Odisha News

ଚାରିମାସ ଘଟଣାର ପର୍ଦ୍ଦାଫାସ୍ ; ନନ୍ଦକିଶୋର ବେହେରାଙ୍କ କଙ୍କାଳ , ଖପୁରୀ, ସାର୍ଟ ଓ କିଛି ନଷ୍ଟ ହୋଇଥିବା ଟଙ୍କା ଜବତ !

ବାଙ୍କୀ,୧୩/୧: ପାଟ୍ରୋଲିଂ ବେଳେ ଚନ୍ଦକା-ଡ଼ମପଡା ଅଭୟାରଣ୍ୟରୁ ମିଳିଛି ମଣିଷ ଖପୁରୀ ଓ କଙ୍କାଳ। ଏ ଖପୁରୀ ଓ କଙ୍କାଳ କାହାର? ଏନେଇ ସଠିକ୍ ତଥ୍ୟ ମିଳିନଥିବା ବେଳେ ୫ ମାସ ତଳେ ନିଖୋଜ ଥିବା ନନ୍ଦକିଶୋର ବେହେରାଙ୍କର ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କଙ୍କାଳ ପାଖରୁ ମିଳିଥିବା ସାର୍ଟଟି ନନ୍ଦ କିଶୋରଙ୍କର ବୋଲି ତାଙ୍କ ପୁତୁରା ଅନୁମାନ କରୁଛନ୍ତି। ତେଣୁ ସନ୍ଦେହ ଦୂର କରିବା ପାଇଁ ପୁଲିସ୍ ଖପୁରୀ ଓ କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏଫ୍ଏମ୍ଟିକୁ ପଠାଇ ଦେଇଛି। ନନ୍ଦ ମଉସାଙ୍କୁ ଅଜଗର ଗିଳିଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା।
କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସାନମୁଣ୍ଡଳୀ ଗାଁର ବ୍ୟବସାୟୀ ନନ୍ଦ କିଶୋର ବେହେରା। ନନ୍ଦ ମଉସା ଭାବେ ସେ ବେଶ୍ ପରିଚିତ ଥିଲେ। ସେ ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ଅଞ୍ଚଳରେ ଥିବା ୫ଟି ଗାଁରେ ବୁଲି ବୁଲି ବ୍ୟବସାୟ କରନ୍ତି। ହେଲେ ଅଗଷ୍ଟ ୨୮ ତାରିଖରେ ବ୍ୟବସାୟ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଏନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
ନନ୍ଦ ମଉସା କେଉଁଠି? ତାଙ୍କର ଖୋଜା ଚାଲିଥିବା ବେଳେ ଅଭୟାରଣ୍ୟ ଅଞ୍ଚଳରୁ ନନ୍ଦ ମଉସାଙ୍କ ମୋପେଟ୍ ମିଳିଥିଲା। ଆଉ ମୋପେଟ୍ ପାଖରେ ଗୋଟିଏ ବିରାଟକାୟ ଅଜଗର ଠାବ ହୋଇଥିଲା। ତେଣୁ ତାଙ୍କୁ ଅଜଗର ଗିଳିଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲା ବନ ବିଭାଗ। ପରିବାର ଲୋକ କିନ୍ତୁ ବନ ବିଭାଗ କଥାକୁ ବିଶ୍ୱାସ ନକରି ଚୁପ୍ଚାପ ବସି ଯାଇଥିଲେ।
ଗୁରୁବାର ଅପରାହ୍ନରେ ବନ କର୍ମଚାରୀମାନେ ଚନ୍ଦକା-ଡ଼ମପଡା ଅଭୟାରଣ୍ୟର ରାଜଗଡ଼ ମୁଣ୍ଡିଆ ଓ ବେଙ୍ଗପାଣି ଘାଟି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଠିକ୍ ସେତିକି ବେଳେ ଗୋଟିଏ ମଣିଷ ଖପୁରୀ ଓ କଙ୍କାଳ ଦେଖିବାକୁ ପାଇଥିଲେ। ଆଉ କଙ୍କାଳ ପାଖରେ ସାର୍ଟ ପଡ଼ିଥିଲେ। ସେହି ସାର୍ଟ ପକେଟରେ କିଛି କାଗଜପତ୍ର ଭିତରେ ଟଙ୍କା ଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀମାନେ ଏନେଇ ବାଙ୍କୀ ଥାନାକୁ ଖବର ଦେଇଥିଲେ। ବାଙ୍କୀ ଥାନା ଅଧିକାରୀ ଓ କଁଇମୁଣ୍ଡି ଫାଣ୍ଡି ଅଧିକାରୀ କଙ୍କାଳ ପଡିଥିବା ସ୍ଥାନକୁ ଯାଇଥିଲେ। ଡ଼ମପଡା ତହସିଲଦାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜଙ୍ଗଲରୁ କଙ୍କାଳ ଉଦ୍ଧାର କରା ଯାଇଥିଲା।
ପୁଲିସ୍ ପକ୍ଷରୁ ଏନେଇ ନନ୍ଦ ମଉସାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ନନ୍ଦକିଶୋରଙ୍କ ପୁତୁରା ସାର୍ଟଟିକୁ ଚିହ୍ନିଥିଲେ। ସାର୍ଟଟି ନନ୍ଦ ଦାଦାଙ୍କର ହୋଇଥାଇପାରେ ବୋଲି ସେ ପୁଲିସ୍କୁ କହିଥିଲେ। ଏହା ପରେ ଅଭୟାରଣ୍ୟରୁ ମିଳିଥିବା ହାଡ଼ କଙ୍କାଳକୁ କଟକ ଏଫ୍ଏମ୍ଟିକୁ ପରୀକ୍ଷା ପାଇଁ ପଠାଇ ଦିଆଯାଇଥିବା ବାଙ୍କୀ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି। ପୋର୍ଟମର୍ଟମ ରିପୋର୍ଟରେ କିଛି ସନ୍ଦେହ ଆସିଲେ ଘଟଣାର ତଦନ୍ତ କରାଯିବ।

Related Posts

Seo wordpress plugin by www.seowizard.org.