ଚାଷଜମିରେ ବିଦ୍ୟୁତ୍ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ
ଭଦ୍ରକ, ୨୭/୧୨ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ନରସିଂହପୁର ଗାଁରେ ଏକ ଅଘଟଣ ଘଟିଯାଇଛି । ବିଲରେ ଧାନ କାଟୁଥିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ପ୍ରମୋଦ ଦାସ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଆଜି ସକାଳେ ପ୍ରମୋଦ ଧାନ କାଟିବାକୁ ବିଲକୁ ଯାଇଥିଲେ । ଏହି ସମୟରେ ସେ ହଠାତ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ବିଲ ମଝିରେ ପ୍ରମୋଦ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାସହିତ ୨ ଏକର ଚାଷ ଜମି ମଧ୍ୟ ପୋଡି ପାଉଁଶ ହୋଇଯାଇଛି ।
ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ପ୍ରମୋଦ ସମ୍ପୂର୍ଣ୍ଣ ଜଳିଯାଇଥିଲେ । ବିଦ୍ୟୁତ ବିଭାଗର ଖାମ୍ଖିଆଲି ନୀତି ପାଇଁ ଜଣେ ଚାଷୀଙ୍କ ଜୀବନ ଯାଇଥିବା ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।