Odisha News

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବିଏସ୍ଏଫ୍ର ପ୍ରଭାବ, ମୁଖ୍ୟ ସ୍ରୋତକୁ ଫେରିଲେ ୯୦୭ ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ

ମାଲକାନଗିରି,୨୦/୧୨: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ଭୁଶୁଡ଼ିଲା ଲାଲ ଗଡ। ଦୀର୍ଘ ଦିନ ଧରି ପୁଲିସ ଏବଂ ପ୍ରଶାସନର ମିଳିତ ଚେଷ୍ଟା ଆଜି ସାକାର ହୋଇଛି।
ଆଜି ସ୍ବାଭିମାନ ଅଂଚଳର ଘନବେଡା ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର‌୍ୟ୍ୟକ୍ରମରେ ସ୍ବାଭିମାନ ଅଂଚଳର ବଡ ଆମଲିବେଡା, ସାନ ଆମଲିବେଡା, ଅଙ୍ଗୁରଗୁଡା, ଟିକରପଡା, ନାଡମଞ୍ଜରି, କୋଣ୍ଡାହେଞ୍ଜରି, ପଣସପୁଟ, ବାଚଲପଦର, ରାମଗୁଡା, ଗୁସୁମପଦର, ସିନ୍ଧିପୁଟ, ମୁଣ୍ଡିଗୁମ୍ମା, ସିମିଳିପଦର, ଏଲମପାକା, ଖଜୁରିଗୁଡା, ତୋଟାଗୁଡା, ସିଙ୍ଗରାମ, ସିରିଲିମେଟା, ମାଝିଗୁଡା, କୋଟିଆଗୁଡା ଭଳି ବହୁ ଗ୍ରାମର ୯୦୭ ଜଣ ନକ୍ସଲ ଏସପି ନିତୀଶ ବାଧୱାନୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏମାନଙ୍କ ମଧ୍ୟରେ ୪୬୭ ଜଣ ମିଲିସିଆ ରହିଥିବା ଜଣାପଡିଛି। କେବଳ ଚିତ୍ରକୋଣ୍ଡା ଥାନା ଅଂଚଳର ହିଁ ନୁହେଁ ବରଂ ଆନ୍ଧ୍ରପ୍ରଦେଶର ମୁଚିନପୁଟ ଥାନା ଅଂଚଳର ମଧ୍ୟ ବହୁ ଗ୍ରାମର ମିଲିସିଆ ଏବଂ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।
ଏହି ଆତ୍ମସମର୍ପଣ କରିଥିବା ଗ୍ରାମବାସୀ ବହୁ ହିଂସା ସହ ପୁଲିସ ଉପରେ ଆକ୍ରମଣ କରିବା ଏବଂ ଗୁଳି ଚଳାଇବାରେ ସାମିଲ ଥିବା ପୁଲିସ କହିଛି। ଏଥିସହ ବହୁ ନିରୀହ ଲୋକଙ୍କୁ ମଧ୍ୟ ହତ୍ୟା କରିଥିବା ଜଣାପଡିଛି।
ନକ୍ସଲ ଏହି ନିରୀହ ଲୋକଙ୍କୁ ହିଂସା ପଥକୁ ଆପଣେଇବାକୁ ବାଧ୍ୟ କରୁଥିଲେ। ନକ୍ସଲଙ୍କର ଆଇନ କାନୁନରେ ବନ୍ଧା ହୋଇଥିଲେ। ତେବେ ଧୀରେ ଧୀରେ ପୁଲିସ ଏହି ଅଂଚଳରେ କୁମ୍ବିଂ କରିବା ସହ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲ ପଛଘୁଞ୍ଚା ଦେଇଥିଲେ। ଲୋକେ ଆଉ ନକ୍ସଲକୁ ସମର୍ଥନ ଛାଡିଦେଲେ।
ଧୀରେ ଧୀରେ ଗାଁ ଗାଁରେ ବିକାଶ ପହଞ୍ଚିବା ପରେ ଲୋକେ ନକ୍ସଲର ପଥ ଅନୁସରଣ କରିବା ଛାଡି ବିକାଶକୁ ଆପଣେଇଲେ। ସରକାର ଏମାନଙ୍କ ପାଖରେ ସମସ୍ତ ମୌଳିକ ସୁବିଧା ପହଞ୍ଚାଇବା ପରେ ଲୋକେ ବଦଳିଛନ୍ତି। ଏହି କାର‌୍ୟ୍ୟକ୍ରମକୁ ପୁଲିସ ଏବଂ ଏସଆଇଡବ୍ଲୁ ମିଳିତ ଭାବେ ଆୟୋଜନ କରିଥିଲେ।
ଲୋକେ ମାଓବାଦୀ ମୁର୍ଦାବାଦ ବୋଲି ସ୍ଲୋଗାନ ଦେଇ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା।ନକ୍ସଲଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରିଥିଲେ।ସମସ୍ତ ଆତ୍ମସମର୍ପଣ କରିଥିବା ମିଲିସିଆ ଏବଂ ନକ୍ସଲଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଏକ ନୈଶ୍ୟ ଭୋଜିର ଆୟୋଜନ କରାଯାଇଥିଲା। ମୁଖ୍ୟସ୍ରୋତରେ ସାମିଲ ହେବା ପରେ ଏହି ଗ୍ରାମବାସୀ ଆଗକୁ ସରକାର ଏବଂ ପ୍ରଶାସନକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପ୍ରକାଶ ଥାଉକି ଗତ ଜୁନ ୨ ତାରିଖରେ ଯନ୍ତ୍ରୀ ଠାରେ ୫୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଜୁନ ୧୧ରେ ୩୯୭ ଜଣ, ଅଗଷ୍ଟ ୨୨ରେ ୫୦୦ ଜଣ, ସେପ୍ଟେମ୍ବର ୧୭ରେ ୭୦୦ ଜଣ ନକ୍ସଲ ଓ ମିଲିସିଆ ଆତ୍ମସମର୍ପଣ କରିଥିଲେ। ଏଥର ସ୍ବାଭିମାନ ଅଂଚଳରେ ଶାନ୍ତି ଫେରିଥିବା ଲୋକେ କହିଥିଲେ। ପୁଲିସ ସମସ୍ତ ସହଯୋଗ ଲୋକଙ୍କୁ ଯୋଗାଇବ ବୋଲି ମଧ୍ୟ କହିଥିଲା। ଏହି ଅବସରରେ ଲୋକଙ୍କୁ ଶାଢ଼ି, ଲୁଙ୍ଗି, ଛତା, କମ୍ବଳ ଇତ୍ୟାଦି ପ୍ରଦାନ କରାଯାଇଥିଲା।

Related Posts

Seo wordpress plugin by www.seowizard.org.