Odisha News

ଚକ୍ରାନ୍ତରୁ କଂଗ୍ରେସକୁ ବଂଚାଇବାକୁ ଆହ୍ୱାନ ଦେଲେ ଚିରଞ୍ଜୀବ, ଅନ୍ୟ ଦଳକୁ ଯିବାର ବିକଳ୍ପ ଖୋଲା ରଖିଲେ

ଭୁବନେଶ୍ୱର,୧୭/୭: ନିଲମ୍ବନ ଆଦେଶର ଦୁଇ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ କମିଟି ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଚିରଞ୍ଜୀବ କହିଛନ୍ତି ଯେ ମୁଁ କଂଗ୍ରେସ ପରିବାରରୁ ଆସିଛି । ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା । ପିସିସି ସଭାପତିଙ୍କ ସୁପାରିଶ କ୍ରମେ ମୋତେ ନିଲମ୍ବନ କରାଯାଇଛି ।
କଂଗ୍ରେସ ବିରୋଧରେ କୌଣସି କାମ କରିନାହିଁ । ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ । କଂଗ୍ରେସରୁ ନିଲମ୍ବନ କରିବା ମୋତେ ଦାରୁଣ ଆଘାତ ଦେଇଛି ।ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦୂରେଇବାକୁ ଚେଷ୍ଟାରେ ଅଛନ୍ତି । କଂଗ୍ରେସ ସ୍ଥିତି ଭଲ ରହିଛି, ସେଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି ।
ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟାରେ ଅଛନ୍ତି । କଂଗ୍ରେସକୁ ସୁଦୃଢ କରିବାକୁ ଭୁବନେଶ୍ୱରରେ ଏକ ସଭାର ଆୟୋଜନ କରାଇଥିଲୁ । କଂଗ୍ରେସକୁ ସୁଦୃଢ କରାଇବାକୁ ସଭାର ଆୟୋଜନ କରାଯାଇଥିଲା ।
ସତ କହିବା ଯଦି ପାପ, ତେବେ ହଁ, ମୁଁ ପାପ କରିଛି । ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା ବୋଲି ମୋତେ କୁହାଗଲା ।ଧାମନଗର ଓ ପଦ୍ମପୁର ନିର୍ବାଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା । ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ୨୫ ବର୍ଷ ହେଲା ଜିତିନାହାନ୍ତି । ଚକ୍ରାନ୍ତ କାହା ପରାମର୍ଶରେ ନିଆଯାଇଛି ସେକଥା ମୁଁ ଜାଣେ ନାହିଁ । ମୁଁ ଜଣେ ସ୍ୱାଭିମାନୀ ଲୋକ, କାର୍ଯ୍ୟାନୁଷ୍ଠାନକୁ ଡରେ ନାହିଁ । ଦୁର୍ବଳ ଲୋକ ଅଭିଯୋଗ କରନ୍ତି, ମୁଁ କେଉଁଠି ଅଭିଯୋଗ କରିବି ନାହିଁ ।
ସେହିପରି ଚିରଞ୍ଜୀବ ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ସେ କହିଛନ୍ତି ଯେ ମୁଁ କଂଗ୍ରେସରୁ ଲଢ଼ିବି କି ସ୍ୱାଧୀନ ଭାବେ ଲଢ଼ିବି ତାହା ସମୟ ହିଁ କହିବ । ସେହିପରି ପିସିସି ସଭାପତିଙ୍କୁ ଇସାରା ଇସାରାରେ କହିଛନ୍ତି ଯେ ଯିଏ ନିଜ ଛାଇକୁ ଦେଖି ଡରେ, ସେ ଏଭଳି ପଦକ୍ଷେପ ନେଇଛି । ଗୋଡ ତଳେ ମାଟିନଥିବା ଲୋକ ହିଁ ଏଭଳି ପଦକ୍ଷେପ ନେଇଛି ।

Related Posts

Seo wordpress plugin by www.seowizard.org.