Odisha News

ଚାକିରିରୁ ବିଦା ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ

ଭୁବନେଶ୍ବର,୨୭/୬: ରାଜ୍ୟ ସରକାର ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଚାକିରିରୁ ବିଦା କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଦୁଇ ଦିନ ତଳେ ଗିରଫ କରାଯାଇଥିଲା। ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ତାଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତ କୁମାର ରାଉତଙ୍କର ୫ କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି। ନିଜ ଆୟଠାରୁ ପ୍ରଶାନ୍ତଙ୍କ ୫୦୦ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି। ଏନେଇ ଭିଜିଲାନ୍ସ ଏସ ପି ଏମ ରାଧାକ୍ରିଷ୍ଣନ୍ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ଜାଗାରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ। ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲେ।
କୋଟି କୋଟି ଟଙ୍କା ଜବତ ହେବା ପ୍ରଚାର ହେବାପରେ ସ୍ଥାନୀୟ ବାସିନ୍ଦା ଦେଖିବା ଲାଗି ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ। ଖାଲି ଭୁବନେଶ୍ବର ନୁହେଁ, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସରୁ ଦୁଇଟି ପର‌୍ୟ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା। ସେହିପରି ଚଢ଼ଉ ଜାରି ରହିଥିବା ବେଳେ ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ବର କାନନବିହାର ଘରୁ ଜବତ କରାଯାଇଥିଲା। ଏହି ଟଙ୍କାକୁ ସେ ବହି ରୢାକ୍ ପଛପଟ କାନ୍ଥରେ ଲୁଚାଇ ରଖିଥିଲେ। ଏବେ ସୁଦ୍ଧା ୩କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ଜାରି ରହିଥିବା ବେଳେ ନଗଦ ଟଙ୍କା ମିଳୁଥିବାରୁ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ୍ ହୋଇଯାଇଥିଲେ।
ଶୁକ୍ରବାର ସକାଳେ ପ୍ରଶାନ୍ତଙ୍କର ନବରଙ୍ଗପୁରସ୍ଥିତ ସରକାରୀ ବାସଭବନ, ଭୁବନେଶ୍ବର କାନନବିହାର ଏଚଆଇଜି-୧୧୫ରେ ଥିବା ଦୁଇ ମହଲା କୋଠା, ନବରଙ୍ଗପୁରସ୍ଥିତ ଅଫିସ, ଭଦ୍ରକ ବହୁଦରଡ଼ାରେ ଥିବା ପୈତୃକ ଘର ସମେତ ୯ ଜାଗାରେ ଏକକାଳୀନ ଚଢ଼ଉ କରା ଯାଇଥିଲା।
ବେଆଇନ କାରବାର ପାଇଁ ବାଲିମାଫିଆ, ଖଣି ମାଫିଆ, ଜଙ୍ଗଲ ମାଫିଆ ଓ ଉନ୍ନୟନ କାମ ବାବଦରେ ଠିକାଦାରଙ୍କଠାରୁ ଟଙ୍କା ଠୁଳ କରିଥିବା କୁହାଯାଉଛି। କିନ୍ତୁ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଚଢ଼ଉ ପାଇଁ ୯ଟି ଟିମ୍ ତିଆରି ହୋଇଥିଲା। ଦୁଇଜଣ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ୭ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ।

Related Posts

Seo wordpress plugin by www.seowizard.org.