Odisha News

ଚିକିତ୍ସା ଅବହେଳାରୁ ଶିଶୁ ମୃତ ! ହସ୍ପିଟାଲରେ ଶବ ରଖି ଉତ୍ତେଜନା

ପାରଳାଖେମୁଣ୍ଡି,୧୧/୧୦: ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନ ଥିବାରୁ ନର୍ସ କରୁଥିଲେ ଚିକିତ୍ସା। ଚିକିତ୍ସା ଅବହେଳାରୁ ଚାଲିଗଲା ୨ବର୍ଷର ଶିଶୁର ଜୀବନ। ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପରିବାର ଲୋକ। ଏନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ।
ଅଭିଯୋଗ ଅନୁସାରେ, ଗୋଷାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗାଁର ଅନିଲ୍ କୁମାର ବିଷୋୟୀଙ୍କ ପୁଅ ଆୟୁଷଙ୍କୁ ଜ୍ୱର ହୋଇଥିଲା। ଗତକାଲି ରାତିରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଥିବାରୁ ପରିବାର ଲୋକେ ପିଲାଟିକୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଡାକ୍ତର ନଥିବା ବେଳେ ନର୍ସ ଶିଶୁଟିର ଚିକିତ୍ସା କରିଥିଲେ। ପରେ ଶିଶୁଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଶିଶୁଟିର ମୃତଦେହ ଡାକ୍ତରଖାନାରେ ରଖି ପରିବାର ଲୋକେ ହୋହାଲ୍ଲା କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି।
ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଦୀପ କୁମାର ପାତ୍ର କହିଛନ୍ତି, କେଉଁ ଡାକ୍ତର ଗତକାଲି ଡ୍ୟୁଟିରେ ଥିଲେ, କେଉଁ ଡାକ୍ତର ଡ୍ୟୁଟିରେ ନଥିଲେ ତାହାର ତଦନ୍ତ କରାଯିବ। ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

Related Posts

Seo wordpress plugin by www.seowizard.org.