ ଠକି ଚାଲିଛି।
ଶିବ ମନ୍ଦିର ଛକରେ ଅଣ୍ଡର ପାସ ନିର୍ମାଣ କାର‌୍ୟ୍ୟ ଆରମ୍ଭ କରାଯିବ ବୋଲି ବିଧାୟକ, ଉପଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦା ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ମଧ୍ୟରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ NHAI ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର‌୍ୟ୍ୟନ୍ତ ଏହା କାର‌୍ୟ୍ୟକାରୀ ହୋଇପାରୁ ନାହିଁ।
ସେହିପରି ଶିବ ମନ୍ଦିର ଛକରୁ ରେଞ୍ଜ ଅଫିସ ଛକ ପର‌୍ୟ୍ୟନ୍ତ ଛଅ ଲେନ ବିଶିଷ୍ଟ ଫ୍ଲାଇ ଓଭର ନିର୍ମାଣ ହୋଇଥିବାରୁ ସହର ଭିରରକୁ ଯିବା ଆସିବାରେ ଅସୁବିଧା ଦେଖା ଯାଉଛି।
ଶିବ ମନ୍ଦିର ଛକରେ ଅଣ୍ଡର ପାସ ରାସ୍ତା ନଥିବାରୁ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଣ୍ଡରପାସ ନିର୍ମାଣ ଓ ଖାଲଖମା ହୋଇ ଯାଇଥିବା ପାଲଲହଡା – ପିତିରି ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀ ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ଚିଠି ଲେଖି ପାଲଲହଡା ବିଧାୟକ ଦାବି କରିଥିଲେ। ହେଲେ ଦେଢ଼ ବର୍ଷ ବିତିଲା ପରେ ବି କୌଣସି କାର‌୍ୟ୍ୟ ଆରମ୍ଭ ନହେବାରୁ ଜନ ସାଧାରଣଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଆଜି ପାଲଲହଡା ବନ୍ଦ ଆହ୍ୱାନ ଦିଆଯାଇଛି ବୋଲି ବିଧାୟକ କହିଛନ୍ତି।

Related Posts

Seo wordpress plugin by www.seowizard.org.