Odisha News

ଚଟାଣରେ ବସି ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କେନ୍ଦୁଝର,୨୪/୬: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଜିଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସି ସୋମବାର ଦ୍ୱିତୀୟ ଦିନରେ ନିଜ ଜନ୍ମମାଟିରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ହେଲିକପ୍ଟର ଯୋଗେ କେନ୍ଦୁଝରରୁ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ବାହାରି ସଦର ବ୍ଲକ ରାଇକଳା, ତାଙ୍କ ଜନ୍ମ ଗ୍ରାମରେ ଓହ୍ଲାଇଥିଲେ।
ତାଙ୍କୁ ଦର୍ଶନ କରିବାକୁ ଏବଂ ସ୍ବାଗତ ଜଣାଇବାକୁ ହଜାର ହଜାର ସଂଖ୍ୟାରେ ଆଖପାଖ ଅଞ୍ଚଳର ଲୋକ ରୁଣ୍ଡ ହୋଇଥିଲେ। ସତେ ଯେପରି ତାଙ୍କୁ ସ୍ବାଗତ ଜଣାଇବାକୁ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ପାରମ୍ପାରିକ ବାଦ୍ୟ ଓ ନୃତ୍ୟଗୀତରେ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା।
ହେଲିପ୍ୟାଡ୍ରୁ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ରୋଡ୍ ଶୋ’କରି ଝୁମ୍ପୁରା ଯାଇଥିଲେ। ଝୁମ୍ପୁରାରେ ତାଙ୍କ ପିଲା ଦିନର ହାଇସ୍କୁଲରେ ଓହ୍ଲାଇ କିଛି ସମୟ ବିତାଇବା ସହ ପୁରୁଣା ସହପାଠୀଙ୍କୁ ଭେଟିଥିଲେ।
ସେଠାରୁ ବାହାରି ଝୁମ୍ପୁରା ବଜାରସ୍ଥିତ ଦୁର୍ଗା ମନ୍ଦିର ପଡିଆରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ସେଠାରେ ବିଭିନ୍ନ ବର୍ଗର ଲୋକ, ବିଭିନ୍ନ ସଂଗଠନ ଓ ସଂସ୍ଥା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଉଦ୍ବୋଧନ ଦେଇ କହିଥିଲେ ଯେ, ଏହି ମାଟିର ସନ୍ତାନ ଆପଣଙ୍କ ମୋହନ ଭାଇ କେବଳ ଝୁମ୍ପୁରା ନୁହେଁ ଜିଲାର ବିକାଶ ପାଇଁ କାମ କରିବ। ଏଣୁ ଆପଣମାନେ ଯେତେବେଳେ ଚାହିଁବେ ତାଙ୍କ ପାଖକୁ ଯାଇ ପାରିବେ ଏବଂ ଦେଖା କରିପାରିବେ।
ସେହିପରି ବିକାଶ ପାଇଁ ସମସ୍ତେ ତାଙ୍କୁ ପ୍ରସ୍ତାବ, ପରାମର୍ଶ ଦେଇ ପାରିବେ ବୋଲି କହିଛନ୍ତି।ମୋର କାହାରିକୁ ଭୟ କରିବାର ନାହିଁ। ଆପଣ ମାନେ ମୋ ସହିତ ଅଛନ୍ତି। ମୋ ପାଖରେ ମା ତାରିଣୀ, ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ, ଦୁର୍ଗତୀ ନାଶିନୀ ମା’ ଅଛନ୍ତି ବୋଲି କହିଥିଲେ।
ନିଜର ପିଲାଦିନର ସ୍ମୃତି କୁ ମନେ ପକାଇ କିପରି ପ୍ରତ୍ୟେକ ବୁଧବାର ଝୁମ୍ପୁରା ହାଟକୁ ମା’ ସହିତ ଆସନ୍ତି କହିଥିଲେ।ସେହି ଦିନଟା ତାଙ୍କର ଛୁଟି। ଅନ୍ୟ ସବୁ ଦିନ ସ୍କୁଲ ଯାଆନ୍ତି ବୋଲି କହିଥିଲେ। ଏହା ପରେ ସେ ରାଇକଳା ଯାଇଥିଲେ। ସେଠାରେ ପାରମ୍ପାରିକ ନୃତ୍ୟଗୀତ କରି ତାଙ୍କୁ ସ୍ବାଗତ କରାଯାଇଥିଲା। ଗ୍ରାମର ସାହି ପଡ଼ୋଶୀ, ବନ୍ଧୁବାନ୍ଧବ ତାଙ୍କୁ ଫୁଲ ଚନ୍ଦନ ପିନ୍ଧାଇ ବନ୍ଦାପନା କରି ନିଜ ବାସଗୃହକୁ ପାଛୋଟି ନେଇଥିଲେ।
ନିଜ ବାସଗୃହରେ ବିଶ୍ରାମ ନେଇଥିଲେ। ସେଠାରେ ପଖାଳ ଭାତ, କୁନ୍ଦୁରି, ବାଇଗଣ ଝୁଡ଼ଙ୍ଗ ଆଦି ପ୍ରିୟ ଭଜା ଖାଇଥିଲେ। ସେ ପଖାଳ ଓ ଭଜା ଆଦି ଖାଇବାକୁ ଭଲ ପାଆନ୍ତି। ଆଜି ସେ ତାଙ୍କ ମା ନାଥମଣି ମାଝିଙ୍କ ପଖାଳ ଭାତ ଓ ଭଜା ଖୁଆଇ ଦେଲେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି କହିଛନ୍ତି। ଏହା ପରେ ଗ୍ରାମରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହା ପରେ ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଛନ୍ତି।

Related Posts

Seo wordpress plugin by www.seowizard.org.