Odisha News

ଗଜପତି: ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଏବଂ ବିଶ୍ଵ ସ୍ତନ୍ୟପାନ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୮: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାନ୍ଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ଉପଲଡା ସ୍ଥିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ତଥା ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ “ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ” ଏବଂ “ବିଶ୍ଵ ସ୍ତନ୍ୟପାନ ସପ୍ତାହ” କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସମନ୍ୱିତ ସର୍ବେକ୍ଷଣ ଅନ୍ତର୍ଗତ ମ୍ୟାଲେରିଆ , ଡାଇରିଆ , ଡେଙ୍ଗୁ , ଯକ୍ଷ୍ମା , କୁଷ୍ଠ ଓ ସମ୍ପୂର୍ଣ ଟୀକାକରଣ ହୋଇ ନ ଥିବା ଶିଶୁ ଓ ହେପାଟାଇଟିସ:-ବି ପରୀକ୍ଷା କରାଇ ନଥିବା ଗର୍ଭବତୀ ମହିଳାଙ୍କ ଉପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।
ଗୁରାଣ୍ଡୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ବହୁସଂଖ୍ୟାରେ ଆଶା ଓ ଅଙ୍ଗନବାଡି କର୍ମୀ ସମେତ ଗ୍ରାମବାସୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସାମିଲ ହୋଇ ଗ୍ରାମ ପରିକ୍ରମା କରି ଗ୍ରାମବାସୀଙ୍କୁ ଉପରୋକ୍ତ ରୋଗ – ବିଷୟ ଉପରେ ସଚେତନ କରାଇ ଥିଲେ। ଏତଦ୍ ବ୍ୟତୀତ ଗ୍ରାମ ପରିକ୍ରମା ବେଳେ ଅପରିଷ୍କାର ସ୍ଥାନରେ ବ୍ଲିଚିଂ ପାଉଡର ଓ ଫିନାଇଲ ସିଞ୍ଚନ କରିବା ସହ ବିଭିନ୍ନ ସ୍ଥାନରେ ଭଙ୍ଗା ପାତ୍ର , ମାଟିହାଣ୍ଡି , ପ୍ଲାଷ୍ଟିକ ପାତ୍ର , ଫିଙ୍ଗା ପଇଡ଼ ଓ ପଡ଼ିଥିବା ଟାୟାର ପ୍ରଭୃତିରେ ଜମିଥିବା ପାଣିକୁ ଓଲଟାଇ ନଷ୍ଟ କରିଥିଲେ । ଅନ୍ୟପକ୍ଷରେ ଘରୋଇ କୂଅ ଓ ଗୋଷ୍ଠୀ କୂଅ ର ପାଣିକୁ ବ୍ଲିଚିଙ୍ଗ ପକାଇ ବିଶୋଧନ କରା ଯାଇଥିଲା ।
ସେହିଭଳି ଏଏନଏମ: , ସ୍ବାସ୍ଥ୍ୟକର୍ମୀ , ଆଶା ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଗ୍ରାମର ପ୍ରତ୍ୟେକ ଘରକୁ ଘର ଯାଇ ମ୍ୟାଲେରିଆ , ଡେଙ୍ଗୁ , ଡାଇରିଆ , କୁଷ୍ଠ ,ଯକ୍ଷ୍ମା ପ୍ରଭୃତି ରୋଗ ଉପରେ ଏବଂ ସମ୍ପୂର୍ଣ ଟୀକାକରଣ ହୋଇ ନ ଥିବା ଶିଶୁ ଏବଂ ହେପାଟାଇଟିସ ବି ପରୀକ୍ଷା କରାଇ ନ ଥିବା ଗର୍ଭବତୀ ମହିଳାଙ୍କ ଉପରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କରିଥିଲେ ।
ପରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ତଥା ଆୟୁଷ୍ମାନ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିରର ସଭାଗୃହ ଠାରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଓ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଉପରେ ଏକ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଗୁରାଣ୍ଡୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀ କାର୍ଯ୍ୟକ୍ରମରେ ସଭାପତିତ୍ବ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍ରେ କହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁରାଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରିକ ଯୋଗଦେଇ ମ୍ୟାଲେରିଆ , ଡେଙ୍ଗୁ , ଡାଇରିଆ , ଯକ୍ଷ୍ମା ଓ କୁଷ୍ଟ ରୋଗ ପ୍ରଭୃତି କିପରି ହୋଇଥାଏ , ତାର କାରଣ , ଲକ୍ଷଣ ଓ ନିରାକରଣ ସମ୍ପର୍କରେ କହିଥିଲେ ।
ସେହିଭଳି ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଉପସ୍ଥିତ ପ୍ରସୂତି ମହିଳା , ଗର୍ଭବତୀ ମହିଳା ସମେତ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଛୁଆ ଜନ୍ମ ହେବା ଠାରୁ ଅନ୍ୟୁନ ୬ ମାସ ପର‌୍ୟ୍ୟନ୍ତ ଜନ୍ମିତ ଛୁଆକୁ ମା କ୍ଷୀର ତଥା ମା- କଷ କ୍ଷୀର ଖୁଆଇବା ଏବଂ ସେହି କଷ କ୍ଷୀର ଛୁଆ ପାଇଁ କିଭଳି ଅମୃତ ହୋଇ ତାର ମାନସିକ ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସବୁ ବିକଶିତ ହୋଇ ସେ କୌଣସି ରୋଗରେ ପ୍ରାୟତଃ ସଂକ୍ରମିତ ହୋଇ ନ ଥାଏ ସେ ସମ୍ପର୍କରେ ଉପାଦେୟ ତଥ୍ୟ ଦେଇ ସଚେତନ କରାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ନିହାର ବାଳା ମହାପାତ୍ର , ଏଏନଏମ: ଡିଲେଶ୍ୱରୀ ଜେନା , ସ୍ୱାସ୍ଥ୍ୟ ସୂପରଭାଇଜର ଶ୍ରୀ ନୀଳକଣ୍ଠ ସୁନାଶଗଡ ଏବଂ ସ୍ବାସ୍ଥ୍ୟକର୍ମୀ ଶ୍ରୀ ଡି: ଧନଞ୍ଜୟ ପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମୁଖ୍ୟଅତିଥି ଡ଼ାଃ ପତିତପାବନ ବାରିକ ସମସ୍ତଙ୍କ ଗହଣରେ ଚାରା ରୋପଣ କରିଥିଲେ ।

Related Posts

Seo wordpress plugin by www.seowizard.org.